ARTICLE AD BOX
ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଥିବା ସୁଦୃଶ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଆଜି ଅବପାତର ରୂପ ନେଇଛି। ରାତି ୮ଟା ସୁଦ୍ଧା ଅବପାତଟି ପଶ୍ଚିମବଙ୍ଗର ସାଗର ଦ୍ବୀପର ଦକ୍ଷିଣର ୬୦ କିମି, ଦୀଘାର ଦକ୍ଷିଣ ପୂର୍ବରୁ ୮୦ କିମି ଓ ଓଡ଼ିଶାର ଚାନ୍ଦବାଲିର ପୂର୍ବ-ଉତ୍ତରପୂର୍ବରୁ ୧୫୦ କିମି ଓ ବାଲେଶ୍ବରର ପୂର୍ବ-ଦକ୍ଷିଣପୂର୍ବରୁ ୧୪୦ କିମି ଦୂରରେ ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଏହା ଘଣ୍ଟା ପ୍ରତି ୫ କିମି ବେଗରେ ଉପକୂଳମୁହାଁ ହେଉଛି। ଧୀରେଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ। ସୋମବାର ପୂର୍ବାହ୍ଣରେ ଏହା ଓଡ଼ିଶାର ଚାନ୍ଦବାଲି ଓ ପଶ୍ଚିମବଙ୍ଗର କେନିଙ୍ଗ୍ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ପ୍ରଭାବରେ ଆଜି ସନ୍ଧ୍ୟାଠାରୁ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା-ପଶ୍ଚିମବଙ୍ଗ-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅଶାନ୍ତ ହୋଇଉଠିଛି। ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୫ କିମି ପର୍ଯ୍ୟନ୍ତ ପହଞ୍ଚିଛି। ଏହାପରେ ପବନର ବେଗ କ୍ରମଶଃ ବୃଦ୍ଧି ପାଇ ୨୮ ତାରିଖ ପୂର୍ବାହ୍ଣ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୫୫ରୁ ୬୫ କିମି ଓ ଝଟକା ପବନର ବେଗ ୭୫ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା-ପଶ୍ଚିମବଙ୍ଗ-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସମୁଦ୍ରକୁ ବାରଣ କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ରାତି ସୁଦ୍ଧା କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଥିବା ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି।
ଚାନ୍ଦବାଲି-କେନିଙ୍ଗ୍ ମଧ୍ୟରେ ଅତିକ୍ରମ କରିବ
ଦୁଇ ଦିନ ବର୍ଷିବ, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଘଣ୍ଟା ପ୍ରତି ୬୦ କିମି ବେଗରେ ପବନ ବହିବ
୨୯ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ମୟୂରଭଞ୍ଜ ଜିଲ୍ଲାରେ ଆଜି ସ୍କୁଲ ଛୁଟି
Iran: ଆରମ୍ଭ ହେବ କି ମହାଯୁଦ୍ଧ? ଇରାନ ଉପରେ କୁଏତ-ବାହାରିନ୍ର ବିମାନ ଆକ୍ରମଣ
ଏଥିସହ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଉପକୂଳ ଓ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ଦୁଇ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ୨୭ ତାରିଖ ପୂର୍ବାହ୍ଣ ସୁଦ୍ଧା ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍ ୱାର୍ଣ୍ଣିଂ ଏବଂ ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ପରବର୍ତ୍ତୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ରେଡ୍ ୱାର୍ଣ୍ଣିଂ ଏବଂ ଉପକୂଳ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟରେ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ୫୦ରୁ ୬୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପ୍ରବଳ ପବନ ଯୋଗୁଁ ଉଦ୍ୟାନ କୃଷି ଓ ଛିଡ଼ା ହୋଇଥିବା ଫସଲ କ୍ଷତି ହୋଇପାରେ। ଭୂସ୍ଖଳନ କିମ୍ବା ମାଟି ଧସିବାର ଆଶଙ୍କା ମଧ୍ୟ ରହିଛି। ଛୋଟ ଜାହାଜ, ଟ୍ରଲର ଓ ଡଙ୍ଗା ଚଳାଚଳ ଏବଂ ରାସ୍ତା ଓ ରେଳ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସତର୍କ ସୂଚନା ଦିଆଯାଇଛି।

1 hour ago
2


