ARTICLE AD BOX
ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା କେନ୍ଦ୍ରୀୟ କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦିଆଯିବା, ମାଡ଼ ମରାଯିବା ଏବଂ ନିଶାଦ୍ରବ୍ୟ ସେବନ କରିବାକୁ ବାଧ୍ୟ କରାଯିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ ଜେଲ୍ ଅଧୀକ୍ଷକଙ୍କ ସମେତ ୧୯ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।
ପୀଡ଼ିତଙ୍କ ବାପା ନଭେମ୍ବର ୧୨ରେ ଖେଲଗାଓଁ ଥାନାରେ ଏତଲା ଦେଇଥିଲେ। ଏଥିରେ ଜେଲ୍ ଅଧୀକ୍ଷକ, ୱାର୍ଡ ଇନ୍ଚାର୍ଜ ଏବଂ ଜେଲ୍ ହସ୍ପିଟାଲର ଚିକିତ୍ସା କର୍ମଚାରୀଙ୍କ ସମେତ ୧୯ ଜଣଙ୍କ ନାମ ଉଲ୍ଲେଖ କରାଯାଇଛି। ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୧୨୬(୨), ୧୧୫(୨), ୩୫୧, ୩୫୨ ଏବଂ ୬୧(୨) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ପୀଡ଼ିତଙ୍କ ବାପା ଦାବି କରିଛନ୍ତି।
ଏତଲା ଅନୁଯାୟୀ, ଜେଲ୍ରେ ରହିବା ସମୟରେ ଯୁବକ ଜଣକ ତିନିଟି ପୃଥକ୍ ଘଟଣାରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ଜୁନ୍ ୧୨ ତାରିଖ ରାତିରେ କିଛି କଏଦୀ ତାଙ୍କୁ ଶାଢ଼ି ପିନ୍ଧାଇବା ସହ ମୁହଁରେ ମେକ୍ଅପ୍ ଲଗାଇ ମହିଳାଙ୍କ ଭଳି ସଜାଇଥିଲେ। ଏହାପରେ ତାଙ୍କୁ ଏକ ତରଳ ପଦାର୍ଥ ପିଇବାକୁ ବାଧ୍ୟ କରାଯାଇଥିଲା। ଏହା ପିଇବା ପରେ ସେ ଚେତାଶୂନ୍ୟ ହୋଇଯାଇଥିବା ଏତଲାରେ ଦର୍ଶାଯାଇଛି। ପରେ ତାଙ୍କୁ ୩ ନମ୍ବର ୱାର୍ଡକୁ ନିଆଯାଇ ସେଠାରେ ଏକାଧିକ ବ୍ୟକ୍ତି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ରାମନବମୀ ସମୟରେ ମଧ୍ୟ ତାଙ୍କୁ ମହିଳାଙ୍କ ପୋଷାକ ପିନ୍ଧାଇ ନିଶାଦ୍ରବ୍ୟ ଦିଆଯାଇଥିଲା। ପରେ ୩ ନମ୍ବର ୱାର୍ଡକୁ ନେଇ ତାଙ୍କୁ ପୁଣି ଯୌନ ନିର୍ଯାତନା ଦିଆଯାଇଥିଲା। ତୃତୀୟ ଘଟଣାଟି ସରହୁଲ୍ ପର୍ବ ସମୟରେ ଘଟିଥିବା ଏତଲାରେ ଉଲ୍ଲେଖ ରହିଛି। ସେହି ଗୋଷ୍ଠୀର କିଛି ସଦସ୍ୟ ତାଙ୍କୁ ୪ ଓ ୫ ନମ୍ବର ୱାର୍ଡ ନିକଟକୁ ଟାଣି ନେଇ ସମାନ ଧରଣର ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ଏତଲାରେ ଜେଲ୍ ପ୍ରଶାସନର ଅବହେଳା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ଯୁବକ ଜଣକ ନିର୍ଯାତନା ସମ୍ପର୍କରେ ୱାର୍ଡ ଇନ୍ଚାର୍ଜଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ତାଙ୍କୁ ଦୁର୍ବ୍ୟବହାର କରାଯିବା ସହ ଅଭିଯୋଗପତ୍ରକୁ ଚିରି ଦିଆଯାଇଥିବା ସେ ଦର୍ଶାଇଛନ୍ତି। ଏପରିକି ନିର୍ଯାତନା ପରେ ଶରୀରରେ ଯନ୍ତ୍ରଣା ଓ ଆଘାତ ଥିବା ସତ୍ତ୍ୱେ ଜେଲ୍ ହସ୍ପିଟାଲର ଜଣେ ଡାକ୍ତର ତାଙ୍କର ଚିକିତ୍ସା କିମ୍ବା ଡାକ୍ତରୀ ପରୀକ୍ଷା କରିବାକୁ ମନା କରିଥିବା ମଧ୍ୟ ଅଭିଯୋଗ ହୋଇଛି।

1 hour ago
2


