ARTICLE AD BOX
ନୂଆଦିଲ୍ଲୀ: ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ସହିତ ଅନ୍ୟାନ୍ୟ ଦାବିକୁ ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍ବିୟୁ) ପକ୍ଷରୁ ଆସନ୍ତା ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ଗ୍ରାହକଙ୍କ ପାଇଁ ଏଟିଏମ୍ କାରବାର ଚାର୍ଜ ଉଚ୍ଛେଦ ଘୋଷଣା କରାଯାଇଛି। ଅର୍ଥାତ୍ ଏହି ୩ ଦିନରେ ଏସ୍ବିଆଇର ଗ୍ରାହକମାନେ ଦେଶର ଯେକୌଣସି ଏଟିଏମ୍ରୁ ଟଙ୍କା ଉଠାଇଲେ ସେମାନଙ୍କୁ ଚାର୍ଜ ଲାଗିବ ନାହିଁ।
ସାମାଜିକ ଗଣମାଧ୍ୟମ ଏକ୍ସରେ ଏ ନେଇ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଧର୍ମଘଟ ସମୟରେ ଏସ୍ବିଆଇର ଡିଜିଟାଲ ସେବା ଯଥା ମୋବାଇଲ୍ ବ୍ୟାଙ୍କିଂ, ଇଣ୍ଟରନେଟ ବ୍ୟାଙ୍କିଂ, ହ୍ବାଟ୍ସଆପ୍ ବ୍ୟାଙ୍କିଂ ଆଦି ମଧ୍ୟ ଉପଲବ୍ଧ ରହିବ। ଗ୍ରାହକମାନେ ସେମାନଙ୍କ ନିୟମିତ ବ୍ୟାଙ୍କିଂ କାର୍ଯ୍ୟ ଯଥା ରିମିଟାନ୍ସ ଓ ପେମେଣ୍ଟ ଆଦି ୟୁପିଆଇ, ଆଇଏମ୍ପିଏସ୍, ଏନ୍ଇଏଫ୍ଟି ଓ ଆର୍ଟିଜିଏସ୍ ଜରିଆରେ କରିପାରିବେ। ପ୍ରସ୍ତାବିତ ଧର୍ମଘଟ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ୨୭ ତାରିଖ (ରବିବାର) ଶାଖା ଖୋଲିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ରବିବାରକୁ କାର୍ଯ୍ୟଦିବସ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାରୁ ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ଏହାକୁ ବିରୋଧ କରିଛନ୍ତି।

43 minutes ago
1


