Protest: ଜାତିଭିତ୍ତିକ ସଂରକ୍ଷଣ ବିରୋଧରେ ଆନ୍ଦୋଳନ ତେଜିଲା; ରାସ୍ତାକୁ ଓହ୍ଲାଇଲେ ସାଧାରଣ ବର୍ଗ

3 hours ago 1
ARTICLE AD BOX

ନୂଆଦିଲ୍ଲୀ: ଦେଶରେ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଚାଲିଥିବା ଅସନ୍ତୋଷ ଏବେ ଉଗ୍ର ରୂପ ଧାରଣ କରୁଛି। ମହାରାଷ୍ଟ୍ରର ନାଗପୁର, ଉତ୍ତର ପ୍ରଦେଶର ଲକ୍ଷ୍ନୌ, ରାଜସ୍ଥାନର ଜୟପୁର ଏବଂ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଭଳି ବିଭିନ୍ନ ପ୍ରମୁଖ ସହରରେ ସଂରକ୍ଷଣ ବିରୋଧୀ ବିଶାଳ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ବିତର୍କରୁ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ଛାତ୍ର ନେତା ହର୍ଷ ଦୁବେ ବର୍ତ୍ତମାନ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଆନ୍ଦୋଳନ ପାଇଁ ଅନୁମତିକୁ ଅପେକ୍ଷା କରିଥିବା ବେଳେ ଅନ୍‌ଲାଇନରେ ‘ସଂରକ୍ଷଣ ହଟାଓ ଆନ୍ଦୋଳନ’ ପେଜ୍‌ ପ୍ରାୟ ୫୯ ଲକ୍ଷ ଅନୁଗାମୀଙ୍କ ସହ ଏହି ସ୍ୱରକୁ ଆହୁରି ଶାଣିତ କରିଛି।

ଆଗକୁ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟଗୁଡ଼ିକରେ ୨୦୨୭ରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ, ଜାତିଭିତ୍ତିକ ରାଜନୀତିର ଏହି ବିସ୍ଫୋରକ ପ୍ରସଙ୍ଗ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି। ଏହି ଆନ୍ଦୋଳନର ସବୁଠାରୁ ଭୟଙ୍କର ରୂପ ରାଜସ୍ଥାନର ଜୟପୁରଠାରେ ଦେଖିବାକୁ ମିଳିଛି, ଯେଉଁଠାରେ ଶ୍ରୀ ରାଜପୁତ କରଣୀ ସେନାର ମୁଖ୍ୟ ମହିପାଳ ସିଂହ ମକରାନାଙ୍କ ନେତୃତ୍ୱରେ ହଜାର ହଜାର ପ୍ରତିବାଦକାରୀ ୮୦ କିମି ଦୀର୍ଘ ପଦଯାତ୍ରା ଶେଷ କରି ଜୟପୁରରେ ପହଞ୍ଚିଥିଲେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ୨୦୨୬ ଜାତି ସମାନତା ନିୟମାବଳୀକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବିଜେପି କାର୍ଯ୍ୟାଳୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେବା ସମୟରେ ପୁଲିସ ସହ ସଂଘର୍ଷ ଘଟିଥିଲା। 

ପୁଲିସର ଲାଠିଚାଳନା ଏବଂ ପାଣି ମାଡ଼ ଯୋଗୁଁ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ପୁଲିସ କାର୍ଯ୍ୟାନୁଷ୍ଠାନରେ କ୍ଷୁବ୍ଧ ହୋଇ ମହିପାଳ ସିଂହ ମକରାନା ନିଜ ସମର୍ଥକମାନଙ୍କୁ ଆଗାମୀ ସ୍ଥାନୀୟ ସ୍ୱାୟତ୍ତ ଶାସନ ଏବଂ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେପି ବିରୋଧରେ ଭୋଟ୍‌ ଦେବାକୁ ଆରାଧ୍ୟ ଦେବତାଙ୍କ ନାମରେ ଶପଥ ପାଠ କରାଇଛନ୍ତି। ଏହି ଘଟଣାକୁ ନେଇ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବର୍ତ୍ତମାନର ସରକାରଙ୍କୁ ସ୍ୱେଚ୍ଛାଚାରୀ ବୋଲି ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ, ଜୁଲାଇ ୩୦ ତାରିଖରେ ମହାରାଷ୍ଟ୍ରର ନାଗପୁରଠାରେ ‘ସଂରକ୍ଷଣ ହଟାଓ ଆନ୍ଦୋଳନ’ପକ୍ଷରୁ ପ୍ରାୟ ୨,୦୦୦ ଲୋକଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାର କିଛି ଦିନ ପରେ ଅଗଷ୍ଟ ୩ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ସହିଦ ସ୍ମାରକୀ ଏବଂ ହଜରତଗଞ୍ଜ ଅଞ୍ଚଳରେ ସାଧାରଣ ବର୍ଗର ହଜାର ହଜାର ପ୍ରତିବାଦକାରୀ ରାଜପଥକୁ ଓହ୍ଲାଇ ୟୁଜିସି ନିୟମର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରିଥିଲେ। 

ସେହିପରି ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ ଜନ ଜାଗରଣ ସମିତି ଅଧୀନରେ ନିଟ୍‌ ଆଶାୟୀ ଛାତ୍ରଛାତ୍ରୀମାନେ ମୁହଁରେ କଳା କପଡ଼ା ବାନ୍ଧି ସଂରକ୍ଷଣ ବ୍ୟବସ୍ଥାକୁ ଜାତି ପରିବର୍ତ୍ତେ ଅର୍ଥନୈତିକ ଆଧାରରେ କରିବାକୁ ନୀରବ ପ୍ରତିବାଦ କରିଛନ୍ତି।

International Tiger Day 2026 ନନ୍ଦନକାନନରେ ବାଘ ଦିବସ : ବାଘ ସଂରକ୍ଷଣ ବାର୍ତ୍ତା ଦେଇ ଫଟୋ ଉଠାଇଲେ ମନ୍ତ୍ରୀ

ଆନ୍ଦୋଳନକାରୀଙ୍କ ପକ୍ଷରୁ ଗୋଟିଏ ପରିବାର, ‘ଗୋଟିଏ ସଂରକ୍ଷଣ, ଗୋଟିଏ ସୁଯୋଗ’ ନୀତି ଲାଗୁ କରିବା, ସର୍ବନିମ୍ନ ଯୋଗ୍ୟତା ମାର୍କ ରଖିବା ଏବଂ ନିର୍ବାଚନ ସମୟରେ ସଂରକ୍ଷଣ ପ୍ରତିଶ୍ରୁତି ଉପରେ ନିଷେଧାଦେଶ ଜାରି କରିବା ପାଇଁ ୫ ଦଫା ପ୍ରସ୍ତାବ ଉପସ୍ଥାପନ କରାଯାଇଛି।ଏହି ବଢ଼ୁଥିବା ଜନଅସନ୍ତୋଷ ସରକାରଙ୍କ ପାଇଁ ଏକ ବଡ଼ ରାଜନୈତିକ ସଙ୍କଟ ସୃଷ୍ଟି କରିଛି, ବିଶେଷକରି ଗତ ନିର୍ବାଚନରେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମେଣ୍ଟର ‘ପଛୁଆ, ଦଳିତ, ଆଦିବାସୀ’(ପିଡିଏ) ସମୀକରଣ ପରେ ବିଜେପି ଏହି ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ଅଡ଼ୁଆରେ ପଡ଼ିଛି।

ଅନ୍ୟପକ୍ଷରେ ଏହି ଆନ୍ଦୋଳନକୁ ନେଇ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଚେତାବନୀ ଦେଇଛନ୍ତି ଯେ କେହି ବି ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ଅଧିକାରକୁ ଛଡ଼ାଇ ନେଇପାରିବେ ନାହିଁ ଏବଂ ଦେଶର ଯୁବପିଢ଼ିଙ୍କୁ ଉସୁକାଉଥିବା ସମାଜବିରୋଧୀଙ୍କ ବିରୋଧରେ ଦୃଢ଼ ଜବାବ ଦିଆଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.