ARTICLE AD BOX
ଭୁବନେଶ୍ବର: ରାଜ୍ୟରେ ଏକ ସୋଭରେନ୍ ଏଆଇ ପାର୍କ, ଏଆଇ ଡାଟା ସେଣ୍ଟର ଓ ଏକ ଗ୍ଲୋବାଲ୍ ଡେଭ୍ଲପ୍ମେଣ୍ଟ ସେଣ୍ଟର ସ୍ଥାପନ କରାଯିବ। ଏ ନେଇ ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାର, ଏଚ୍ସିଏଲ୍ ଟେକ୍ନୋଲୋଜିସ୍ ଓ ସର୍ଭମ୍ ଏଆଇ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହି ପ୍ରକଳ୍ପଗୁଡ଼ିକରେ ଆଗାମୀ ୫ ବର୍ଷରେ ୧୫ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହେବ। ଏଆଇ ପାର୍କକୁ ରାଜ୍ୟ ସରକାର ସ୍ଥାପନ କରିବେ। ସେହି ପାର୍କରେ ଏଚ୍ସିଏଲ୍ ଟେକ୍ନୋଲୋଜିସ୍ ପକ୍ଷରୁ ଏଆଇ ଡାଟା ସେଣ୍ଟର ସ୍ଥାପନ କରାଯିବ। ଏହା ବ୍ୟତୀତ ଏଚ୍ସିଏଲ୍ ଟେକ୍ନୋଲୋଜିସ୍ ପକ୍ଷରୁ ୭୩୦ କୋଟି ଟଙ୍କା ନିବେଶରେ ଏକ ଗ୍ଲୋବାଲ୍ ଡେଭ୍ଲପ୍ମେଣ୍ଟ ସେଣ୍ଟର ସ୍ଥାପନ କରାଯିବ।
ଶ୍ରେଷ୍ଠ ୩ ରାଜ୍ୟ ହେବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ରାଜ୍ୟରେ ୬୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ପୂର୍ବରୁ ଆମେ ବିଦେଶୀ ଏଆଇ ଉପରେ ନିର୍ଭର କରୁଥିଲୁ। କିନ୍ତୁ ଏବେ ଆମର ସ୍ବଦେଶୀ ଏଆଇ ସର୍ଭମ୍ ବିଶ୍ବର ଯେକୌଣସି ପ୍ରଯୁକ୍ତି ସହ ସମକକ୍ଷ। ଗତ ଦୁଇ ବର୍ଷରେ ସରକାର କେବଳ ଖଣିଜଭିତ୍ତିକ ଶିଳ୍ପ ନୁହେଁ, ବରଂ ଏଆଇ, ବୟନ, ଫାର୍ମା ଓ ଆଇଟି ଭଳି ନୂଆ କ୍ଷେତ୍ରଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି। ରାଜ୍ୟର ଶିଳ୍ପାୟନ ସମ୍ପର୍କରେ ସେ କହିଥିଲେ ଯେ ନିତି ଆୟୋଗର ନିବେଶ ଅନୁକୂଳ ସୂଚୀରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ଏହି ସୂଚୀରେ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ପହଞ୍ଚିବାକୁ ଆମେ ଲକ୍ଷ୍ୟ ରଖିଛୁ। ରାଜ୍ୟରେ ରାଜିନାମା ହେବାଦିନଠାରୁ ପ୍ରକଳ୍ପ କାମ ଆରମ୍ଭ ହେବା ମଧ୍ୟରେ ଲାଗୁଥିବା ସମୟ ୧୦୦ ଦିନକୁ ହ୍ରାସ ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଓ ନିବେଶକମାନଙ୍କୁ ସମ୍ପୂର୍ଣ୍ଣ ସରକାରୀ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହା ଓଡ଼ିଶା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଥିଲେ। ଓଡ଼ିଶା ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଏଚ୍ସିଏଲ୍ ଟେକ୍ନୋଲୋଜିସ୍କୁ ଧନ୍ୟବାଦ ଜଣାଇଥିଲେ। ଏଚ୍ସିଏଲ୍ ଟେକ୍ନୋଲୋଜିସ୍ର ଅଧ୍ୟକ୍ଷା ରୋଶନୀ ନାଦର ମାଲହୋତ୍ରା କହିଥିଲେ, ଓଡ଼ିଶାରେ ନିବେଶ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଏଚ୍ସିଏଲ୍ ରାଜ୍ୟରେ ନିଜର ଆଗାମୀ ନିବେଶ ଯୋଜନା ଆରମ୍ଭ କରିବାକୁ ଯାଉଛି। ଏହି ଅବସରରେ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ କୁମାର ଦେବ, ଏଚ୍ସିଏଲ୍ ଟେକ୍ର ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ସି ବିଜୟକୁମାର, ସର୍ଭମ୍ ଏଆଇର ସିିଇଓ ପ୍ରତ୍ୟୁଷ କୁମାର ଓ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

1 hour ago
1


