Odisha: ଓଡ଼ିଶା ପଞ୍ଚମ ମହଙ୍ଗା ବଜାର: ଖୁଚୁରା ମୁଦ୍ରାସ୍ଫୀତି ୭% ଉପରେ, ଗ୍ରାମାଞ୍ଚଳରେ ଚାପ ଅଧିକ

3 hours ago 2
ARTICLE AD BOX

ଭୁବନେଶ୍ବର: ଦରବୃଦ୍ଧିରେ ଓଡ଼ିଶାବାସୀ ଅତିଷ୍ଠ ହୋଇ ପଡ଼ିଲେଣି। ପିଆଜଠାରୁ ଆରମ୍ଭ କରି ଚିନି, ଖାଇବା ତେଲ, ଚାଉଳ, କ୍ଷୀର, ପନିପରିବା ପର୍ଯ୍ୟନ୍ତ ପ୍ରାୟ ସବୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ମହଙ୍ଗା ହେବା ପରେ ଅଳ୍ପ ରୋଜଗାରରେ ଘର ଚଳାଇବା କଷ୍ଟକର ହୋଇପଡ଼ିଛି। ସେଥିପାଇଁ ଗତ ଅକ୍ଟୋବରରେ ଖାଉଟିଙ୍କ ଉପରେ ଦରବୃଦ୍ଧି ଚାପ ଚଳିତ ବର୍ଷରେ ସର୍ବାଧିକ ଥିଲା। ଏହା ପରିସଂଖ୍ୟାନରେ ମଧ୍ୟ ପ୍ରତିଫଳିତ ହୋଇଛି। ଅକ୍ଟୋବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ପୀତି ହାର ୭.୧୭% ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇଛି। ଓଡ଼ିଶା ସାରା ଦେଶରେ ପଞ୍ଚମ ମହଙ୍ଗା ବଜାର ଭାବେ ଉଭା ହୋଇଛି। ଏହା ଉପରକୁ ମଧ୍ୟପ୍ରଦେଶ (୭.୧୯%), ଆନ୍ଧ୍ରପ୍ରଦେଶ (୭.୨୫%), ତେଲେଙ୍ଗାନା (୭.୨୬%) ଓ ତାମିଲନାଡ଼ୁ (୭.୨୯%) ରହିଛନ୍ତି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ଓଡ଼ିଶାର ଗ୍ରାମାଞ୍ଚଳରେ ଦରଦାମ୍‌ ଚାପ ଅଧିକ ରହିଛି। ସାଧାରଣତଃ ଗ୍ରାମାଞ୍ଚଳର ବାସିନ୍ଦାମାନେ କୃଷିଜାତ ସାମଗ୍ରୀ ବ୍ୟବହାର କରିଥାନ୍ତି। ଯଦି କୌଣସି ଜିନିଷକୁ ସେମାନେ ଅଧିକ ଦାମ୍‌ ଦେଇ କିଣୁଛନ୍ତି, ତା’ର ଅର୍ଥ ହେଉଛି କୃଷିଜାତ ସାମଗ୍ରୀ ସେମାନଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନାହିଁ। ସେମାନେ ବାଧ୍ୟ ହୋଇ ନିଜ ଆବଶ୍ୟକତାକୁ ବଜାର ଜରିଆରେ ପୂରଣ କରୁଛନ୍ତି। ସେଥିପାଇଁ ରାଜ୍ୟର ଗ୍ରାମୀଣ ମୁଦ୍ରାସ୍ଫୀତି ହାର ଗତ ଅକ୍ଟୋବରରେ ୭.୭୪% ହୋଇଛି। ସହରାଞ୍ଚଳରେ ମୁଦ୍ରାସ୍ଫୀତି ହାର ଅପେକ୍ଷାକୃତ କମ୍‌ ୫.୬୩% ରହିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୬.୭୦% ଥିଲା। ଏହି ମାସରେ ଗ୍ରାମୀଣ ଓ ସହରାଞ୍ଚଳ ମୁଦ୍ରାସ୍ଫୀତି ଯଥାକ୍ରମେ ୭.୨୪% ଓ ୫.୨୩% ଥିଲା।

କେବଳ ଓଡ଼ିଶା ନୁହେଁ, ବର୍ତ୍ତମାନ ସାରା ଦେଶ ଦରଦାମ୍‌ ସମସ୍ୟା ଦେଇ ଗତି କରୁଛି। ଜାତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୦୯%କୁ ବୃଦ୍ଧି ପାଇଛି, ଯାହା ଗତ ୧୨ ମାସ ମଧ୍ୟରେ ସର୍ବାଧିକ। ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୯୪%କୁ ବୃଦ୍ଧି ପାଇଛି। ଗତ ଅକ୍ଟୋବରରେ ସର୍ବାଧିକ ମହଙ୍ଗା ସାମଗ୍ରୀ ଥିଲା ପିଆଜ, ଅଦା, ରସୁଣ, ଲେମ୍ବୁ ଓ ରୁପା ଗହଣା। ସେହିପରି ସର୍ବାଧିକ ଶସ୍ତା ହୋଇଥିବା ୫ଟି ଜିନିଷ ଥିଲା ଆଳୁ, ଫୁଲକୋବି, ନଡ଼ିଆ, ବାଇଗଣ ଓ ବନ୍ଧାକୋବି। ଏଭଳି ସ୍ଥିତି ସମ୍ପର୍କରେ ନାଇଜର୍‌ର ସହକାରୀ ପ୍ରଫେସର ଅମରେନ୍ଦ୍ର ଦାସ କହିଛନ୍ତି, ପିଆଜ ଓ ଲେମ୍ବୁ ପାଇଁ ଓଡ଼ିଶାରେ ଖାଦ୍ୟ ମୁଦ୍ରାସ୍ଫୀତି ଅଧିକ ହୋଇଛି। ଯେହେତୁ ଏହି ଦୁଇ ଜିନିଷ ରାଜ୍ୟବାସୀ ଅଧିକ ପରିମାଣରେ ବ୍ୟବହାର କରୁଛନ୍ତି ଏବଂ ପିଆଜ ଆବଶ୍ୟକତା ମୁଖ୍ୟତଃ ବାହାର ରାଜ୍ୟ ଜରିଆରେ ପୂରଣ କରାଯାଉଛି, ସେଥିପାଇଁ ଦରଦାମ୍‌ ବେଲଗାମ ହୋଇଛି। ଅନ୍ୟ ପକ୍ଷରେ ସହରରୁ ଗ୍ରାମାଞ୍ଚଳକୁ ବିକ୍ରି ପାଇଁ ଯାଉଥିବା ଜିନିଷଗୁଡ଼ିକର ଦାମ୍‌ ପରିବହନ ଖର୍ଚ୍ଚ ମିଶିବା ପରେ ସେଠାରେ ଅଧିକ ଦାମ୍‌ରେ ବିକ୍ରି ହେଉଛି। 

ମୁଦ୍ରାସ୍ଫୀତି ହେଉଛି ସାଧାରଣ ଜନତାଙ୍କ ଦୈନନ୍ଦିନ ଜୀବନରେ ଗୁରୁତ୍ବ ରଖୁଥିବା ଜିନିଷଗୁଡ଼ିକର ଦରରେ କୌଣସି ଏକ ନିର୍ଦ୍ଦିଷ୍ଟ ମାସରେ ହେଉଥିବା ବୃଦ୍ଧିର ଶତାଂଶ। ଏହି ହାରକୁ ୪%ରୁ ନିମ୍ନ ସ୍ତରରେ ରଖିବା ଏବଂ ଯେକୌଣସି ପରିସ୍ଥିତିରେ ମଧ୍ୟ ୬%ରୁ ଅଧିକ ହେବାକୁ ନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସରକାର ଦାୟିତ୍ବ ଦେଇଛନ୍ତି। ଚଳିତ ମାସରେ ଏହି ହାର ୬%ରୁ ଅଧିକ ହୋଇଯାଇଥିବାରୁ ଆଗାମୀ ଦିନରେ ରିଜର୍ଭ ବ୍ୟାଙ୍କକୁ ଦର ନିୟନ୍ତ୍ରଣ ପାଇଁ ସୁଧହାର ବୃଦ୍ଧି ଭଳି କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ, ଯାହା ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା ରହିଛି।

କେଉଁ ରାଜ୍ୟରେ କେତେ
ରାଜ୍ୟ    ଖୁଚୁରା ମୁଦ୍ରାସ୍ଫୀତି
ତାମିଲନାଡ଼ୁ    ୭.୨୯%
ତେଲେଙ୍ଗାନା    ୭.୨୬%
ଆନ୍ଧ୍ରପ୍ରଦେଶ    ୭.୨୫%
ମଧ୍ୟପ୍ରଦେଶ    ୭.୧୯%
ଓଡ଼ିଶା    ୭.୧୭%

Read Entire Article
LEFT SIDEBAR AD

Hidden in mobile, Best for skyscrapers.