Puri Rath Yatra Incident ପୁରୀ ରଥଯାତ୍ରାରେ ଅଘଟଣ: ଗୁମୁଟରେ ଅଟକିଲେ ଶ୍ରୀଜଗନ୍ନାଥ, ଠେଲାପେଲା, ୨ ମୃତ ଓ ୭ରୁ ଊର୍ଦ୍ଧ୍ବ ଆହତ

7 hours ago 1
ARTICLE AD BOX

କୌଣସି ‌ଦଳାଚକଟା ସ୍ଥିତି ହୋଇନି, ଅଣନିଃଶ୍ବାସୀରେ ଅନେକ ଆହତ ହୋଇଛନ୍ତି: ରାଜ୍ୟ ସରକାର

ସରକାରଙ୍କ ଅପାରଗତାରୁ ଦଳାଚକଟାରେ ୨ ମୃତ, ୩୬୨ଜଣ ଆହତ ହୋଇଛନ୍ତି: ବିଜେଡି 

ପୁରୀ/ଭୁବନେଶ୍ବର: ସହସ୍ରାଧିକ ପୁଲିସ କର୍ମଚାରୀ, ବର୍ଷକ କାଳ ପ୍ରସ୍ତୁତି, ଘନଘନ ବୈଠକ ପରେ ମଧ୍ୟ ଆଜି ଶ୍ରୀପୁରୁ‌ଷୋତ୍ତମ ପୁରୀ କ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଗୁଣ୍ଡିଚା ଯାତ୍ରାରେ  ଅଘଟଣ ଘଟିଛି। ପହଣ୍ଡି ବେଳେ ଗୁମୁଟ ନିକଟରେ ପ୍ରଭୁ ଜଗନ୍ନାଥ ଗୁମୁଟ ନିକଟରେ ପ୍ରାୟ ୪୦ରୁ ୫୦ ମିନିଟ ଅଟକି ରହିଥିବା ବେଳେ ଲାଗିଥିବା ଟାହିଆକୁ ମଧ୍ୟ ବାହାର କରିଦିଆଯାଇଥିଲା। ଏହି ସମୟରେ ବଡ଼ଦାଣ୍ଡର ମରିଚକୋଟ ଛକ ନିକଟରେ ଦଳାଚକଟା ସ୍ଥିତିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ଏହାକୁ‌ ନେଇ ସମ୍ପ୍ରତି ରାଜନୈତିକ ଚଳଚଞ୍ଚଳ ହୋଇଛି। ଗୋଟିଏ ପଟେ, କୌଣସି ଦଳାଚକଟା ସ୍ଥିତି ନାହିଁ ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କ ମୃତ୍ୟୁଘଟିଛି ବୋଲି ସରକାର ସ୍ପଷ୍ଟୀକରଣ ଦେଇଥିବା ବେଳେ ବିଜେଡି କିନ୍ତୁ ଏହା ସରକାରଙ୍କ ଅପାରଗତା ଦ୍ବାରା ୨ ଭକ୍ତଙ୍କ ମୃତ୍ୟୁ ଓ ୩୬୨ଜଣ ଆହତ ହୋଇଛନ୍ତି ବୋଲି ଅଭିଯୋଗ କରିଛି। 

rathayatra stempede4

ସୂଚନାନୁସାରେ, ଆଜି ପୂର୍ବାହ୍‌ଣରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରାକ୍‌ ପହଣ୍ଡି ଶେଷ ହୋଇଥିଲା। କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବେଳେ ଗୁମୁଟ ନିକଟରେ ପ୍ରାୟ ୪୦ରୁ ୫୦ ମିନିଟ ଅଟକି ରହିଥିଲା। ବର୍ଷା ଓ ଓଜନ ଯୋଗୁଁ ପହଣ୍ଡିରେ ସମସ୍ୟା ହେବାରୁ ଟାହିଆକୁ ମଧ୍ୟ ସେବକମାନେ ହଟାଇଦେଇଥିଲେ। ଏଭଳି ସ୍ଥିତିରେ  ତିନି ଠାକୁରଙ୍କ ରଥ ଉପରକୁ ପହଣ୍ଡି ବିଜେ ହୋଇଥିଲା।  ଚାରମାଳ ଫିଟାଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ସମୟରେ ମରିଚକୋଟ ଛକ ନିକଟରେ ଦଳଚକଟା ସ୍ଥିତି ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତବ୍ୟକ୍ତିଜଣକ କେନ୍ଦୁଝର ଜିଲ୍ଲାର ଅନିଳ ଦାସ (୬୧) ବୋଲି ଜଣାପଡ଼ିଛି। 

rathayatra stempede1

 ଅନ୍ୟଜଣେ ବ୍ୟକ୍ତିଙ୍କ ପୁରୀ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିବା କଥା ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ମୃତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ। ଏହାସହ ଆହୁରି ୭-୮ଜଣ ଏଥିରେ ଆହତ ହୋଇଥିଲେ। ତେବେ ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଜାରି ହୋଇନଥିଲା। 

ବିଜେଡିର ପ୍ରତିକ୍ରିୟା

ସନ୍ଧ୍ୟାରେ ବିଜେଡିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ସ୍ଥାନୀୟ ବିଜେଡି ବିଧାୟକ ସୁନୀଲ ମହାନ୍ତି ଓ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ମୁଖପାତ୍ର ଲେନିନ୍‌ ମହାନ୍ତି ପ୍ରମୁଖ ଚିକିତ୍ସାଳୟରେ ପହଞ୍ଚି ଆହତଙ୍କୁ ଭେଟିଥିଲେ। 

ଏହାପରେ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି, ସକାଳ ୮ ଟାରୁ ବର୍ତ୍ତମାନ ସୁଦ୍ଧା ୩୬୨ ଜଣ ଭକ୍ତ ହସ୍ପିଟାଲରେ ଆଡ଼ମିଶନ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ମୃତ ବରଣ କରିଥିବା ବେଳେ ୧୨୧ ଜଣ ଗୁରୁତର ଆହତ ଏବଂ ୨୩୩ ଜଣ ଆଂଶିକ ଆହତ ତଥା ହସ୍ପିଟାଲରେ ଚିକିତ୍ସାତାଧିନ ଅଛନ୍ତି। 

ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଦାବି କରିବା ସହ ମୃତ ବ୍ୟକ୍ତି ମାନଙ୍କୁ ୨୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଏବଂ ସମସ୍ତ ଗୁରୁତର ଆହତ (ଟ୍ରମା୍ କେସ୍) ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲ ତଥା ଏମ୍ସ କୁ ଉତ୍ତମ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିବାକୁ ବିଜେଡି ପକ୍ଷରୁ କୁହାଯାଇଛି। 

rathayatra stempede2

ସରକାରଙ୍କ ସ୍ପଷ୍ଟୀକରଣ

ରାତି ପ୍ରାୟ ୯ଟା ବେଳକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି। ରଥଯାତ୍ରାରେ କୌଣସି ଦଳାଚକଟା ହୋଇନାହିଁ ବୋଲି କୁହାଯାଇଛି। ପ୍ରକାଶିତ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଛି। ୮-୯ଲକ୍ଷ ଲୋକଙ୍କ ସମାଗମ ହୋଇଛି। ତେବେ ଦଳାଚକଟା ସ୍ଥିତିକୁ ଖଣ୍ଡନ କରି ଏହା ‘ସାମାନ୍ୟ ସ୍ବାସ୍ଥ୍ୟସମସ୍ୟା’ ବୋଲି  କହିଛନ୍ତି। 

Puri Rath Yatra Pushing and shoving: ପୁରୀ ରଥଯାତ୍ରାରେ ଠେଲାପେଲା, ଦୁଇ ଭକ୍ତ ମୃତ, ସଂଖ୍ୟାଧିକ ଆହତ

ବିବୃତିରେ ଉଲ୍ଲେଖ ରହିଛି, ୭ ଜଣ ବ୍ୟକ୍ତି ଅସୁସ୍ଥ ଅନୁଭବ କରୁଥିବା ବ୍ୟକ୍ତିଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଏବଂ  ସେମାନଙ୍କ ମଧ୍ୟରୁ ଜଣେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ପୁରୁଷ ଭକ୍ତଙ୍କ ଦୁର୍ଭାଗ୍ୟବଶତଃ ମୃତ୍ୟୁବରଣ କରିଛନ୍ତି ତେବେ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ ।  ପୃଥକ ଭାବରେ ଆଉ ଏକ ଘଟଣାରେ, ଅନ୍ୟ ଜଣେ ଭକ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । 

ଲଗାଣ ବର୍ଷା ଯୋଗୁଁ ଅନେକ ଭକ୍ତ ଅସୁସ୍ଥ ହୋଇପଡ଼ିଥିଲେ, ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ଉପଯୁକ୍ତ ଚିକିତ୍ସା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଛି।  

ସେହିଭଳି ଘଟଣାକ୍ରମେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶପାଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ହସ୍‌ପିଟାଲ୍‌ ଯାଇ ଆହତଙ୍କୁ ଭେଟି ସ୍ଥିତିର ସମୀକ୍ଷା କରିଛନ୍ତି। ଏହାପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, କୌଣସି ଦଳାଚକଟା ସ୍ଥିତି ହୋଇନାହିଁ। ବର୍ଷା ଓ ପ୍ରବଳ ଜନଗହଳିରେ ଭକ୍ତମାନେ ଅଣନିଃଶ୍ବାସୀ ହୋଇଗଲେ ବୋଲି କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.