ARTICLE AD BOX
ଘୁ.ଉଦୟଗିରି:କନ୍ଧମାଳ ଜିଲ୍ଲାରେ ଦୁଃଖର କରୁଣ ଚିତ୍ର ଲମ୍ବି ଚାଲିଛି। ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ପୋଟକୁ ଖାଦ୍ୟ ଯୋଗାଡ଼ କରିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ତାମିଲନାଡୁରେ ମୃତ୍ୟୁ ଘଟିଛି। ପରିବାର ପ୍ରତିପୋଷଣ ପାଇଁ ଭିଟାମାଟି ଛାଡ଼ି ଚେନ୍ନାଇକୁ କାମ କରିବାକୁ ଯାଇଥିବା ଘୁ.ଉଦୟଗିରି ବ୍ଲକ ରାଇକଲା ପଞ୍ଚାୟତ ମଝିସାହି ଗ୍ରାମର ଚିତ୍ତରଞ୍ଜନ ପ୍ରଧାନ (୪୦)ଙ୍କ ଆଜି ମୃତ୍ୟୁ ହୋଇଯାଇଛି।
ଆର୍ଥିକ ଅସମର୍ଥତା ଯୋଗୁଁ ତାଙ୍କ ମୃତଦେହକୁ ଜନ୍ମମାଟିକୁ ଫେରାଇ ଆଣିବାରେ ପରିବାର ଅସହାୟ ହୋଇପଡ଼ିଛନ୍ତି। ତେବେ ଗତ ୮୫ ଦିନ ମଧ୍ୟରେ ଜିଲ୍ଲାର ୨୧ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ସମସ୍ୟାର ଗମ୍ଭୀରତା ପୁଣି ଥରେ ସାମ୍ନାକୁ ଆଣିଛି।
ଯୋଗାଡ଼ ହେଉନାହିଁ ଆବଶ୍ୟକ ଅର୍ଥ
ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ମୃତଦେହ ପରିବହନ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ସମ୍ଭବ ହେଉନାହିଁ। ଫଳରେ ଶୋକାକୁଳ ପରିବାର ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି। ଏଭଳି ସମୟରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ତ୍ୱରିତ ହସ୍ତକ୍ଷେପ ନେବା ଆବଶ୍ୟକ ହୋଇପଡ଼ିଛି।ଜିଲ୍ଲାରେ ବାରମ୍ବାର ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ଓ ଦାଦନ ସମସ୍ୟା ନିୟନ୍ତ୍ରଣକୁ ନେଇ ପ୍ରଶ୍ନ ଉଠୁଛି। କେତେ ଶ୍ରମିକ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଛନ୍ତି, କେତେଜଣ ପଞ୍ଜୀକୃତ ହୋଇଛନ୍ତି ଏବଂ ସେମାନଙ୍କ ପାଇଁ କି ପ୍ରକାର ସୁରକ୍ଷା ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରିବାକୁ ଦାବି ହେଉଛି। ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗର ଅଭାବ ଓ ଆର୍ଥିକ ଅନଟନ ଯୋଗୁଁ ଅନେକ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି।
ରୋଜଗାର ସୁଯୋଗର ଅଭାବ
କିନ୍ତୁ ସେଠାରେ କୌଣସି ଅଘଟଣ ଘଟିଲେ ପରିବାରକୁ ଆର୍ଥିକ ଓ ମାନସିକ ଯନ୍ତ୍ରଣା ସହିବାକୁ ପଡ଼ୁଛି। ଚିତ୍ତରଞ୍ଜନଙ୍କ ମୃତ୍ୟୁ ପରେ ମୃତଦେହକୁ ଗାଁକୁ ଆଣିବାରେ ଅର୍ଥାଭାବ ଦେଖାଦେବା ଏହାର ଏକ ଦୁଃଖଦ ଉଦାହରଣ।ତେଣୁ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ଚିତ୍ତରଞ୍ଜନଙ୍କ ମୃତଦେହକୁ ଜନ୍ମମାଟିକୁ ଫେରାଇ ଆଣିବା ସହ ତାଙ୍କ ପରିବାରକୁ ନିୟମାନୁସାରେ ସହାୟତା ଯୋଗାଇଦେବାକୁ ଦାବି ହେଉଛି।ଏଥିସହ ଦାଦନ ଶ୍ରମିକଙ୍କ ପଞ୍ଜୀକରଣ, ଶ୍ରମିକ କାର୍ଡ ପ୍ରଦାନ, ସୁରକ୍ଷିତ ପ୍ରବାସ ସମ୍ପର୍କରେ ସଚେତନତା ଓ ସଙ୍କଟ ସମୟରେ ତୁରନ୍ତ ସହାୟତା ପାଇଁ ସୁଦୃଢ଼ ବ୍ୟବସ୍ଥା କରିବାକୁ ଜନସାଧାରଣ ଦାବି କରିଛନ୍ତି। କେବଳ ମୃତ୍ୟୁ ପରେ ସହାୟତା ପ୍ରଦାନ ନୁହେଁ, ଦାଦନ ସମସ୍ୟାର ମୂଳ କାରଣ ଦୂର କରିବା ସହ ଜିଲ୍ଲାରେ ସ୍ଥାୟୀ ରୋଜଗାର ସୃଷ୍ଟି ଓ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବା ଜରୁରୀ।
ଦେଖିବି ନିର୍ବନ୍ଧ କେମିତି ହେବ: ଅନ୍ୟ ଯୁବତୀଙ୍କ ହାତ ଧରୁଥିଲେ ସ୍ୱାମୀ, ହଠାତ ପହଞ୍ଚିଗଲେ ପ୍ରଥମ ପତ୍ନୀ
କେବେ ଚେତିବ ପ୍ରଶାସନ?
କନ୍ଧମାଳର ଶ୍ରମିକ ପରିବାରଗୁଡ଼ିକୁ ଏଭଳି ଦୁର୍ଦ୍ଦଶାରୁ ମୁକ୍ତି ଦେବା ପାଇଁ ପ୍ରଶାସନ କେବେ ପ୍ରଭାବଶାଳୀ ପଦକ୍ଷେପ ନେଉଛି, ତାହା ଏବେ ଅପେକ୍ଷାର ବିଷୟ।ଏହା ସହ କନ୍ଧମାଳ ଜିଲ୍ଲାର ନେତା ମାନେ କରୁଛନ୍ତି କଣ ବୋଲି ପ୍ରଶ୍ନ ଉଠିବା ସହ ନେତାଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ ଆଙ୍ଗୁଳି ଉଠିଛି।ଦାଦନ ସମସ୍ୟା ଦୂର କରିବା ବଦଳରେ ଦାଦନ ଚାଲାଣ ବୃଦ୍ଧି ପାଇବା ସହ ଦାଦନ ମୃତ୍ୟୁ ବୃଦ୍ଧି ପାଇବା ଚିନ୍ତାର ବିଷୟ ହେଲେ ଏହି ସମସ୍ୟାକୁ କେହି ଗୁରୁତର ସହ ନ ନେବା ପରିତାପର ବିଷୟ।

1 hour ago
2


