Odisha women: ଐତିହାସିକ ‘ମାଉଣ୍ଟ ୟୁନମ୍‌’ ଅଭିଯାନରେ ଓଡ଼ିଶା ମହିଳା: ଉଡ଼ାଇବେ ୮୦ ଫୁଟର ତ୍ରିରଙ୍ଗା

1 week ago 5
ARTICLE AD BOX

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ମହିଳା ପର୍ବତାରୋହୀ ଦଳ ହିମାଚଳ ପ୍ରଦେଶର ୨୦ ହଜାର ୧୦୦ ଫୁଟ ଉଚ୍ଚରେ ଥିବା ମାଉଣ୍ଟ୍‌ ୟୁନମ୍‌ ଶିଖର ଆରୋହଣ ଅଭିଯାନରେ ବାହାରିଛନ୍ତି। ଓଡ଼ିଶାର ୧୧ ଜଣ ନିର୍ଭୀକ ମହିଳା ନିଜ ସାହସ, ଆତ୍ମବିଶ୍ୱାସ ଓ ଦେଶପ୍ରେମର ପ୍ରତୀକ ଭାବେ  ୮୦ତମ ସ୍ବାଧୀନତା ଦିବସ ଉପଲକ୍ଷେ ହିମାଳୟ ପର୍ବତ ଶୃଙ୍ଖଳାର ଏହି ଆହ୍ବାନପୂର୍ଣ୍ଣ ଶିଖରରେ ୮୦ ମିଟର ଲମ୍ବ ଜାତୀୟ ପତାକା ଉତ୍ତୋଳନ କରିବାର ସଙ୍କଳ୍ପ ନେଇ ଶୁକ୍ରବାରଠାରୁ ଏହି ରେକର୍ଡ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ସେମାନେ ଅଗଷ୍ଟ ୧୫ ସ୍ବାଧୀନତା ଅବସରରେ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦଳରେ ୫ ଜଣ ଅଭିଜ୍ଞ ପର୍ବତାରୋହୀଙ୍କ ସହ ୫ ଜଣ ସଦସ୍ୟ ନୂଆ କରି ସାମିଲ ହୋଇଛନ୍ତି। ପର୍ବତାରୋହଣ କ୍ଷେତ୍ରରେ ୧୧ରୁ ଅଧିକ ବର୍ଷର ଅଭିଜ୍ଞତା ଥିବା ଭୁବନେଶ୍ବରର ଅନିତା ସ୍ବାଇଁ ଦଳର ନେତୃତ୍ବ ନେଉଛନ୍ତି। ଇତିହାସ ରଚିବା ଆଶା ନେଇ ଗତ ଏକ ମାସ ହେବ କଠିନ ଅଭ୍ୟାସ କରି ଆସୁଥିବା ଏହି ସଂପୂର୍ଣ୍ଣ ମହିଳା ଦଳରେ ୧୩ ବର୍ଷୀୟା ଆରାଧ୍ୟା ଜେନାଙ୍କ ଉପସ୍ଥିତି ଏହାକୁ ଅଧିକ ସ୍ବତନ୍ତ୍ର କରିଛି। ତାଙ୍କ ଅଂଶଗ୍ରହଣ ଓଡ଼ିଶାର ନୂଆ ପିଢ଼ିର ସାହସ, ସ୍ୱପ୍ନ ଓ ଆତ୍ମବିଶ୍ୱାସର ପ୍ରତୀକ ହୋଇଛି। ଏହି ଅଭିଯାତ୍ରୀ ଦଳ  ହିମାଚଳପ୍ରଦେଶର ସୋଲାଙ୍ଗ ଉପତ୍ୟକା, ଜିସ୍ପା ଓ ଭରତପୁର ଦେଇ ପର୍ଯ୍ୟାୟକ୍ରମେ ଆଗକୁ ବଢ଼ିବ। ଶିବିର-୧ ସ୍ଥାପନ ପରେ ଦଳ ଶିଖର ଆରୋହଣ ପାଇଁ ଶେଷ ଯାତ୍ରାର ପଥିକ ହେବ।

ଉଡ଼ାଇବେ ୮୦ ଫୁଟର ତ୍ରିରଙ୍ଗା
ଦୁଃସାହସିକ କ୍ରୀଡ଼ାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ

ଓଡ଼ିଶାର ମହିଳାଙ୍କ ମଧ୍ୟରେ ପର୍ବତାରୋହଣକୁ ଲୋକପ୍ରିୟ କରାଇବା ଏବଂ ଏହି ଦୁଃସାହସିକ କ୍ରୀଡ଼ାକୁ ଘରେଘରେ ପହଞ୍ଚାଇବା ଏହି ଅଭିଯାନର ମୂଳଲକ୍ଷ୍ୟ ବୋଲି ଏହି ବିରଳ ଅଭିଯାନର ମୁଖ୍ୟ ଆୟୋଜକ, ପୃଷ୍ଠପୋଷକ ତଥା ଏଭରେଷ୍ଟ ବିଜୟୀ ଗଣେଶ ଜେନା କହିଛନ୍ତି। ମାଉଣ୍ଟ୍‌ ୟୁନମ ବିଜୟ ଲାଗି ତାଙ୍କ ତତ୍ତ୍ବାବଧାନରେ  ପର୍ବତାରୋହୀମାନେ  ଗତ ଏକ ମାସ ହେବ ଫିଟନେସ୍, ସହନଶୀଳତା, ଉଚ୍ଚତାରେ ଅଭ୍ୟାସ ଓ ପର୍ବତାରୋହଣ କୌଶଳ ଉପରେ କଠିନ ପ୍ରଶିକ୍ଷଣ ନେଉଥିଲେ। ପୂର୍ଣ୍ଣ ଆତ୍ମବିଶ୍ୱାସ ଓ ଦାୟିତ୍ୱବୋଧ ସହ ଏହି ଚ୍ୟାଲେଞ୍ଜ ପାଇଁ ସମଗ୍ର ଦଳ ପୂରା ପ୍ରସ୍ତୁତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଅଭିଯାନକୁ ଆସା (ଆସୋସିଏସନ୍‌ ଫର୍‌ ଆଡଭେଞ୍ଚର ଆଣ୍ଡ ‌ସୋସିଆଲ ଆକ୍ଟିଭିଟିଜ୍‌) ଏବଂ ସଙ୍କେତ କମ୍ୟୁନିକେସନ ମିଳିତ ଭାବେ ଆୟୋଜନ କରୁଛନ୍ତି। ‘ଆସା’ର ଉପସଭାପତି ହରେଶ କୁମାର ମିଶ୍ର କହିଛନ୍ତି, ଏହି ଅଭିଯାନ ଓଡ଼ିଶାର ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ କରିବ। ସଙ୍କେତ କମ୍ୟୁନିକେସନ୍ସର ପରିଚାଳନା ନିର୍ଦ୍ଦେଶକ ଶୁଭାଶିଷ ତ୍ରିପାଠୀ କହିଛନ୍ତି, କିଛି ଯାତ୍ରା କେବଳ ପ୍ରଶଂସା ପାଇଁ ନୁହେଁ, ଦୃଢ଼ ସମର୍ଥନର ମଧ୍ୟ ହକ୍‌ଦାର। ୨୦୨୬ ମସିହାରେ ଓଡ଼ିଶା ଶତବାର୍ଷିକୀ ପାଳନ ପୂର୍ବରୁ ଆଉ ଜଣେ ଲେଖାଏଁ ପୁରୁଷ ଓ ମହିଳା ଏଭରେଷ୍ଟ୍‌ ଆରୋହଣ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ ଆଶା ପ୍ରକଟ କରିଥିଲେ। ‘ଆସା’ ସହିତ ସଙ୍କେତ ଆଗାମୀ ୫ ବର୍ଷ ଧରି ଏକାଧିକ ଦୁଃସାହସିକ କାର୍ଯ୍ୟକଳାପ କରି ଏହାକୁ ଆଗକୁ ନେବ ବୋଲି ସେ ସୂଚନା ବି ଦେଇଥିଲେ। 

ସୂଚନାଯୋଗ୍ୟ ଯେ ଗୁରୁବାର ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ସୁଧାକର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ବତାରୋହଣ ଓ ଦୁଃସାହସିକ କ୍ରୀଡ଼ାକୁ ପ୍ରୋ‌ତ୍ସାହନ ଦେବା ଲାଗି ବିଭାଗ ବିଭିନ୍ନ ପଦକ୍ଷେପ ହାତକୁ ନେଇଥିବା ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି କହିଥିଲେ। ଏହା ପୂର୍ବରୁ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ପର୍ବତାରୋହୀ ଦଳକୁ ନିଜ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପତାକା ହସ୍ତାନ୍ତର କରି ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ। 
ଅଭିଯାତ୍ରୀ ଦଳ: ଅନିତା ସ୍ବାଇଁ, ପ୍ରଭାସିନୀ ବେହେରା, ପ୍ରୀତି ପୋଢ଼, ଆରାଧ୍ୟା ଜେନା, ସଂଘମିତ୍ରା ଦଳାଇ, ଲିଲି ସାହୁ, ପ୍ରଜ୍ଞା ପାରମିତା ନାୟକ, ପିନାକିନୀ ସାହୁ, ଶ୍ରାବଣୀ ପ୍ରିୟଦର୍ଶିନୀ ଓ ଶ୍ରୀୟାଶ୍ରୁତି ପାତ୍ର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.