ARTICLE AD BOX
ଭୁବନେଶ୍ବର: ଓଡ଼ିଶାର ପର୍ବତାରୋହଣ ଓ ଦୁଃସାହସିକ କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟର ୧୧ ଜଣିଆ ପର୍ବତାରୋହୀ ଦଳର ୫ ଜଣ ମହିଳା ସଦସ୍ୟ ହିମାଚଳ ପ୍ରଦେଶର ୨୦,୧୦୦ ଫୁଟ ଉଚ୍ଚ ମାଉଣ୍ଟ ୟୁନମ ଶିଖର ସଫଳତାର ସହ ଆରୋହଣ କରି ୧୫ ଅଗଷ୍ଟରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ମାଉଣ୍ଟ ୟୁନମ ଶିଖରରେ ୮୦ ମିଟର ଲମ୍ବ ତ୍ରିରଙ୍ଗା ଉତ୍ତୋଳନ କରି ଦଳ ଦେଶପ୍ରେମ ଓ ଜାତୀୟ ଗୌରବର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ତିରଙ୍ଗାକୁ ଶିଖରରେ ଉତ୍ତୋଳନ କରିବାର ଏହି ମୁହୂର୍ତ୍ତ ସମଗ୍ର ଦଳ ପାଇଁ ଅତ୍ୟନ୍ତ ଗୌରବ ଓ ଭାବବିହ୍ୱଳତାର ମୁହୂର୍ତ୍ତ ଥିଲା। ଏଭେରେଷ୍ଟ ଆରୋହୀ ଗଣେଶ ଜେନାଙ୍କ ତତ୍ତ୍ୱାବଧାନରେ ଏବଂ ଅନିତା ସ୍ୱାଇଁଙ୍କ ନେତୃତ୍ୱରେ ଗତ ୭ ତାରିଖରେ ଏହି ଦଳ ମାଉଣ୍ଟ ୟୁନମ ଆରୋହଣ ଲକ୍ଷ୍ୟରେ ଯାତ୍ରା ଆରମ୍ଭ କରିଥିଲା। ଦୁର୍ଗମ ହିମାଳୟ ପରିବେଶ, ଅତ୍ୟଧିକ ଉଚ୍ଚତା ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦଳର ସଦସ୍ୟମାନେ ଦୃଢ଼ ମନୋବଳ, ଶୃଙ୍ଖଳା ଓ ଦଳଗତ ସହଯୋଗର ପରିଚୟ ଦେଇଥିଲେ। ଦଳର ଅନ୍ୟ ୩ ଜଣ ସଦସ୍ୟ ମଧ୍ୟ ଶିଖରର ଅତି ନିକଟରେ ପହଞ୍ଚିଥିଲେ; କିନ୍ତୁ ଅସୁସ୍ଥତା କାରଣରୁ ସେମାନେ ଶେଷ ପର୍ଯ୍ୟାୟରେ ଶିଖରରେ ପହଞ୍ଚି ପାରିନଥିଲେ।
Flood in Odisha: ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ
ଦଳନେତ୍ରୀ ଅନିତା ସ୍ୱାଇଁ କହିଛନ୍ତି, ମାଉଣ୍ଟ ୟୁନମ ଆମ ପାଇଁ କେବଳ ଏକ ପର୍ବତ ଶିଖର ନୁହେଁ; ଏହା ଓଡ଼ିଶାର ମହିଳାଙ୍କ ସାହସ, ଆତ୍ମବିଶ୍ୱାସ ଓ ଦୃଢ଼ ସଙ୍କଳ୍ପର ପ୍ରତିଫଳନ। ଶୂନ୍ୟ ଦୁର୍ଘଟଣାରେ ଅଭିଯାନ ସଫଳ ହେବା ଆମ ପାଇଁ ଗର୍ବର ବିଷୟ। ‘ଆଶା’ର ସମ୍ପାଦକ ତଥା ଏଭେରେଷ୍ଟ ଆରୋହୀ ଗଣେଶ ଜେନା କହିଛନ୍ତି ଯେ ନିରନ୍ତର ପ୍ରଶିକ୍ଷଣ, ଫିଟ୍ନେସ୍, ସହନଶୀଳତା ଏହି ସଫଳତାର ମୂଳ ଆଧାର। ଅଭିଯାନରେର ସାମିଲ ଥିବା ସଙ୍କେତ କମ୍ୟୁନିକେସନ୍ସର ପରିଚାଳନା ନିର୍ଦ୍ଦେଶକ ଶୁଭାଶିଷ ତ୍ରିପାଠୀ କହିଛନ୍ତି, ଏହି ସଫଳତା ନାରୀଶକ୍ତି, ସାହସ, ଦେଶପ୍ରେମ ଓ ଦୃଢ଼ ସଙ୍କଳ୍ପର ଏକ ପ୍ରେରଣାଦାୟୀ ଉଦାହରଣ। ‘ଆଶା’ର ଉପସଭାପତି ହରେଶ କୁମାର ମିଶ୍ର କହିଛନ୍ତି, ଏହି ସଫଳତା ଓଡ଼ିଶାର ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଆରମ୍ଭ। ବିଶେଷକରି ମହିଳା ଓ ଯୁବପିଢ଼ିଙ୍କୁ ଏହା ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେବ।
Flood in Bhadrak: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି; ୧,୦୭,୭୭୩ ଜଣ ସ୍ଥାନାନ୍ତରିତ

1 hour ago
1


