ARTICLE AD BOX
ମଧ୍ୟପ୍ରଦେଶର ସିପ୍ରାନଦୀ କୂଳରେ ଉଜ୍ଜୟିନୀ ନଗରୀ ମଧ୍ୟରେ ରହିଛନ୍ତି ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ। ସେ କାଳ ବା ସମୟର ଅଧିପତି। ଏହି ମନ୍ଦିର ଦକ୍ଷିଣାଭିମୁଖୀ ଶିବଲିଙ୍ଗ ନିମିତ୍ତ ପ୍ରସିଦ୍ଧ।
ଦକ୍ଷିଣ ମୂର୍ତ୍ତି–ଦେବଦେବ ମହାଦେବଙ୍କର ଏକ ବିଶେଷ ରୂପ। ଦାକ୍ଷିଣ୍ୟ ଶବ୍ଦର ଅର୍ଥ କରୁଣା ବା ଦୟା। ତେଣୁ ଏହି କରୁଣାମୂର୍ତ୍ତି ଭକ୍ତଙ୍କର କଳୁଷ ହରଣ ଓ ଜ୍ଞାନ ପ୍ରଦାନ କରି ମୁକ୍ତିର ପଥ ପ୍ରଦର୍ଶକ ହୁଅନ୍ତି। ଦକ୍ଷିଣାମୂର୍ତ୍ତି ଶିବଙ୍କର ଆଦିଗୁରୁ ରୂପ। ଏହି ରୂପରେ ମହାଦେବ ତାଙ୍କର ଭକ୍ତମାନଙ୍କୁ ଯୋଗ, ଧ୍ୟାନ, ସଂଗୀତ, ଶସ୍ତ୍ର ଓ ଶାସ୍ତ୍ରଜ୍ଞାନ ସହିତ ଦିବ୍ୟ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରିଥାନ୍ତି। ସାଧାରଣତଃ ମନ୍ଦିରମାନଙ୍କର ଦକ୍ଷିଣ ଦିଗରେ ମହାଦେବଙ୍କର ଏହି ମୂର୍ତ୍ତି ସ୍ଥାପିତ ହୋଇଥାଏ। ଏହି ମହାଦେବ ଏକ ବଟବୃକ୍ଷ ମୂଳରେ ବ୍ୟାଘ୍ରଚର୍ମ ଉପରେ ବୀରାସନରେ ଉପବେଶନ କରିଥାନ୍ତି। ପାଦତଳେ ଥାଏ ଅଜ୍ଞାନରୂପୀ ଅପସ୍ମାର ଅସୁର। ଚତୁର୍ପାର୍ଶ୍ବରେ ବେଢ଼ି ରହିଥାନ୍ତି, ସନକ, ସନାତନ, ସନନ୍ଦନ, ସନତ୍କୁମାର ଆଦି ବ୍ରହ୍ମାଙ୍କର ଚାରି ମାନସପୁତ୍ର। ମହାଦେବ ଏକ ହାତରେ ସୃଷ୍ଟିର ପ୍ରତୀକ ଭାବରେ ଡମ୍ବରୁ ଓ ଧ୍ବଂସର ପ୍ରତୀକ ଭାବରେ ଅଗ୍ନିପାତ୍ର ଧାରଣ କରିଥାନ୍ତି। ଅନ୍ୟ ଦୁଇ ହାତ ଆଶୀର୍ବାଦ ମୁଦ୍ରା ଓ ଧ୍ୟାନମୁଦ୍ରାରେ ଜପା ମାଳି ଧାରଣ କରିଥାନ୍ତି।
Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା
ମହାକାଳେଶ୍ବର ଶିବଲିଙ୍ଗ ସ୍ବୟଂ ଦକ୍ଷିଣାଭିମୁଖୀ। କୁହାଯାଏ, ଏହି ଲିଙ୍ଗ ଥିବା ସ୍ଥାନ ବସୁଧାର ନାଭିକେନ୍ଦ୍ର। ସେ ସ୍ବୟଂ ମହାକାଳର ପ୍ରତୀକ ହେଲା ବେଳେ, ପ୍ରତ୍ୟହ ପ୍ରଭାତ କାଳରେ ହେଉଥିବା ତାଙ୍କର ଭସ୍ମ-ଆଳତି ଜୀବଲୋକର ମହାସତ୍ୟକୁ ପ୍ରତିପାଦନ କରିଥାଏ। ଅର୍ଥାତ୍ ଯାହାର ସୃଷ୍ଟି ଅଛି ତାହାର ଧ୍ବଂସ ଅପରିହାର୍ଯ୍ୟ। ମହାକାଳଙ୍କର ଶରୀର ତେଣୁ ଭସ୍ମବିଲେପିତ। ମହାକାଳ ମନ୍ଦିରଟି ପାଞ୍ଚ ମହଲା ବିଶିଷ୍ଟ। ଗର୍ଭଗୃହ ବ୍ୟତୀତ ଏଠାରେ ଗଣେଶ, ପାର୍ବତୀ, କାର୍ତ୍ତିକେୟ ଓ ନନ୍ଦୀଙ୍କର ପ୍ରତିମା ରହିଛି। ତୃତୀୟ ମହଲାରେ ନାଗଚନ୍ଦ୍ରେଶ୍ବରଙ୍କର ମନ୍ଦିର ରହିଛି, ଯାହା କେବଳ ନାଗ ପଞ୍ଚମୀ ଦିନ ଖୋଲା ଯାଇଥାଏ। ଭକ୍ତମାନଙ୍କର ସୁବିଧା ନିମିତ୍ତ ଏବଂ ମନ୍ଦିରର ଭବ୍ୟତା ପ୍ରଦର୍ଶନ ନିମିତ୍ତ ମହାକାଳଲୋକ ନାମକ ଏକ ପ୍ରଦକ୍ଷିଣ ପଥ ନିର୍ମାଣ କରାଯାଇଛି। ମନ୍ଦିରର ଶିଖର ଗଗନଚୁମ୍ବୀ। ଏହି ମନ୍ଦିର ଭୂମିଜା, ମରାଠା ଓ ଚାଲୁକ୍ୟ ଭାସ୍କର୍ଯ୍ୟ ଶୈଳୀର ଏକ ଅନୁପମ ସଂମିଶ୍ରଣ।
Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ
ପୌରାଣିକ କଥା ଅନୁଯାୟୀ, ଅବନ୍ତୀର ରାଜା ଚନ୍ଦ୍ରସେନ ଓ ତାଙ୍କର ପ୍ରଜାମାନେ ଅତ୍ୟନ୍ତ ଶିବଭକ୍ତ ଥିଲେ। ଏକଦା ସେମାନଙ୍କୁ ଦୂଷଣନାମକ ଏକ ରାକ୍ଷସ ପୀଡ଼ିତ କରିବାକୁ ଲାଗିଲା। ଆତୁର ହୋଇ ରାଜା ଓ ପ୍ରଜା ଶିବଙ୍କୁ ପ୍ରାର୍ଥନା କଲେ। ନିଜ ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ ଭୂମି ମଧ୍ୟରୁ ମହାକାଳ ରୂପରେ ପ୍ରକଟିତ ହୋଇ ସେ ରାକ୍ଷସକୁ ବଧ କଲେ। ପ୍ରଜାମାନଙ୍କର ଅନୁରୋଧରେ ମହାକାଳ ସେଠାରେ ଜ୍ୟୋତିର୍ଲିଙ୍ଗ ରୂପରେ ବିରାଜମାନ ହେଲେ। ଯେ ହେଲେ ମୃତ୍ୟୁଲୋକର ସ୍ବାମୀ। ପୁରାଣର ବର୍ଣ୍ଣନା ଅନୁଯାୟୀ, ଏଠାରେ ସାନ୍ଦୀପନି ମୁନିଙ୍କର ଆଶ୍ରମ ଥିଲା– ଯେଉଁଠି ରାମ ଓ କୃଷ୍ଣ ଶିକ୍ଷାଗ୍ରହଣ କରିଥିଲେ। ତେଣୁ ଏହି ମନ୍ଦିରକୁ ବହୁ ପ୍ରାଚୀନ କାଳର ବୋଲି ଗଣାଯାଏ। ମନ୍ଦିର ନିକଟରେ ଏକ ଜଳସ୍ରୋତ ରହିଛି। ତାହାକୁ କୋଟିତୀର୍ଥ କହନ୍ତି। ଏଠାରେ ଥିଲା ବିକ୍ରମାଦିତ୍ୟଙ୍କର ସିଂହାସନ। ସଂପ୍ରତି ୩୦ଫୁଟ ଉଚ୍ଚର ଏକ ବିକ୍ରମାଦିତ୍ୟ ସିଂହାସନ ବ୍ରୋଞ୍ଚରେ ନିର୍ମିତ ହେବା ସହିତ ବତ୍ରିଶ ସିଂହାସନର ବତିଶ ଅପସରାମାନଙ୍କର ବ୍ରୋଞ୍ଚ ମୂର୍ତ୍ତି ମଧ୍ୟ ନିର୍ମିତ ହୋଇଛି। ଯେଉଁମାନେ ମହାକାଳେଶ୍ବରଙ୍କ ଦର୍ଶନକୁ ଆସନ୍ତି ସେମାନେ ଏହି କିଂବଦନ୍ତି ଓ ଇତିହାସପ୍ରସିଦ୍ଧ ବତ୍ରିଶସିଂହାସନକୁ ଦର୍ଶନ କରି ଭାରତ ଇତିହାସର ଗୌରବାବହ ଅଧ୍ୟାୟକୁ ସ୍ମରଣ କରିଥାନ୍ତି।

1 week ago
4

