ARTICLE AD BOX
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ-ରାଇରଙ୍ଗପୁର ମୁଖ୍ୟ ରାସ୍ତାର ସିମିଳିନାଳିଠାରେ ବିଜୁ ସେତୁ ଯୋଜନାରେ ପୂର୍ତ ବିଭାଗ ପକ୍ଷରୁ ପୋଲ ନିର୍ମାଣ ହେଉଛି। ଏହି କାର୍ଯ୍ୟ ଫେବ୍ରୁଆରି ୨୦୧୯ରୁ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟ ଆରମ୍ଭ ହୋଇ ୭ ବର୍ଷରୁ ଅଧିକ ହେଲାଣି ଏବେ ବି ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଏହା ବ୍ୟତୀତ ନିର୍ମାଣ ହୋଇଥିବା ରାସ୍ତାର ଚିପ୍ସ ମଧ୍ୟ କିଛି କିଛି ସ୍ଥାନରେ ଉଠି ଯାଉଥିବା ଓ ରାସ୍ତାରେ ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ତୋ କିଛି ସ୍ଥାନରେ ଛୋଟ ଛୋଟ ଗଛରେ ଜଙ୍ଗଲ ସୃଷ୍ଟି ହେଲାଣି।
ଉକ୍ତ କାର୍ଯ୍ୟଟି ବିଜୁ ସେତୁ ଯୋଜାନାରେ ପୋଲ ସହିତ ରାସ୍ତା ନିର୍ମାଣ କରାଯାଉଛି। ଏହାର ଅଟକଳ ମୂଲ୍ୟ ୨ କୋଟି ୧୧ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ କାର୍ଯ୍ୟ କରାଯାଉଛି। ଏବେ ୨୦୨୬ ମସିହା ନଭେମ୍ବର ମାସ ହେଲାଣି କିନ୍ତୁ ଅଧାରେ ପୋଡି ରହିଛି। ପୋଲ ସମେତ ରାସ୍ତା ମଧ୍ୟ ନିର୍ମାଣ ଚାଲିଛି ତାହା ବି ସମ୍ପୂର୍ଣ ହୋଇନାହିଁ। ଏହି ରାସ୍ତା ଦେଇ ଦୈନିକ ଲକ୍ଷାଧିକ ଜନସାଧାରଣ ଯିବା ଆସିବା କରିଥାନ୍ତି। ତା ସହିତ ଉକ୍ତ ରାସ୍ତା ପଡୋଶୀ ଝାଡଖଣ୍ଡ ରାଜ୍ୟ ସହିତ ସଂଯୋଗ କରୁଛି।
ପଡୋଶୀ ଝାଡଖଣ୍ଡର ଟାଟା ନଗର (ଜାମସେଦପୁର)କୁ ବ୍ୟବସାୟିକ କାର୍ଯ୍ୟ ପାଇଁ ଗମନାଗମନ କରିବା ପାଇଁ ସର୍ଟକର୍ଟ ରାସ୍ତା ରହିଛି। ତେବେ ଏ ସମ୍ବନ୍ଧରେ ପୂର୍ତ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା। ତେବେ ଉକ୍ତ ରାସ୍ତାରେ ବ୍ରିଟିଶ ଅମଳରୁ ନିର୍ମାଣ ହୋଇଥିବା ପୋଲ ଅବସ୍ଥା ଶୋଚନୀୟ ହୋଇପଡ଼ି ଥିବାରୁ କେତେବେଳେ ବି ଭୁଶୁଡିବାର ସମ୍ଭାବନା ରହିଛି। ତଥାପି ପଥଚାରୀମାନେ ବାଧ୍ୟ ହୋଇ ଉକ୍ତ ପୋଲ ଦେଇ ବିପଦ ସଂକୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ଏହା ବ୍ୟତୀତ ଉକ୍ତ ପୋଲ ଉପର ଦେଇ ପ୍ରତ୍ୟେକ ଦିନ ଶହଶହ ଭାରି ଯାନ ଗୁଡିକ ଯିବା ଆସିବା କରିଥାଏ। ଏଣୁ ଯଥାଶୀଘ୍ର ଉକ୍ତ ପୋଲ ଓ ରାସ୍ତା କାର୍ଯ୍ୟ ଶେଷ କରିବାକୁ ସ୍ଥାନୀୟ ଲୋକେ ପାଇଁ ଦାବି କରିଛନ୍ତି।
ବାଲିଯାତ୍ରାରେ ରାସ୍ତାକଡ଼ରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କଲେ ହାଇକୋର୍ଟ
/filters:format(webp)/sambad/media/media_files/2026/11/10/img-20261110-wa0007-2026-11-10-21-00-59.jpg)
ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଇରଙ୍ଗପୁର ବ୍ଲକ୍ କୁଲେଇଶିଳା ଗ୍ରାପର ଛତ୍ରମଣ୍ଡଳଠାରୁ ବିଜାତଳା ବ୍ଲକର ଭିମଖନ୍ଦା ଗ୍ରାମ ମଧ୍ୟରେ ଥିବା କାତ୍ରା ନାଳ ସେତୁ ଅସମ୍ପୂର୍ଣ ନେଇ ଗ୍ରାମବାସୀ ହନ୍ତସନ୍ତ। ଉକ୍ତ ପ୍ରକଳ୍ପ ଓମବାଡିସିର ଓଡ଼ିଶାର ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ଉକ୍ତ ରାସ୍ତା କାର୍ଯ୍ୟଟି ୨୦୧୯ ମସିହା ୨୧ ଅଗଷ୍ଟରେ ଆରମ୍ଭ ହୋଇ ୨୧ ଫେବ୍ରୁଆରି ୨୦୨୧ରେ ସମ୍ପୂର୍ଣ ହେବା ନେଇ ସୂଚନା ଫକଳ ଲଗାଯାଇଥିଲା। ତାହାର ଅଟକଳ ମୂଲ୍ୟ ୫ କୋଟି ୬୨ ଲକ୍ଷ ୨୬ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା କିନ୍ତୁ ସମ୍ପୂର୍ଣ ହେବାର ଅବଧିଠାରୁ ୭ ବର୍ଷରୁ ଅଧିକ ବିତିଗଲାଣି କିନ୍ତୁ ସମ୍ପୂର୍ଣ ହୋଇନାହିଁ। ପୂର୍ବରୁ ଥିବା ପୁରୁଣା ରାସ୍ତାକୁ ୨ ଫୁଟରୁ ଊର୍ଦ୍ଧ୍ବ ଗର୍ତ୍ତ କରି ତାଡିବା ପରେ କାର୍ଯ୍ୟ ଅଧାପନ୍ତରିଆ କରି ଛାଡି ଦେଇଛନ୍ତି, ଏଣୁ ଉକ୍ତ ରାସ୍ତାଦେଇ ଗମନାଗମନ କରୁଥିବା ୧୦ରୁ ଅଧିକ ଗ୍ରାମର ଗ୍ରାମବାସୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ତେବେ ଟିକିଏ ବର୍ଷା ସେଠାରେ ପାଣି ଜମିରହୁଛି, ଯାହା ଫଳରେ ଯାତ୍ରୀମାନେ ଗର୍ତ୍ତ ଥିବା ଜାଣିନପାରି ବାଇକ୍, ସାଇକେଲ ଆଦିରୁ ପଡିହୋଇ ଖଣ୍ଡିଆ ଖାବରା ହୋଇ ଆହତ ହେଉଛନ୍ତି। ତେବେ ଉକ୍ତ ରାସ୍ତା ଦେଇ ଆମ୍ବୁଲାନ୍ସ କିମ୍ବା ଅନ୍ୟାନ ଚାରି ଚକିଆ ଯାନ ଯାତାୟତ କରିପାରୁନଥିବାରୁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବର୍ତମାନ ସୁଦ୍ଧା ମାତ୍ର ୭୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ ହୋଇଛି। ଉକ୍ତ ସ୍ଥାନପରି ଅଧିକାଂଶ ସ୍ଥାନରେ ଛୋଟିଆ ପୋଲ(କଲଭର୍ଟ) ନିର୍ମାଣ ହେବ ବୋଲି କହି ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ରହିଛି।
ସୂଚନାଯୋଗ୍ୟଯେ ରାସ୍ତା କାର୍ଯ୍ୟରେ ବ୍ୟବହାର କରିବା ପାଇଁ ରଖିଥିବା ସାମଗ୍ରୀ ସମେତ ସୂଚନାଫକଳ ମଧ୍ୟ ଉକ୍ତସ୍ଥାନରୁ ଠିକା ସଂସ୍ଥା ଉଠାଇ ନେଇଥିବା ଦେଖିବାକୁ ମିଳିଛି। ତେବେ ଏସମ୍ବନ୍ଧରେ ଗ୍ରାମ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।

51 minutes ago
1


