ARTICLE AD BOX
ମୁମ୍ବାଇ: ପୂର୍ବତନ ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଫଳରେ ଜଣେ ସଫଳ ଭାରତୀୟ ଖେଳାଳିଙ୍କ ୧୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ଅନ୍ତ ଘଟିଛି। ଦେଶ ପକ୍ଷରୁ ରାହାଣେ ୮୫ ଟେଷ୍ଟ୍, ୯୦ ଦିନିକିଆ ଓ ୨୦ ଟ୍ବେଣ୍ଟି-୨୦ ଖେଳିଛନ୍ତି। ଟେଷ୍ଟ୍ରେ ସେ ୩୮.୪୬ ହାରରେ ମୋଟ ୫୦୭୭ ରନ୍ କରିଛନ୍ତି। ରାହାଣେ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ନିଜ ଅବସର ବିଷୟରେ ସୂଚନା ଦେଇଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, ‘‘ସମୟକୁ ସମ୍ମାନ ଦେଇ ଆଗକୁ ବଢ଼ିବାକୁ ପଡ଼ିବ। ମୁଁ ସବୁବେଳେ ମୋର ବ୍ୟାଟିଂ ସମୟ ଉପରେ ନିର୍ଭର କରିଆସିଛି ଏବଂ ଏହାର ଗୁରୁତ୍ୱକୁ ବୁଝିଛି। ଆଜି, ଅନୁଭବ କରୁଛି ଯେ ମୋ ପାଇଁ ସେହି ସମୟ ଆସିଛି। ଅନ୍ତର୍ଜାତୀୟ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଘୋଷଣା କରିବା ଏହା ଠିକ୍ ସମୟ। ଜଣେ ବାଳକ ଭାବେ ଅଭ୍ୟାସ ପାଇଁ ଡୋମ୍ବିଭଲିରୁ ଯାତ୍ରା କରି ମୁଁ ଏହି ଖେଳକୁ ମୋର ସବୁକିଛି ଦେଇଥିଲି। ପ୍ରତ୍ୟେକ ଦିନ, ପାଳି, ସୁଯୋଗରେ ମୋତେ ବ୍ୟାଟିଂ କରିବାକୁ ମିଳିଛି। ମୋର ସ୍ବପ୍ନ ସର୍ବଦା ଭାରତୀୟ ଟୋପି ପିନ୍ଧିବା ଥିଲା’’।
Hurdles Final: ୪୦୦ ମିଟର ବାଧାଦୌଡ଼ ଫାଇନାଲ୍ରେ ୟାଶାସ୍, ସନ୍ତୋଷ
ବିଦେଶରେ ଭାରତର ସବୁଠାରୁ ଭରସାଯୋଗ୍ୟ ବ୍ୟାଟର୍ ଭାବେ ପରିଚିତ ୩୮ ବର୍ଷୀୟ ରାହାଣେ ପୁଣି କହିଛନ୍ତି ଯେ ‘‘ଜଣେ ଭାରତୀୟ କ୍ରିକେଟର୍ ଭାବେ ମୋର ଅଧ୍ୟାୟ ଶେଷ ହେଉଥିଲେ ମଧ୍ୟ, ଖେଳ ସହିତ ମୋର ଯାତ୍ରା ଶେଷ ହୋଇନି। ମୁଁ ପରବର୍ତ୍ତୀ ପିଢ଼ିକୁ ଏହି ଖେଳ ମୋତେ ଶିଖାଇଥିବା ମୂଲ୍ୟବୋଧକୁ ବାଣ୍ଟିବାକୁ ଏବଂ ସବୁକିଛି ଦେଇଥିବା ଏହି ଖେଳକୁ ଫେରାଇବାକୁ ଅପେକ୍ଷା କରିଛି। ଖେଳରେ ଅନେକ ବିଜୟ ଓ ପରାଜୟ ହୋଇଛି, କିନ୍ତୁ କ୍ରିକେଟ୍ ଖେଳିବା, ବିଭିନ୍ନ ଦଳର ଅଂଶ ହେବା ଏବଂ ସ୍ମୃତି ଛାଡ଼ିବାର ମୋ ପାଇଁ ବଡ଼ ଆନନ୍ଦ ଥିଲା। ‘ଆଜିଙ୍କ୍ୟମ୍’ ଅର୍ଥ ଅପରାଜେୟ। କିନ୍ତୁ କ୍ରିକେଟ୍ ମୋତେ ବହୁଥର ପରାଜୟ ଦେଖାଇଛି। କ୍ରିକେଟର୍ ଭାବେ ଅମେ ସଫଳ ହେବା ଅପେକ୍ଷା ଅଧିକ ଥର ବିଫଳ ହେଉ। ମୋ ଦଳ ହାରିଛି, ମୁଁ ଭୁଲ୍ କରିଛି, କିନ୍ତୁ ଗୋଟିଏ ସ୍ଥାନରେ ମୁଁ ପରାଜିତ ହୋଇନି। ସେହି ସ୍ଥାନ ହେଉଛି ଆପଣଙ୍କ ହୃଦୟ। ଆପଣଙ୍କ ଭଲ ପଇବା, ବିଶ୍ବାସ, ସମର୍ଥନ ପାଇଁ ଧନ୍ୟବାଦ। ‘କ୍ୟାପ୍ ୨୭୮’ର ବିଦାୟ’’।
୨୦୨୦-୨୧ରେ ରାହାଣେଙ୍କ ନେତୃତ୍ବରେ ଭାରତ ୨-୧ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଜିତିବା ସର୍ବଦା ମନେରହିବ।ଆଡିଲେଡ୍ ଟେଷ୍ଟ୍ ପରେ ବିରାଟ କୋହଲି ସ୍ବଦେଶ ଫେରିବା ପରେ ଭାରତ ଏହି ବିଜୟ ପାଇଥିଲେ। ନିଜର ଦ୍ବିତୀୟ ରଣଜୀ ଋତୁରେ ୧୦୦୦ରୁ ଊର୍ଦ୍ଧ୍ବ ରନ୍ କରି ସେ ୨୦୧୩ରେ ଭାରତରୁ ଟେଷ୍ଟ୍ ପଦାର୍ପଣ ସୁଯୋଗ ପାଇଥିଲେ। ୨୦୧୪ରେ ଡର୍ବାନ୍ରେ ଭଲ ପ୍ରଦର୍ଶନ କରିବା ପରେ ୱେଲିଂଟନ୍ରେ ପ୍ରଥମ ଟେଷ୍ଟ୍ ଶତକ ହାସଲ କରିଥିଲେ। ଏହାପରେ ଲର୍ଡ୍ସରେ ତାଙ୍କ ୧୦୩ ରନ୍ର ପାଳି ବଳରେ ଭାରତ ଏହି ଭେନ୍ୟୁରେ ୨୮ ବର୍ଷ ପରେ ଟେଷ୍ଟ୍ ବିଜୟ ସ୍ବାଦ ପାଇଥିଲା। ୨୦୨୨ରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। ୨୦୨୩ରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସ ଫାଇନାଲ୍କୁ ଫେରିଥିଲେ ସେ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏହି ମ୍ୟାଚ୍ ହାରିଥିଲେ ମଧ୍ୟ ସେ ଟପ୍ ସ୍କୋରର୍ ରହିଥିଲେ।
ଅଜିଙ୍କ୍ୟ ରାହାଣେଙ୍କ କ୍ରିକେଟ୍ କ୍ୟାରିୟର
ଫର୍ମାଟ୍ ମ୍ୟାଚ୍ ରନ୍ ସର୍ବୋଚ୍ଚ ହାରାହାରି ଷ୍ଟ୍ରାଇକ୍ରେଟ୍ ୧୦୦/୫୦
ଟେଷ୍ଟ୍ ୮୫ ୫୦୭୭ ୧୮୮ ୩୮.୪୬ ୪୯.୫୦ ୧୨/୨୬
ଦିନିକିଆ ୯୦ ୨୯୬୨ ୧୧୧ ୩୫.୨୬ ୭୮.୬୩ ୩/୨୪
ଟ୍ବେଣ୍ଟି-୨୦ ୨୦ ୩୭୫ ୬୧ ୨୦.୮୩ ୧୧୩.୨୯ ୦/୧
ପ୍ରଥମ ଶ୍ରେଣୀ ୨୦୫ ୧୪୨୦୯ ୨୬୫* ୪୪.୯୬ ୫୩.୦୮ ୪୨/୫୯
ଲିଷ୍ଟ୍-ଏ ୧୯୨ ୬୮୫୩ ୧୮୭ ୩୯.୮୪ -- ୧୦/୪୯
ଟ୍ବେଣ୍ଟି-୨୦ଏସ୍ ୨୦୮ ୭୯୬୮ ୧୦୫* ୩୦.୨୯ ୧୨୬.୭୭ ୨/୫୬

56 minutes ago
1


