ARTICLE AD BOX
ନୂଆଦିଲ୍ଲୀ: ରାଜନୀତିରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଦକ୍ଷିଣ ଭାରତୀୟ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଓ ତାଙ୍କ ପତ୍ନୀ ଅନ୍ନା କୋନିଡେଲା ଦୀର୍ଘ ୧୩ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଉଛନ୍ତି। ପାରସ୍ପରିକ ବୁଝାମଣା ଓ ସମ୍ମାନର ସହ ଅଲଗା ହେବାକୁ ଉଭୟ ନିଷ୍ପତ୍ତି ନେଇଥିବା ଏକ ମିଳିତ ବିବୃତିରେ ଜଣାଇଛନ୍ତି। ସୋମବାର ବିଳମ୍ବିତ ରାତିରେ ପୱନଙ୍କ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ଏହି ବିବୃତି ପୋଷ୍ଟ କରାଯାଇଥିଲା।
ବିବୃତିରେ ଉଭୟ କହିଛନ୍ତି ଯେ, ବୈବାହିକ ସମ୍ପର୍କର ଅନ୍ତ ଘଟିଲେ ମଧ୍ୟ ସେମାନଙ୍କ ମଧ୍ୟରେ ବନ୍ଧୁତା ଅତୁଟ ରହିବ। ଏଥିସହ ନିଜ ପିଲାମାନଙ୍କ ପ୍ରତି ସମର୍ପିତ ଅଭିଭାବକ ଭାବେ ଦାୟିତ୍ୱ ତୁଲାଇବେ। ପିଲାମାନଙ୍କ ଖୁସି ଓ ଭବିଷ୍ୟତ ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଏଥିସହ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ପ୍ରଶଂସକ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ଅନୁରୋଧ କରିବା ସହ ଏହି ଯାତ୍ରାରେ ସାଥ୍ ଦେଇଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଆହୁରି ପଢନ୍ତୁ: Tamil Nadu: ୨୨ କୋଟି ଟଙ୍କାର ବ୍ୟାଙ୍କ୍ ଜାଲିଆତି ପରେ ତାମିଲନାଡ଼ୁ ସରକାରକୁ ବିଜେପିର ଟାର୍ଗେଟ୍
ଉଲ୍ଲେଖଯୋଗ୍ୟ, ପୱନ କଲ୍ୟାଣଙ୍କର ଏହା ତୃତୀୟ ବିବାହ ବିଚ୍ଛେଦ। ୧୯୯୭ରେ ସେ ନନ୍ଦିନୀଙ୍କୁ ବିବାହ କରିଥିବା ବେଳେ ୧୯୯୯ରେ ଉଭୟ ଅଲଗା ହୋଇଥିଲେ। ପରେ ୨୦୦୯ରେ ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ। ଏହି ବିବାହରୁ ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ୨୦୧୨ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏହାର ପରବର୍ଷ, ଅର୍ଥାତ୍ ୨୦୧୩ରେ ସେ ରୁଷୀୟ ମୂଳ ବାସିନ୍ଦା ଅନ୍ନାଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ପୋଲେନା ଅଞ୍ଜନା ପବନୋଭା ଓ ମାର୍କ ଶଙ୍କର ପବନୋଭିଚ୍ ନାମରେ ଦୁଇ ସନ୍ତାନ ଅଛନ୍ତି।
ଆହୁରି ପଢନ୍ତୁ: Credit: ଏମ୍ଏସ୍ଏମ୍ଇକୁ ଅଧିକ ଋଣ ସୁବିଧା ଦାବିକଲା ପିଏଚ୍ଡିସିସିଆଇ
ଅଭିନେତା ଚିରଞ୍ଜୀବୀ ଓ ନାଗେନ୍ଦ୍ର ବାବୁଙ୍କ ସାନ ଭାଇ ପୱନ ୧୯୯୬ରେ ‘ଆକ୍କଡା ଆମ୍ମାୟି ଇକ୍କଡା ଆବ୍ବାୟି’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ। ୨୦୦୮ରେ ବଡ଼ ଭାଇ ଚିରଞ୍ଜୀବୀଙ୍କ ଦ୍ୱାରା ଗଠିତ ପ୍ରଜା ରାଜ୍ୟମ୍ ପାର୍ଟିର ଯୁବ ଶାଖା ‘ଯୁବରାଜ୍ୟମ୍’ର ସଭାପତି ଭାବେ ସେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୧ରେ ପ୍ରଜା ରାଜ୍ୟମ୍ କଂଗ୍ରେସରେ ମିଶିବା ପରେ ସେ ଅସନ୍ତୋଷ ପ୍ରକାଶ କରି କିଛି ସମୟ ପାଇଁ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ୨୦୧୪ ମାର୍ଚ୍ଚରେ ସେ ଜନସେନା ପାର୍ଟି ଗଠନ କରିଥିଲେ।
୨୦୧୯ ନିର୍ବାଚନରେ ଗଜୁୱାକା ଓ ଭୀମାଭରମ୍ ଆସନରୁ ଲଢ଼ି ସେ ପରାଜିତ ହୋଇଥିଲେ। ତାଙ୍କ ଦଳ ୧୪୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କେବଳ ରାଜୋଲେ ଆସନରେ ବିଜୟୀ ହୋଇଥିଲା। ତେବେ ୨୦୨୪ ନିର୍ବାଚନରେ ଜନସେନା, ଟିଡିପି ଓ ବିଜେପି ମଧ୍ୟରେ ମେଣ୍ଟ ଗଠନରେ ପୱନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏହି ମେଣ୍ଟ ବିପୁଳ ବିଜୟ ହାସଲ କରିଥିବା ବେଳେ ଜନସେନା ଲଢ଼ିଥିବା ସମସ୍ତ ଆସନରେ ଜିତିଥିଲା। ୨୦୨୪ ଜୁନ୍ ୧୪ରେ ପୱନ କଲ୍ୟାଣ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

1 hour ago
1


