ARTICLE AD BOX
ନୂଆଦିଲ୍ଲୀ: ଗରିବ ଓ ମଧ୍ୟବିତ୍ତ ପରିବାରଗୁଡ଼ିକ ଗତ ଦୁଇ ମାସ ଧରି ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି। କ୍ଷୀର, ଘିଅ, ବଟରଠାରୁ ଆରମ୍ଭ କରି ଡିଟରଜେଣ୍ଟ, ସାବୁନ ଓ ସିଗାରେଟ୍ ପର୍ଯ୍ୟନ୍ତ ଅନେକ ଦୈନନ୍ଦିନ ସାମଗ୍ରୀର ଦାମ୍ ବଢ଼ିଛି। ଗତ ଦୁଇ ମାସ ମଧ୍ୟରେ ବିଭିନ୍ନ କମ୍ପାନି ଏହି ଦରବୃଦ୍ଧି କରିଥିବାରୁ ଗ୍ରାହକଙ୍କ ପକେଟ୍ ଉପରେ ତାହାର ସିଧାସଳଖ ପ୍ରଭାବ ପଡ଼ିଛି। ନଭେମ୍ବର ୧୨ରୁ ଅମୁଲ ଓ ମଦର ଡାଏରି କ୍ଷୀର ଦାମ୍ ବଢ଼ାଇଥିବା ବେଳେ ହିନ୍ଦୁସ୍ତାନ ୟୁନିଲିଭର ସର୍ଫ ଏକ୍ସେଲ୍, ରିନ୍ ଓ ହ୍ୱିଲ୍ ଡିଟରଜେଣ୍ଟର ଦାମ୍ ବଢ଼ାଇଛି। ସେହିପରି ଆଇଟିସି ଗୋଲ୍ଡ ଫ୍ଲେକ୍ ସିଗାରେଟ୍ ଦାମ୍ ବଢ଼ାଇଥିବା ବେଳେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ମଧ୍ୟ ମହଙ୍ଗା ହୋଇଛି।
ଆଜିଠାରୁ ଅମୁଲ ଓ ମଦର ଡେରିର ଦୁଗ୍ଧ ଦର ଲିଟର ପିଛା ୨-୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଗୋଖାଦ୍ୟ, ପ୍ୟାକେଜିଂ ଉପକରଣ ଆଦିର ଦରବୃଦ୍ଧି ପରେ ଏହି ଦୁଇ କମ୍ପାନି ସେମାନଙ୍କ କ୍ଷୀର ଦର ବଢ଼ାଇଛନ୍ତି। କର୍ଣ୍ଣାଟକରେ ନନ୍ଦିନୀ ବ୍ରାଣ୍ଡ୍ର କ୍ଷୀର ଦାମ୍ ନଭେମ୍ବର ୧ରୁ ଲିଟର ପିଛା ୮ରୁ ୧୨ ଟଙ୍କା ବଢ଼ିଛି। ଏହାର ଦହି ଦାମ୍ ମଧ୍ୟ ବଢ଼ିଛି। ୫୦୦ ଗ୍ରାମ୍ ଦହି ପ୍ୟାକେଟ୍ ୨୮ରୁ ୩୪ ଟଙ୍କା ଓ ୧ ଲିଟର ଦହି ୫୪ରୁ ୬୮ ଟଙ୍କା ହୋଇଛି। ଗୋଖାଦ୍ୟ ଦାମ୍ ବୃଦ୍ଧି, ମରୁଡ଼ି ପରିସ୍ଥିତି ଓ କ୍ଷୀର ଯୋଗାଣ କମିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି। ଅମୁଲ ୧ କେଜି ଘିଅ ପ୍ୟାକେଟ୍ର ଦାମ୍ ୬୩୦ରୁ ୬୮୦ ଟଙ୍କା କରିଛି। ୫୦୦ ଗ୍ରାମ୍ ଘିଅ ପ୍ୟାକେଟ୍ ୩୨୫ରୁ ୩୪୫ ଟଙ୍କା ହୋଇଛି। ସେହିପରି ୧୦୦ ଗ୍ରାମ୍ ବଟର ୬୩ରୁ ୬୬ ଟଙ୍କା ଓ ୫୦୦ ଗ୍ରାମ୍ ବଟର ୩୧୦ରୁ ୩୨୫ ଟଙ୍କା ହୋଇଛି। ତାମିଲନାଡୁର ଆଭିନ୍ ମଧ୍ୟ ଘିଅ ଦାମ୍ ବଢ଼ାଇଛି।
Price Hike: ଭୋଜନ ଥାଳିରେ ଦରବୃଦ୍ଧି ଚାପ
ହିନ୍ଦୁସ୍ତାନ ୟୁନିଲିଭର୍ ଏହାର ଡିଟରଜେଣ୍ଟ ଉତ୍ପାଦଗୁଡ଼ିକର ଦାମ୍ ୧୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛି। ସର୍ଫ ଏକ୍ସେଲ୍ କ୍ୱିକ୍ ୱାସ୍ ୧ କେଜି ପ୍ୟାକେଟ୍ ୨୩୫ରୁ ୨୪୫ ଟଙ୍କା ହୋଇଛି। ୫୦୦ ଗ୍ରାମ୍ ପ୍ୟାକେଟ୍ ୧୨୩ରୁ ୧୨୮ ଟଙ୍କା ହୋଇଛି। ସର୍ଫ ଏକ୍ସେଲ୍ ଇଜି ୱାସ୍ ୧ କେଜି ୧୬୭ରୁ ୧୭୨ ଟଙ୍କା ଓ ୫୦୦ ଗ୍ରାମ୍ ୮୫ରୁ ୮୭ ଟଙ୍କା ହୋଇଛି। ରିନ୍ ଓ ହ୍ୱିଲ୍ ଡିଟରଜେଣ୍ଟର ଦାମ୍ ମଧ୍ୟ ୧ରୁ ୫ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ମୋତି ଗୁଲାବ ସାବୁନ୍ ୭୪ରୁ ୮୨ ଟଙ୍କା ହୋଇଛି।
କଞ୍ଚାମାଲ୍ ଓ ଅନ୍ୟ ଉତ୍ପାଦନ ଖର୍ଚ୍ଚ ବଢ଼ିବାରୁ ଏଚ୍ୟୁଏଲ୍ ଦାମ୍ ବଢ଼ାଇଛି। ଆଇଟିସି ଗୋଲ୍ଡ ଫ୍ଲେକ୍ ପ୍ରିମିୟମ୍ ସିଗାରେଟ୍ର ୧୦ଟି ଥିବା ପ୍ୟାକେଟ୍ ଦାମ୍ ୧୨୫ରୁ ୧୩୫ ଟଙ୍କା କରିଛି। ଚଳିତ ବର୍ଷ ଜୁନ୍ରେ ମଧ୍ୟ ଏହାର ଦାମ୍ ୧୧୫ରୁ ୧୨୫ ଟଙ୍କା ହୋଇଥିଲା। ଅର୍ଥାତ୍ ଚଳିତ ବର୍ଷ ଏହି ସିଗାରେଟ୍ ପ୍ୟାକେଟ୍ ମୋଟ ୨୦ ଟଙ୍କା ମହଙ୍ଗା ହୋଇଛି। ହୋଟେଲ୍, ରେସ୍ତୋରାଁ ଓ ଅନ୍ୟ ବ୍ୟବସାୟିକ ସଂସ୍ଥାରେ ବ୍ୟବହାର ହେଉଥିବା ୧୯ କେଜି ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦାମ୍ ଦିଲ୍ଲୀରେ ଦୁଇ ମାସରେ ୭୨ ଟଙ୍କା ୫୦ ପଇସା ବଢ଼ିଛି। ସେହିପରି ବିମାନ ଇନ୍ଧନର ଦାମ୍ ମଧ୍ୟ ଲଗାତାର ଚତୁର୍ଥ ମାସ ପାଇଁ ବଢ଼ିଛି। ଏହାର ପ୍ରଭାବ ବିମାନ କମ୍ପାନିଗୁଡ଼ିକର ପରିଚାଳନା ଖର୍ଚ୍ଚ ଉପରେ ପଡ଼ିବ।

5 hours ago
2


