Puri Jagannath: ଜନ୍ମବେଦିରେ ବିଜେ କଲେ ମହାପ୍ରଭୁ

5 hours ago 1
ARTICLE AD BOX

ପୁରୀ: ରତ୍ନବେଦି ଛାଡ଼ି ରଥଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ଜନ୍ମବେଦିରେ ବିରାଜମାନ କରିଛନ୍ତି। ମହାପ୍ରଭୁ ଏଥର ରଥରେ ଗଡ଼ିବା ବେଳେ ବିଳମ୍ବ କରିଥିଲେ। କିନ୍ତୁ ରଥରୁ ପହଣ୍ଡି ବେଳେ ସଅଳ ସଅଳ ଆଗେଇ ଚାଲିଥିଲେ। ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇଭଉଣୀଙ୍କ ସହ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ଗୋଟି ପହଣ୍ଡିରେ ଏହି ନୀତି ଅନୁଷ୍ଠିତ ହୋଇଛି। 

ପ୍ରଥମେ ଶ୍ରୀରାମ, ଶ୍ରୀକୃଷ୍ଣ ଓ ମଦନମୋହନ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ପରେ ପ୍ରଭୁ ସୁଦର୍ଶନ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ଲଗେଇ ଝୁଲିଝୁଲି ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିଥିଲେ। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର। ପହଣ୍ଡି ପ୍ରାୟ ୮ଟାରେ ଆରମ୍ଭ ହୋଇଥିଲା। ରାତି ୧୦ଟା ୪୦ ସୁଦ୍ଧା ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିସାରିଥିଲେ।

ଭକ୍ତମାନେ ଆସନ୍ତାକାଲି (ରବିବାର) ଠାରୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଇବେ। ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ। ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ଜନ୍ମବେଦି ଯୋଗ କୁହାଯାଏ। ଜନ୍ମବେଦି ମହାପ୍ରଭୁଙ୍କ ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ପୁରାଣରେ ଉଲ୍ଲେଖ ରହିଛି। ଏଥିପାଇଁ ରଥାଯାତ୍ରାରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।  

ଶୁକ୍ରବାର ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ରଥ ଉପରେ ଦୈନିନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ଗତକାଲି ତିନି ରଥରେ ଚନ୍ଦନଲାଗି ହୋଇଥିଲା। ବଡ଼ସିଂହାର ବେଶ କରାଯାଇଥିଲା। ବଡ଼ସିଂହାର ବେଶ ଶେଷ ପରେ ବଡ଼ସିଂହାର ଭୋଗ ହୋଇଥିଲା। ଭୋଗ ନୀତି ସଂପନ୍ନ ହୋଇଥିଲା। ପରେ ରଥ ଉପରେ ରାତ୍ର ପହୁଡ଼ ହୋଇଥିଲା। ଆଜି ସକାଳୁ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ରଥ ଉପରେ ଗୋପାଳବଲ୍ଲଭ ଓ ଅନ୍ୟାନ୍ୟ ଭୋଗ ନୀତି ସଂପନ୍ନ ହୋଇଥିଲା। ତିନି ରଥରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ବେଶ ପରେ ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାଧୂପ ପରେ ଘୋଡ଼ା ଫିଟା ଓ ଚାରବନ୍ଧା ଆରମ୍ଭ ହୋଇଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.