ARTICLE AD BOX
ପାରଳାଖେମୁଣ୍ଡି(ସୁଜିତ ବିଶୋୟୀ): ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ରହିଛି ୧୦୮ ଆମ୍ବୁଲାନ୍ସ। ହେଲେ ଗାଁକୁ ଯିବାକୁ ରାସ୍ତା ନାହିଁ। ଫଳରେ ଆମ୍ବୁଲାନ୍ସ ଗାଁଠାରୁ ୬ କିଲୋମିଟର ଦୂରରେ ଅଟକି ରହିଲା। ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ ଶେଷରେ ଗ୍ରାମବାସୀ ଚେୟାରରେ ବସାଇ ଦୋଳା କରି ୬ କିଲୋମିଟର ବୋହି ଆଣିଲେ। ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଏଭଳି ଜନନୀ ଯନ୍ତ୍ରଣାର ଚିତ୍ର ପୁଣି ସାମ୍ନାକୁ ଆସିଛି।
ମୋହନା ବ୍ଲକ ଅନ୍ତର୍ଗତ ମୋହନାଗୁଡ଼ା ଗାଁର ମାଳତୀ ମାଝୀଙ୍କୁ ଆଜି (ରବିବାର) ପୂର୍ବାହ୍ଣରେ ପ୍ରସବ ବେଦନା ହୋଇଥିଲା। ପରିବାର ଲୋକେ ବିଳମ୍ବ ନକରି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ଆସିଥିଲା, ହେଲେ ଗାଁକୁ ପହଞ୍ଚିପାରିଲା ନାହିଁ। ମାଟି ଓ ପଥୁରିଆ ରାସ୍ତା ସାଙ୍ଗକୁ ବାଟରେ ନାଳ ପଡ଼ୁଥିବାରୁ ଆମ୍ବୁଲାନ୍ସଟି ବନ୍ଧାଗୁଡ଼ା ନିକଟରେ ଅଟକି ରହିଥିଲା। ଅନ୍ୟ କୌଣସି ଉପାୟ ନପାଇ ଗ୍ରାମବାସୀ ମାଳତୀଙ୍କୁ ଚେୟାରରେ ବସାଇ ଦୋଳା କରିଥିଲେ। ମହିଳାଙ୍କୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଅବସ୍ଥାରେ ପ୍ରାୟ ୬ କିଲୋମିଟର ଦୁର୍ଗମ ରାସ୍ତାରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ।
Neglect: ପକ୍କା ରାସ୍ତା ନାହିଁ; କାଦୁଅ ରାସ୍ତା ପାଲଟିଛି ଯାତାୟାତର ମାଧ୍ୟମ
ପରେ ତାଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ମାଳତୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।
ଗାଁକୁ ଭଲ ରାସ୍ତା ନଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସ ଭଳି ଅତ୍ୟାବଶ୍ୟକ ସେବା ମଧ୍ୟ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ବର୍ଷାଦିନେ ସ୍ଥିତି ଆହୁରି ଦୟନୀୟ ହୋଇପଡ଼ୁଛି। ଜନନୀ ସୁରକ୍ଷା ଓ ଗ୍ରାମାଞ୍ଚଳରେ ଆମ୍ବୁଲାନ୍ସ ସେବା ନେଇ ସରକାରୀ ବ୍ୟବସ୍ଥା ରହିଥିଲେ ମଧ୍ୟ ରାସ୍ତା ଅଭାବ ଲୋକଙ୍କ ସମସ୍ୟାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ମୋହନାଗୁଡ଼ାକୁ ତୁରନ୍ତ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

7 hours ago
1


