Paddy Crop Destroyed: ଅମଳ ପୂର୍ବରୁ ଧାନ ଫସଲରେ ବିଷର ଖେଳ: ଘାସମରା ଔଷଧ ପକାଇ ୬ ଏକର ଫସଲ ନଷ୍ଟ ଅଭିଯୋଗ

46 minutes ago 1
ARTICLE AD BOX

କାମାକ୍ଷାନଗର(ରାକେଶ କୁମାର ଦେହୁରୀ): ଅମଳ ପୂର୍ବରୁ ଧାନ ଫସଲରେ ଖେଳିଗଲା ବିଷର ଖେଳ। ରାତିରେ ଧାନ ଜମିରେ ଘାସମରା ଔଷଧ ପକାଇ ପ୍ରାୟ ୬ ଏକର ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ । ଆଖି ଆଗରେ ଶୁଖିଗଲା ସୁନାର ଫସଲ । ଏବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ। ଏ ଦୃଶ୍ୟ ହେଉଛି କାମାକ୍ଷାନଗର ଥାନା ଜୟପୁରାକାଟେଣୀ ପଞ୍ଚାୟତ କାଦବସନ୍ତ ଗାଁ ଘୁଣ୍ଟୁଣୀପଶି ଅଞ୍ଚଳର । ଜମିରେ ହସୁଥିଲା ପାଚିବାକୁ ଥିବା ଧାନ । ଆଉ କିଛି ଦିନ ପରେ ହୋଇଥାଆନ୍ତା ଅମଳ । ହେଲେ ଚାଷୀଙ୍କ ଏହି ଆଶା ଉପରେ ପାଣି ପକାଇଦେଇଛି ଦୁର୍ବୃତ୍ତଙ୍କ କାରନାମା । ରାତିରେ କେହି ଧାନ ଜମିରେ ଘାସମରା ଔଷଧ ପକାଇ ଦେଇଥିବା ଅଭିଯୋଗ ହୋଇଛି । ସକାଳୁ ଜମିକୁ ଯାଇ ଧାନ ଗଛର ଅବସ୍ଥା ଦେଖି ଚାଷୀଙ୍କ ମୁଣ୍ଡରେ ଚଡ଼କ । ଧୀରେ ଧୀରେ ଶୁଖିଯାଉଛି ଧାନ ଗଛ । ପ୍ରାୟ ୬ ଏକର ଜମିର ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । 

ହଗୁରୁ ଦେହୁରୀ, ଭଞ୍ଜ ଦେହୁରୀ, କଷ୍ଟୁ ବେହେରା, ଆନନ୍ଦ ବେହେରା, ସୁବଳ ଦେହୁରୀଙ୍କ ସମେତ ଅନେକ ଚାଷୀ ଏଥିରେ ପ୍ରଭାବିତ ହୋଇଛନ୍ତି । ଅମଳ ପାଇଁ ଧାନ ପ୍ରସ୍ତୁତ ହୋଇଥିଲା । ବହୁ ଟଙ୍କା ଖର୍ଚ୍ଚ କରିଥିଲୁ । ରାତିରେ କିଏ ଔଷଧ ପକାଇଦେଲା ଜାଣିନାହୁଁ । ଆମର ସବୁ ଫସଲ ନଷ୍ଟ ହୋଇଗଲା । ଘଟଣାର ତଦନ୍ତ କରି ଦୋଷୀଙ୍କୁ ଧରାଯାଉ ଓ ଆମକୁ କ୍ଷତିପୂରଣ ଦିଆଯାଉ ବୋଲି ସେମାନେ କହିଛନ୍ତି ।

ଚାଷୀଙ୍କ କହିବା କଥା, ଧାନ ହେଉଛି ସେମାନଙ୍କ ପରିବାର ଚଳାଇବାର ମୁଖ୍ୟ ଆଶା । ଜମି ପ୍ରସ୍ତୁତିଠାରୁ ରୋଇବା, ସାର ଓ ଔଷଧ ପକାଇବା ପର୍ଯ୍ୟନ୍ତ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ଅମଳ ପୂର୍ବରୁ ଫସଲ ନଷ୍ଟ ହୋଇଯିବାରୁ ଏବେ ସେମାନେ ଆର୍ଥିକ ସଙ୍କଟରେ ।କିଏ ଓ କାହିଁକି ଧାନ ଜମିରେ ଘାସମରା ଔଷଧ ପକାଇଲା, ତାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ଘଟଣାର ନିରପେକ୍ଷ ତଦନ୍ତ ସହ ନଷ୍ଟ ହୋଇଥିବା ଫସଲର ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି । ଦୋଷୀ ଚିହ୍ନଟ ହେଲେ ତାଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି ।

FIR: ପ୍ରଧାନଶିକ୍ଷକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.