ARTICLE AD BOX
ବିଡ଼ମ୍ବନା ହେଲା, ଭାରତକୁ ‘ନିରାପତ୍ତା ପରିଷଦ’ରୁ ବାହାରେ ରଖିବା ଲାଗି ଚୀନ ଦ୍ବାରା ବାରମ୍ବାର ଭିଟୋ ପ୍ରୟୋଗ କରାଯାଇଆସିଛି, ଯାହା ପ୍ରମାଣ କରିଥାଏ ଯେ ମୁଣ୍ଡିଆଳ ରାଷ୍ଟ୍ରଗୁଡ଼ିକ ସ୍ବାଭାବିକ ଭାବେ ସ୍ଥିତାବସ୍ଥାରେ ପରିବର୍ତ୍ତନ ଚାହାନ୍ତି ନାହିଁ। ଏହି କାରଣରୁ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି ଏବଂ ଯେଉଁଥି ଲାଗି ଚଳିତ ‘ୟୁଙ୍ଗା’ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁପସ୍ଥିତିକୁ ପର୍ଯ୍ୟବେକ୍ଷକମାନେ ‘ସୁଯୋଗର ହାତ ଛଡ଼ା’ ବୋଲି ମନ୍ତବ୍ୟ ଦେଇଥାଆନ୍ତି।
ଗଲା ସେପ୍ଟେମ୍ବର ୨୨ ତାରିଖରେ ଆରମ୍ଭ ହୋଇଥିବା ‘ଜାତିସଂଘ ସାଧାରଣ ସଭା’ ବା ‘ଜେନେରାଲ ଆସେମ୍ଲି’ର ବାର୍ଷିକ ସମାବେଶ, ଯାହା ସଂକ୍ଷେପରେ ‘ୟୁ.ଏନ.ଜି.ଏ.’ ବା ‘ୟୁଙ୍ଗା’ ଭାବେ ପରିଚିତ, ଆଜି ସମାପ୍ତ ହେବ। ଚଳିତ ବର୍ଷର ସମାବେଶ ଏଥି ଲାଗି ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଥିଲା ଯେ ତିନିଟି ଭୟାବହ ଯୁଦ୍ଧ, ଅକଳ୍ପନୀୟ ରକ୍ତପାତ ଓ ଧ୍ବଂସଲୀଳା, ଅଭୂତପୂର୍ବ ପ୍ରାକୃତିକ ଦୁର୍ବିପାକ, ଏହି ସବୁ କାରଣରୁ ହୋଇଥିବା ଅଗଣିତ ପ୍ରାଣପାତ ଓ ବିସ୍ଥାପନ, ରଣନୈତିକ ସଂପର୍କ ଓ ଭାରସାମ୍ୟରେ ଅନ୍ଦାଜ-ବହିର୍ଭୂତ ପରିବର୍ତ୍ତନ ଆଦି ଦ୍ବାରା ଜର୍ଜର ୨୦୨୬ ମସିହା ଭଳି ବର୍ଷଟିଏ ନିକଟ ସ୍ମରଣରେ ଦିଶୁନାହିଁ! ଏହି ପରିପ୍ରେକ୍ଷୀରେ ୨୦୨୬ ମସିହାର ‘ୟୁଙ୍ଗା’ ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ କରିଥାଏ।
The MMDR issue: ଜୋର୍ ଧରୁଛି ଏମ୍ଏମ୍ଡିଆର ପ୍ରସଙ୍ଗ: ବିଧାନସଭା ଚାଲିବାର ସମ୍ଭାବନା କମ୍
ଏହି ସମାବେଶ ଏଥି ଲାଗି ହୁଏତ ସ୍ମରଣଯୋଗ୍ୟ ହୋଇ ରହିପାରେ ଯେ, ଦ୍ବିତୀୟ ବିଶ୍ବଯୁଦ୍ଧ ଦ୍ବାରା ବିଧ୍ବସ୍ତ ପୃଥିବୀରେ, ଶାନ୍ତି ପ୍ରତିଷ୍ଠା ଲାଗି, ୧୯୪୫ ମସିହାରେ, ଯେଉଁ ଆମେରିକାର ନେତୃତ୍ବରେ, ଜାତିସଂଘ ଗଢ଼ା ଯାଇଥିଲା, ସେହି ଜାତିସଂଘର ମଞ୍ଚରୁ, ସେହି ଆମେରିକାର ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ମୁଖରୁ ଶୁଣିବାକୁ ମିଳିଥିଲା, ୯.୫ କୋଟି ଜନସଂଖ୍ୟା ସମ୍ବଳିତ ଇରାନକୁ ସମୂଳ ଧ୍ବଂସ କରିଦେବାର ଧମକ ଓ ଶପଥ! ସେହିଭଳି ଏଥର ଦେଖିବାକୁ ମିଳିଛି ଯେ ବକ୍ତବ୍ୟ ରଖିବା ଲାଗି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପାଳି ଉପନୀତ ହେବା ମାତ୍ରକେ ଅନେକ ରାଷ୍ଟ୍ରର ପ୍ରତିନିଧିଙ୍କ ଦ୍ବାରା ସଭାକକ୍ଷ ବର୍ଜନ; ଯେଉଁ ପରିପ୍ରେକ୍ଷୀରେ ନେତାନ୍ୟାହୁଙ୍କ ପ୍ରତିକ୍ରିୟା ଥିଲା, ‘ଆଉ ଯେଉଁମାନେ ତଥାପି (ଅନିଚ୍ଛା ସତ୍ତ୍ବେ) ବସି ରହିଛନ୍ତି, ସେମାନେ ମଧ୍ୟ ଏ ସ୍ଥାନ ଛାଡ଼ି ଚାଲିଯାଇପାରନ୍ତି!’ ଇରାନର ମିନାବସ୍ଥିତ ବିଦ୍ୟାଳୟ ଉପରେ ଆମେରିକୀୟ ବିମାନର ବୋମାମାଡ଼ ହେତୁ ପ୍ରାଣ ହରାଇଥିବା ସ୍କୁଲ ଛାତ୍ରୀମାନଙ୍କ ଫଟୋ ଦେଖାଇ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ପକ୍ଷରୁ ଆମେରିକାକୁ ଆତଙ୍କବାଦୀ ଓ ହତ୍ୟାକାରୀ ବୋଲି ଆକ୍ଷେପ କରାଯାଇଥିଲା। ତେବେ, ଏଭଳି ଉଷ୍ମ ପରିବେଶରେ କିନ୍ତୁ ଯେଉଁ ଭାଷଣ, ସେଠାରେ ଉପସ୍ଥିତ ପ୍ରତିନିଧିମାନଙ୍କ ସମେତ ସାରା ପୃଥିବୀର ହୃଦୟ ମୋହିବାରେ ସମର୍ଥ ହୋଇଛି, ତାହା ଥିଲା ‘ହିମାଳୟ-ଟ୍ରାଜେଡି’ ଦ୍ବାରା କ୍ଷତାକ୍ତ ନେପାଳର ଯୁବ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ମୃଦୁ କଣ୍ଠୀୟ ତିରସ୍କାର, ଯହିଁରେ ସେ କହିଥିଲେ: ‘ଏଭଳି ପୃଥିବୀରେ ଆମେ ରହିଥାଏଁ, ଯେଉଁଠି ଯୁଦ୍ଧାସ୍ତ୍ର ପହଞ୍ଚାଇବା ଲାଗି ତ ନିଖୁଣ ଆୟୋଜନ ରହିଛି, କିନ୍ତୁ ଖାଦ୍ୟ ଉପଲବ୍ଧ କରାଇବା ଲାଗି ସେଭଳି ବ୍ୟବସ୍ଥା ନାହିଁ।’ ତାଙ୍କ ଭାଷଣର ଏକ ମର୍ମଭେଦୀ ଅଂଶର ମର୍ମ ଥିଲା ଯେ ବାଂଲାଦେଶ, ଶ୍ରୀଲଙ୍କା, ଭାରତ, ପାକିସ୍ତାନ ଆଦି ସମସ୍ତ ଦକ୍ଷିଣ-ଏସୀୟ ଦେଶ ଯେଉଁ ବିଭୀଷିକା ଦ୍ବାରା ଆକ୍ରାନ୍ତ ହେଉଛନ୍ତି, ତାହା ସେମାନଙ୍କ କୃତକର୍ମର ଫଳ ନୁହେଁ, ଯେଉଁ ଯୁଦ୍ଧ ଦ୍ବାରା ସେମାନେ କ୍ଷତିଗ୍ରସ୍ତ, ତାହା ସେମାନେ ଆରମ୍ଭ କରି ନାହାନ୍ତି! ପ୍ରକାଶ ଥାଉ କି, ତାଙ୍କ ଭାଷଣକୁ ମିଳିଥିଲା ସର୍ବାଧିକ ଉଚ୍ଛ୍ବସିତ କରତାଳି। କହିବା ବାହୁଲ୍ୟ, ଏହି ପ୍ରଶଂସକଙ୍କ ମଧ୍ୟରେ ଯୁଦ୍ଧଖୋର ଓ ପ୍ରାକୃତିକ ଦୁର୍ବିପାକର କାରଣ ହୋଇଥିବା ଅହଙ୍କାରୀ ଦେଶଗୁଡ଼ିକ ନିଶ୍ଚିତ ଭାବେ ନ ଥିବେ; କିନ୍ତୁ କରତାଳିର ଉଚ୍ଚାଟରୁ ଏହା ମଧ୍ୟ ହୃଦ୍ବୋଧ କରି ହେଉଥିଲା ଯେ ଉପରୋକ୍ତ ଅହଙ୍କାରୀ ଦେଶଗୁଡ଼ିକର ଉପଦ୍ରବ ଦ୍ବାରା ପୀଡ଼ିତ ଶାନ୍ତିକାମୀ ଦେଶଗୁଡ଼ିକର ପ୍ରତିବାଦର ସ୍ବର ମଧ୍ୟ କିଛି କମ୍ ଉଚ୍ଚ ନୁହେଁ!
ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ ଜାତିସଂଘର ଗୁରୁତ୍ବପୂର୍ଣ୍ଣ ପଦ ଓ ଆସନ ଲାଗି ଏବେ କ୍ଷୁଦ୍ର ଦେଶଗୁଡ଼ିକ ଅପେକ୍ଷାକୃତ ବୃହତ୍ ଓ ପ୍ରଭାବଶାଳୀ ରାଷ୍ଟ୍ରଗୁଡ଼ିକ ସହିତ ପ୍ରତିଦ୍ବନ୍ଦ୍ବିତା କରିବା ଆରମ୍ଭ କରିଛନ୍ତି ଏବଂ ସଫଳ ମଧ୍ୟ ହେଉଛନ୍ତି; ଯେମିତି ଜେନେରାଲ ଆସେମ୍ଲିର ସଭାପତି ପଦ ଲାଗି ଦୌଡ଼ରେ ବାଂଲାଦେଶ, ବହୁ ୟୁରୋପୀୟ ରାଷ୍ଟ୍ର ଏବଂ ଭାରତ ଦ୍ବାରା ସମର୍ଥିତ ସାଇପ୍ରସକୁ ପଛରେ ପକାଇ ବିଜୟୀ ହୋଇଛି ଏବଂ ‘ଜାତିସଂଘ ନିରାପତ୍ତା ପରିଷଦ’ର ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅସ୍ଥାୟୀ ଆସନ ଲାଗି ଭାରତ ସହିତ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଛି କ୍ଷୁଦ୍ର ରାଷ୍ଟ୍ର କାଜାକିସ୍ତାନ। ଜାତିସଂଘ ବାହାରେ, ସଂପ୍ରତି, ‘ଗ୍ଲୋବାଲ ସାଉଥ’ ବା ‘ପୃଥିବୀର ଦାକ୍ଷିଣାତ୍ୟ’କୁ ଘେନି ଯେଉଁ ବ୍ୟାଖ୍ୟାନ ସୃଷ୍ଟି ହେଲାଣି ଏବଂ ସେହି ଆଧାରରେ ଜାତିସଂଘରେ ସଂସ୍କାରର ଆବଶ୍ୟକତା ନେଇ ଦାବି ହେଲାଣି, ତହିଁରେ ‘ୟୁଙ୍ଗା’ର ମହତ୍ତ୍ବ ଆହୁରି ବୃଦ୍ଧି ପାଇଥାଏ। ପ୍ରକାଶ ଥାଉ କି ପ୍ରମୁଖ ଭାବେ ବିକାଶଶୀଳ ଓ ଅଣବିକଶିତ ଦେଶଗୁଡ଼ିକୁ ଘେନି ‘ଗ୍ଲୋବାଲ ସାଉଥ’ର ପରିକଳ୍ପନାରେ ଭାରତର ଏକ ପ୍ରମୁଖ ଭୂମିକା ରହି ଆସିଛି, ଯେଉଁ ପରିପ୍ରେକ୍ଷୀରେ ଜାତିସଂଘର ତଥାକଥିତ ସଂଭ୍ରାନ୍ତଙ୍କ ସଭା ‘ସିକ୍ୟୁରିଟି କାଉନସିଲ’ ବା ‘ନିରାପତ୍ତା ପରିଷଦ’ରେ ଭାରତର ସଦସ୍ୟତା ଦାବି ଯଥାର୍ଥ ମନେ ହୋଇଥାଏ। ଚଳିତ ସମାବେଶରେ ପର୍ତ୍ତୁଗିଜ ପ୍ରଧାନମନ୍ତ୍ରୀ ଲୁଇସ ମଣ୍ଟେନିଗ୍ରୋଙ୍କ ଦ୍ବାରା ମୁକ୍ତ କଣ୍ଠରେ ଭାରତର ଏହି ଦାବିକୁ ସମର୍ଥନ କରାଯାଇଥିଲା, ଯାହା ଗୁରୁତ୍ବପୂର୍ଣ୍ଣ। କହିବା ଅନାବଶ୍ୟକ ଯେ ମାତ୍ର ପାଞ୍ଜଟି ରାଷ୍ଟ୍ର ସମ୍ବଳିତ ‘ନିରାପତ୍ତା ପରିଷଦ’, ହୁଏତ ଅଶୀ ବର୍ଷ ପୂର୍ବେ, ଜାତିସଂଘର ଗଠନ କାଳରେ, ଯଥାର୍ଥ ମନେ ହୋଇଥିବ; କିନ୍ତୁ, ପୃଥିବୀର କଳ୍ପାନାତୀତ ପରିବର୍ତ୍ତନ ଦୃଷ୍ଟିରୁ ସଂପ୍ରତି ତାହା ଆଦୌ ଯଥେଷ୍ଟ ହୋଇ ନ ଥାଏ। ଏଣେ, ବିଡ଼ମ୍ବନା ହେଲା, ଭାରତକୁ ‘ନିରାପତ୍ତା ପରିଷଦ’ରୁ ବାହାରେ ରଖିବା ଲାଗି ଚୀନ ଦ୍ବାରା ବାରମ୍ବାର ଭିଟୋ ପ୍ରୟୋଗ କରାଯାଇଆସିଛି, ଯାହା ପ୍ରମାଣ କରିଥାଏ ଯେ ମୁଣ୍ଡିଆଳ ରାଷ୍ଟ୍ରଗୁଡ଼ିକ ସ୍ବାଭାବିକ ଭାବେ ସ୍ଥିତାବସ୍ଥାରେ ପରିବର୍ତ୍ତନ ଚାହାନ୍ତି ନାହିଁ। ଏହି କାରଣରୁ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି ଏବଂ ଯେଉଁଥି ଲାଗି ଚଳିତ ‘ୟୁଙ୍ଗା’ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁପସ୍ଥିତିକୁ ପର୍ଯ୍ୟବେକ୍ଷକମାନେ ‘ସୁଯୋଗର ହାତ ଛଡ଼ା’ ବୋଲି ମନ୍ତବ୍ୟ ଦେଇଥାଆନ୍ତି। ଭାରତ ଦ୍ବାରା ‘ବ୍ରିକ୍ସ’ ସମ୍ମିଳନୀର ସୁଦକ୍ଷ ଆୟୋଜନ ଏବଂ ସେହି ଅବସରରେ ଜାତିସଂଘରେ ମୌଳିକ ସଂସ୍କାର ଘେନି ପ୍ରଦତ୍ତ ଆହ୍ବାନ ପରିପ୍ରେକ୍ଷୀରେ ‘ୟୁଙ୍ଗା’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତି ଓ ଅଭିଭାଷଣ ଯେ ସୁନିଶ୍ଚିତ ଭାବେ ବିଶେଷ ଗୁରୁତ୍ବ ରଖିଥାଆନ୍ତା, ତହିଁରେ ଦ୍ବିରୁକ୍ତି ନାହିଁ।
Unemployment: ଶିଳ୍ପ ଯେଉଁଠି, ବେକାରି ସେଇଠି: ଯାଜପୁରରେ ବେକାରି ହାର ସର୍ବାଧିକ, କେନ୍ଦୁଝରରେ ସର୍ବନିମ୍ନ
ଏହା ମଧ୍ୟ ହେଉଛି ଜାତିସଂଘର ସେକ୍ରେଟାରି ଜେେନରାଲ ଆଣ୍ଟୋନିଓ ଗୁଟେରାସଙ୍କ କାର୍ଯ୍ୟକାଳର ଅନ୍ତିମ ବର୍ଷ। ଦଶ ବର୍ଷର ଦାୟିତ୍ବ କାଳରେ ସେ ଦେଖିଛନ୍ତି ଏକ ପାନଡେମିିକ ଅଭିଶପ୍ତ ପୃଥିବୀ, ତିନିଟି ଭୟାବହ ଯୁଦ୍ଧ, ୩୫ଟି ପ୍ରାନ୍ତରେ ୬୫ଟି ସଂଘାତ (ସଂଖ୍ୟା ଦୃଷ୍ଟିରୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସର୍ବାଧିକ), ଅସମ୍ଭବ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜାତିସଂଘର ଏକ ସଦସ୍ୟ ରାଷ୍ଟ୍ର ହୋଇଥିଲେ ହେଁ ଇସ୍ରାଏଲ ଦ୍ବାରା ତାଙ୍କ ପ୍ରବେଶାଧିକାର ରଦ୍ଦର ବ୍ୟବସ୍ଥା। ସେ ମଧ୍ୟ ଦେଖୁଛନ୍ତି ଯୁଦ୍ଧ ସମାପ୍ତ କରି ଶାନ୍ତି ଆଣିବାରେ ଜାତିସଂଘ କିଭଳି ଅସମର୍ଥ; ‘ଏସ.ଡି.ଜି.’ ବା ଧାରଣକ୍ଷମ ବିକାଶ ଲକ୍ଷ୍ୟ ପୂରଣକୁ ଆଉ ମାତ୍ର ଚାରି ବର୍ଷ ବାକି ଥିବାବେଳେ ତାହା ଅସଂପୂର୍ଣ୍ଣ ରହିଯିବାର ଅନିବାର୍ଯ୍ୟତା ଇତ୍ୟାଦି। ସେ ମଧ୍ୟ ଦେଖୁଥିବେ ଯେ ଜାତିସଂଘରେ କହିବା ଲାଗି ଉତ୍କୀର୍ଣ୍ଣ ସଭିଏଁ, ପରସ୍ପରକୁ ଶୁଣିବା ଲାଗି କର୍ଣ୍ଣ ଓ ବୁଝିବା ଲାଗି ହୃଦୟ ପାଇନାହାନ୍ତି। ଏହି କାରଣରୁ ଜାତିସଂଘ, ବାଇବଲ ବର୍ଣ୍ଣିତ, ବାବେଲରେ ପରିଣତ ହୋଇଯିବାର ଆଶଙ୍କା ମଧ୍ୟ ତାଙ୍କୁ ବିଚଳିତ କରୁଥାଇପାରେ। ବାଇବଲରେ ବର୍ଣ୍ଣିତ ଅଛି ଯେ ଈଶ୍ବରଙ୍କ ଦ୍ବାରା ଭାଷା ପାଇଯିବା ପରେ ବାବେଲର ଇମାରତକୁ ନିର୍ମାଣ କରୁଥିବା ଶ୍ରମିକଗଣ ପରସ୍ପରକୁ ନ ଶୁଣି, କେବଳ କହିବାରେ ମଜ୍ଜି ରହି, କଳହ ଓ ଗୋଳରେ ଲିପ୍ତ ହୋଇ ପଡ଼ିଥିଲେ ଏବଂ ପରିଶେଷରେ ବାବେଲକୁ ପରିତ୍ୟାଗ କରି ଚାଲିଯାଇଥିଲେ। ୟୁ.ଏନ.ର ଦପ୍ତର ରୂପେ ବିଶ୍ବବିଦିତ ନ୍ୟୁୟର୍କସ୍ଥିତ ବିଶାଳ ଅଟ୍ଟାଳିକା, ଦିନେ ବାବେଲ ଭଳି ଅପ୍ରାସଙ୍ଗିକ ହୋଇଯିବାର ଭୟ ଯଦି ତାଙ୍କୁ ଘାରୁଥିବ, ତେବେ ସେ ଏକାକୀ ନୁହନ୍ତି: ଅନେକ ସଦସ୍ୟ ରାଷ୍ଟ୍ରଙ୍କର ମଧ୍ୟ! ଏହି ସମାନ ଭୟ, ଯେଉଁ କାରଣରୁ ଏକ ଜାତିସଂଘରେ ମୌଳିକ ସଂସ୍କାରର ଆବଶ୍ୟକତା ରହିଛି ବୋଲି ଭାରତ ଗୁରୁତ୍ବାରୋପ କରିଥାଏ।

42 minutes ago
2


