Rakhi Purnima: ରାଖୀ ପୂର୍ଣ୍ଣିମାରେ ସୁଭଦ୍ରା ୫ମ କିସ୍ତି ଟଙ୍କା: ଜୁଲାଇ ୨୫ ସୁଦ୍ଧା ସରିବ ସମସ୍ତ ଆବେଦନର ଯାଞ୍ଚ ଓ ବ୍ୟାଙ୍କ ଲିଙ୍କ୍ ପ୍ରକ୍ରିୟା

1 hour ago 1
ARTICLE AD BOX

ଭୁବନେଶ୍ବର: ରାଖୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ବିତରଣକୁ ସୂଚାରୁରୂପେ ସମ୍ପନ୍ନ ପାଇଁ ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜୁଲାଇ ୨୫ ସୁଦ୍ଧା ଯୋଜନା ଅଧୀନରେ ଅବଶିଷ୍ଟ ସମସ୍ତ ଆବେଦନର ଯାଞ୍ଚ, ଯୋଗ୍ୟତା ନିର୍ଦ୍ଧାରଣ ଓ ବ୍ୟାଙ୍କ ଲିଙ୍କ୍ ସମ୍ବନ୍ଧୀୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଉପମୁଖ୍ୟମନ୍ତ୍ରୀ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାରେ ଏ ପର୍ଯ୍ୟନ୍ତ ୧,୧୫,୭୫,୬୩୩ଟି ଆବେଦନ ପଞ୍ଜୀକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୨୦୨୬-୨୭ ଆର୍ଥିକ ବର୍ଷରେ ୩,୧୭,୯୬୬ଟି ନୂତନ ଆବେଦନ ପ୍ରାପ୍ତ ହୋଇଛି। ସମସ୍ତ ଯାଞ୍ଚ ଓ ଯୋଗ୍ୟତା ନିର୍ଣ୍ଣୟ ପରେ ୧,୦୨,୦୪,୩୯୬ ଜଣ ସମ୍ଭାବ୍ୟ ହିତାଧିକାରୀଙ୍କୁ ୫ମ କିସ୍ତି ପ୍ରଦାନ ପାଇଁ ଚିହ୍ନଟ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଦ୍ୱାରା ଯାଞ୍ଚରେ ମୃତ୍ୟୁ ନିଶ୍ଚିତ ହୋଇଥିବା ୫,୨୭୭ ଜଣ ହିତାଧିକାରୀଙ୍କ ନାମ ବାଦ ଦିଆଯିବା ପରେ ୧,୦୧,୯୯,୧୧୯ ଜଣଙ୍କୁ ୫ମ କିସ୍ତି ପ୍ରଦାନ ପାଇଁ ଅନ୍ତିମ ସମ୍ଭାବ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି।

Subhadra Shakti: ସୁଭଦ୍ରା ଶକ୍ତି କ୍ଷେତ୍ରରେ ‘ଦେବଗଡ଼’ ପରିଚୟ ସୃଷ୍ଟି କରିଛି: ଉପମୁଖ୍ୟମନ୍ତ୍ରୀ

ଜୁଲାଇ ୨୫ ସୁଦ୍ଧା ସରିବ ସମସ୍ତ ଆବେଦନର ଯାଞ୍ଚ ଓ ବ୍ୟାଙ୍କ ଲିଙ୍କ୍ ପ୍ରକ୍ରିୟା 
ଜିଲ୍ଲାସ୍ତରରେ ଦୈନିକ ଭିତ୍ତିରେ ଅଗ୍ରଗତି ସମୀକ୍ଷା ପାଇଁ ନିର୍ଦ୍ଦେଶ

ବୈଠକରେ ଡିବିଟି ସକ୍ରିୟକରଣ, ଇ-କେୱାଇସି, କ୍ଷେତ୍ରସ୍ତରୀୟ ତଦନ୍ତ, ଏନ୍‌ପିସିଆଇ ମ୍ୟାପିଂ, ପେମେଣ୍ଟ ଫାଇଲ୍ ପ୍ରସ୍ତୁତି ଓ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। କ୍ଷେତ୍ରୀୟ ତଦନ୍ତ ପାଇଁ ପଠାଯାଇଥିବା ସମସ୍ତ ଆବେଦନର ଯାଞ୍ଚ ଓ ନିଷ୍ପତ୍ତି ପ୍ରକ୍ରିୟାକୁ ୨୫ ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ କରିବା ସହ ଏହାର ଅଗ୍ରଗତିକୁ ଦୈନିକ ଭିତ୍ତିରେ ସମୀକ୍ଷା କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ସୁଭଦ୍ରା ଯୋଜନାର ସାମଗ୍ରିକ ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା। ଏ ପର୍ଯ୍ୟନ୍ତ ଚାରୋଟି କିସ୍ତିରେ ୨୦,୬୪୮.୬୩ କୋଟି ଟଙ୍କା ଡିବିଟି ମାଧ୍ୟମରେ ୧ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି। ସେହିପରି ପଞ୍ଜିକୃତ ୨,୬୮,୩୯୬ଟି ଅଭିଯୋଗର ସମାଧାନ କରାଯାଇଛି।

Subhadra Shakti: ସୁଭଦ୍ରା ଶକ୍ତି କ୍ଷେତ୍ରରେ ‘ଦେବଗଡ଼’ ପରିଚୟ ସୃଷ୍ଟି କରିଛି: ଉପମୁଖ୍ୟମନ୍ତ୍ରୀ

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ଭୁଲ, ସ୍ୱଚ୍ଛ ଓ ସୂଚାରୁରୂପେ ସୁଭଦ୍ରା ଯୋଜନାର କିସ୍ତି ପ୍ରଦାନ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀ, ସମ୍ପୃକ୍ତ ବିଭାଗ ଓ ବ୍ୟାଙ୍କିଂ ସଂସ୍ଥାଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ସମସ୍ତ ପ୍ରସ୍ତୁତି ସମୟବଦ୍ଧ ଭାବେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ସୁଭଦ୍ରା ଯୋଜନାର ଆଗାମୀ କାର୍ଯ୍ୟପନ୍ଥା ଓ ଆବେଦନର ସାମ୍ପ୍ରତିକ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.