ARTICLE AD BOX
ହରିଦ୍ବାରା: ବିଶ୍ବ ଆୟୁର୍ବେଦ ଦିବସ ଅବସରରେ ଉତ୍ତରାଖଣ୍ଡର ହରିଦ୍ବାରରେ ବିଶ୍ବର ପ୍ରଥମ ଆୟୁର୍ବେଦିକ ଗୁରୁକୁଳ ‘ପତଞ୍ଜଳି ଆୟୁର୍ବେଦ ଗୁରୁକୁଳମ’କୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଧାମି କହିଥିଲେ, ଏହି ଗୁରୁକୁଳମ ସହିତ ଆମ ସନାତନ ପରମ୍ପରାକୁ ଆଧୁନିକ ଜ୍ଞାନ ଓ ଯୁଗ ସହିତ ଯୋଡ଼ିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁକୁଳରେ ଜ୍ଞାନ ସହିତ ଜୀବନ କିଭଳି ବଞ୍ଚିବାକୁ ହୁଏ ତାହା ଶିଖାଯାଇଥାଏ।
କାର୍ଯ୍ୟକ୍ରମରେ ବାବା ରାମଦେବ କହିଥିଲେ, ଏହି ଗୁରୁକୁଳମ ମାଧ୍ୟମରେ ସଂସ୍କୃତର ବିଦ୍ବାନମାନେ ବିଏଏମ୍ଏସ୍ କରିପାରିବେ। ଆୟୁର୍ବେଦର ପ୍ରାଚୀନ ପରମ୍ପରା ସହିତ ଆଧୁନିକ ବିଜ୍ଞାନକୁ ଯୋଡ଼ି ପତଞ୍ଜଳି ଏକ ନୂଆ ଅଭିଯାନ ଆରମ୍ଭ କରିଛି ଯାହା ଫଳରେ ସାରା ବିଶ୍ବରେ ଆୟୁର୍ବେଦର ପ୍ରତିଷ୍ଠା ବୃଦ୍ଧି ପାଇବ।
ଆଚାର୍ଯ୍ୟ ବାଳକୃଷ୍ଣ ମଧ୍ୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ସଂସ୍କୃତ ଛାତ୍ରଛାତ୍ରୀଙ୍କ ପାଇଁ ବିଏଏମ୍ଏସ୍ ପାଠ୍ୟକ୍ରମ ଆରମ୍ଭ କରାଯାଇଥିବା ସେ କହିଥିଲେ। କାର୍ଯ୍ୟକ୍ରମରେ ପତଞ୍ଜଳି ଆୟୁର୍ବେଦ ଗୁରୁକୁଳମର ୱେବସାଇଟ୍ ଓ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଉତ୍ତରାଖଣ୍ଡର ଆୟୁଷ ମନ୍ତ୍ରୀ ମଦନ କୌଶିକ, ଭାରତୀୟ ଶିକ୍ଷା ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ୍ ପି ସିଂହ, ଉତ୍ତରାଖଣ୍ଡର ବହୁ ବିଧାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

5 days ago
5


