Rain in Malkangiri: ମାଲକାନଗିରିରେ ୧୫ ଶହ ଲୋକଙ୍କୁ ସ୍ଥାନାନ୍ତର; ଚାଷଜମି ଜଳମଗ୍ନ

38 minutes ago 1
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ବର୍ଷାର ପରିମାଣ କମିଥିବାରୁ ବିଭିନ୍ନ ବ୍ରିଜ୍‌ ଉପରେ ଚାଲୁଥିବା ପାଣି ମଧ୍ୟ ଧୀରେ ଧୀରେ ତଳକୁ ଖସୁଛି। ଜିଲ୍ଲାର ଅନେକ ଅଞ୍ଚଳରେ ଏବେ ବି ପାଣି ଜମି ରହିଥିବାରୁ ଜନଜୀବନ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନାହିଁ। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଛି। ଧାନ ସମେତ ବିଭିନ୍ନ ରବି ଓ ଖରିଫ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। କୃଷିଜମିର କ୍ଷୟକ୍ଷତି ନେଇ ଆକଳନ କରାଯାଉଥିବା ଜଣାପଡ଼ିଛି।

ବର୍ଷା ଓ ବନ୍ୟାରେ ଜିଲ୍ଲାରେ ପ୍ରାୟ ୩୦ଟି ଘର ଭାଙ୍ଗିଥିବା ପ୍ରାଥମିକ ଆକଳନ କରାଯାଇଛି। ଜରୁରିକାଳୀନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ବିସ୍ତୃତ ଆକଳନ ଜାରି ରହିଥିବା କୁହାଯାଇଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୫ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୋଟୁ,ଚିତ୍ରକୋଣ୍ଡାର ସୀମାନ୍ତ ଗ୍ରାମରୁ ଏବଂ କାଲିମେଳା ବ୍ଲକର ଦୁର୍ଗମ ପେଡାଗୁଡା ଗ୍ରାମରୁ ଗର୍ଭବତୀ ମହିଳାଙ୍କୁ ଉଦ୍ଦାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

Undertrial Prisoner’s Death ମାଲକାନଗିରି ଜିଲ୍ଲା କାରାଗାରରେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ମାଥିଲି ବ୍ଲକର କୁଟୁନିପାଲି ପଞ୍ଚାୟତ ଅଧୀନ କୋଡ଼ୁଗୁଡ଼ା ଗ୍ରାମରେ ବନ୍ୟା ପରିସ୍ଥିତି ଗୁରୁତର ହୋଇଥିଲା। ଏଠାରେ ପ୍ରାୟ ୩୦ଟି ପରିବାର ଜଳବନ୍ଦୀ ହୋଇଥିବା ବେଳେ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି। ପ୍ରାୟ ୧୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ସେହିପରି ବଣ୍ଡାଘାଟି ଓ ବାୟାପୁର ଅଞ୍ଚଳରେ କ୍ଷତିଗ୍ରସ୍ତ ବ୍ରିଜ୍‌ଗୁଡ଼ିକର ମରାମତି କାମ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ମଧ୍ୟ ପାଣି ଧୀରେ ଧୀରେ କମୁଥିବାରୁ ସ୍ଥିତିରେ ସୁଧାର ଆସୁଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ମଧ୍ୟ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି। ତେବେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ସେମାନଙ୍କୁ ନିଜ ନିଜ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ କୁହାଯାଇଛି। ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୦୨୯ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ମାଲକାନଗିରି ଅଞ୍ଚଳରେ ସର୍ବାଧିକ ପ୍ରାୟ ୧୬୨ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି।

ପାଣି କମି ନଥମିବାରୁ ଆଜି ସମସ୍ତ ବସ ଚଳାଚଳକୁ ରଦ୍ଦ କରାଯାଇଥିଲା। ସେହିପରି ପାଣି କମିବା ପରେ ହିଁ ଦୁରଗାମୀ ଟ୍ରକଗୁଡିକକୁ ଛଡାଯିବ ବୋଲି ନିର୍ଦେଶ ଦିଆଯାଇଛି। ଚିତ୍ରକୋଣ୍ଡା,ମାଥିଲି,ଖଇରପୁଟ,କାଲିମେଳା ବ୍ଲକର ବହୁ ସ୍ଥାନରେ ଗଛ ଉପୁଡି ପଡିଥିବା ଜଣାପଡିଛି। ଏଥିସହ କାଙ୍ଗରୁକୋଣ୍ଡା ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ତେବେ ବର୍ଷା କମିବା ପରେ ଜରୁରୀକାଳୀନ ବିଭାଗ ସବିଶେଷ ରିପୋର୍ଟ ପ୍ରଦାନ କରିବ ବୋଲି କହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.