ARTICLE AD BOX
ପୁରୀ: କେବୁଲ ମରାମତି କରିବାକୁ ଆସିଥିଲେ, ଶବ ହୋଇ ଫେରିଲେ। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ କେବୁଲ କର୍ମଚାରୀ ପ୍ରାଣ ହରାଇଛନ୍ତି। ପୁରୀ ବଳିଆପଣ୍ଡା ଥାନା ପରିସରରେ ଏହି ମର୍ମନ୍ତୁଦ ଅଘଟଣ ଘଟିଛି। ଅନ୍ୟପଟେ ମୃତକଙ୍କ ପରିବାରକୁ ଖବର ଦେବାରେ ବିଳମ୍ବ ଓ ଶବ ଦେଖିବାକୁ ନେଇ ଅସନ୍ତୋଷ ଉଗ୍ରରୂପ ନେଇଛି। ପରିବାର ଓ ସଂପର୍କୀୟ ଶବଗୃହ ଗେଟ୍ ଭାଙ୍ଗି ଶବ ଦେଖିବା ସହ କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି। ମୃତକ ଦ୍ୱୟ ହେଲେ ବାପି ପ୍ରଧାନ (୨୬) ଓ ସୁବ୍ରତ ସାହୁ (୨୮)। ଉଭୟ ବଳିଆପଣ୍ଡା ଥାନା ଅଞ୍ଚଳର ବାସିନ୍ଦା। ସେମାନେ ଏକ ଟିଭି କେବୁଲ ଅପରେଟର୍ ସଂସ୍ଥାରେ କାର୍ଯ୍ୟ କରୁଥିଲେ।
Horoscope 2026 October 19: ଜାଣନ୍ତୁ ଆଜିର ରାଶିଫଳ
ଏସ୍ପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ,ରବିବାର ଅପରାହ୍ଣ ପ୍ରାୟ ୪ଟାରୁ ସାଢ଼େ ୪ଟା ମଧ୍ୟରେ ବାପି ଓ ସୁବ୍ରତ ବଳିଆପଣ୍ଡା ଥାନା ପରିସରରେ କେବୁଲ ମରାମତି କାମ କରିବାକୁ ଆସିଥିଲେ। ଉପରକୁ କେବୁଲ ତାର ଫିଙ୍ଗିବା ବେଳେ ତାହା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଉଭୟ ଗୁରୁତର ଆଘାତ ପାଇ ତଳେ ପଡ଼ିଯାଇଥିଲେ। ପୁଲିସ ଉଭୟଙ୍କୁ ସିପିଆର୍ ଦେଇଥିଲା। ମାତ୍ର ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନଥିଲା। ପରେ ଥାନା ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଯୁବକଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଶବକୁ ଶବଗୃହ ଭିତରକୁ ନିଆଯାଇ ସାରିଥିଲା।
କ୍ଷତିପୂରଣ ଦାବିରେ ଶବଗୃହ ଆଗରେ ଧାରଣା
ଗେଟ୍ ଭାଙ୍ଗି ଶବ ଦେଖିଲେ ପରିବାର
Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ
ଥାନା ପକ୍ଷରୁ ଠିକ୍ ସମୟରେ ପରିବାରକୁ ଖବର ଦିଆଯାଇ ନଥିବା ଏବଂ ସମ୍ପୃକ୍ତ କେବୁଲ ସଂସ୍ଥା ପକ୍ଷରୁ କୌଣସି ସୂଚନା ମିଳି ନଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରିବାର ଲୋକେ ଶବ ଦେଖିବାକୁ ଚାହିଁଥିଲେ। ଏହାକୁ ନେଇ ବିବାଦ ତୀବ୍ର ହୋଇଥିଲା। ଶେଷରେ ଉତ୍ତ୍ୟକ୍ତ ସମ୍ପର୍କୀୟମାନେ ଶବଗୃହର ଗେଟ୍ ଭାଙ୍ଗି ଭିତରକୁ ପଶି ଶବ ଦେଖିଥିବା ଜଣାପଡ଼ିଛି। କେବୁଲ ସଂସ୍ଥା କ୍ଷତିପୂରଣ ଦେବା ଦାବିରେ ଶବ ବ୍ୟବଚ୍ଛେଦ ଗୃହ ସମ୍ମୁଖରେ ପରିବାର ଓ ସମ୍ପର୍କୀୟ ଧାରଣା ଦେଇଛନ୍ତି। କେବୁଲ ମରାମତି ଭଳି କାମ କରିବା ସମୟରେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ତାର ନିକଟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନିଆଯାଇଥିଲା କି ନାହିଁ, କର୍ମଚାରୀମାନଙ୍କୁ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିଲା କି ନାହିଁ ଏବଂ ଅଘଟଣର ପ୍ରକୃତ କାରଣ କ’ଣ, ସେନେଇ ତଦନ୍ତ ଚାଲିଛି।

1 hour ago
1


