ARTICLE AD BOX
ଅନୁଗୋଳ: ଗାଁ ପୋଖରୀକୁ ଯିବା ପାଇଁ ରାସ୍ତା ନ ଥିଲା। ଲୋକେ ଜମି ହିଡ଼ରେ ଯାଉଥିଲେ। ଏହାକୁ ନେଇ ଗାଁରେ ବୈଠକ ବସିଲା ପରେ ବଦଳିଯାଇଛି ସ୍ଥିତି। ପୋଖରୀକୁ ରାସ୍ତା ତିଆରି କରିବାକୁ ୯ ଜଣ ଲୋକ ଜମିଦାନ କରିଥିଲା ବେଳେ ଗ୍ରାମବାସୀ ଶ୍ରମ ଓ ଅର୍ଥଦାନ କରି ରାସ୍ତା ତିଆରି କରିଛନ୍ତି। ଫଳରେ ଯେଉଁ ପୋଖରୀ କୂଳକୁ ଦିନେ ସାଇକଲଟିଏ ଯାଇ ପାରୁନଥିଲା, ଏବେ ୪ ଚକିଆ ଗାଡ଼ି ଯାଉଛି। ଏମିତି ଏକ ଭଲ ଖବର ଆସିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗାଁରୁ। ଗାଁ’ର ଚାକିରିଆମାନେ ଏଥିପାଇଁ ଟଙ୍କା ଦେଇଥିଲା ବେଳେ ଗ୍ରାମବାସୀ ନିଜେ କୋଡ଼ି, କୋଦାଳ ଧରି ରାସ୍ତା ନିର୍ମାଣରେ ନିଜକୁ ସାମିଲ କରିଥିଲେ। ଫଳରେ ସପ୍ତାହକ ଭିତରେ ୧୩ ଫୁଟ ଓସାର ଓ ୭ ଶହ ଫୁଟ ଲମ୍ବାର ରାସ୍ତା ନିର୍ମାଣ ହୋଇପାରିଛି। ସରକାରୀ ଅନୁଦାନ କିମ୍ବା ନେତାଙ୍କ ହାତପାଣ୍ଠିକୁ ଅପେକ୍ଷା ନ କରି ନିଜ ଗାଁକୁ ନିଜେ ସୁନ୍ଦର କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଏହି ଗାଁ ଲୋକେ।
Task Force: ପରୀକ୍ଷା ସଂସ୍କାର ପାଇଁ ନିଲେକାନିଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ
ଅନୁଗୋଳ ବ୍ଲକ୍ ବେଡ଼ାଶାସନ ପଞ୍ଚାୟତର ହମାମିରା ଗାଁରେ ସାଢ଼େ ୩ ହଜାର ଲୋକ ରହୁଛନ୍ତି। ଏହି ଗାଁର ଲୋକମାନେ ଗାଁ ପୋଖରୀ ଉପରେ ନିର୍ଭର କରନ୍ତି। ବିବାହ ବ୍ରତଠାରୁ ଆରମ୍ଭ କରି ପୂଜାପାଠ ପର୍ଯ୍ୟନ୍ତ ଏଠାରୁ ଜଳ ସଂଗ୍ରହ କରାଯାଏ। ଲୋକମାନେ ଗାଧୋଇବା ସହ ଶୁଦ୍ଧିଘର କାମ ସବୁ ଏହି ପୋଖରୀ କୂଳରେ କରିଥାନ୍ତି। କିନ୍ତୁ ଗାଁ ମୁଖ୍ୟରାସ୍ତାରୁ ଏହି ପୋଖରୀକୁ ସରକାରୀ ରାସ୍ତା ନ ଥିଲା। ଚାଷଜମି ହିଡ଼ରେ ଲୋକମାନେ ପୋଖରୀକୁ ଯିବା ଆସିବା କରୁଥିଲେ। ଖରାଦିନେ ଲୋକମାନେ ଯେନତେନ ଉପାୟରେ କାମ ଚଳାଇ ଦେଉଥିଲେ ମଧ୍ୟ ବର୍ଷା ଦିନେ ଏହି ପୋଖରୀକୁ ଯିବା ଅସମ୍ଭବ ହୋଇପଡ଼େ। ରାସ୍ତା ନ ଥିବାରୁ ଏହାର ଉନ୍ନତୀକରଣ କାମ ବି ହୋଇପାରୁନଥିଲା।
Indian Idol: ଇଣ୍ଡିଆନ ଆଇଡଲ ଜିତିଲେ ଓଡ଼ିଶାର ଜ୍ୟୋତିର୍ମୟୀ
ଏଣୁ ପୋଖରୀକୁ ଏକ ସବୁଦିନିଆ ରାସ୍ତା ତିଆରି କରିବାକୁ ଗାଁ ବୈଠକରେ ଆଲୋଚନା ହୋଇଥିଲା। ରାସ୍ତା ନିର୍ମାଣ ପାଇଁ ହିଡ଼ ଦୁଇ ପାଖରେ ଥିବା ଚାଷ ଜମିରୁ କିଛି କିଛି ଅଂଶ ଦାନ କରିବାକୁ ଗାଁ ତରଫରୁ ଜମି ମାଲିକଙ୍କୁ ଅନୁରୋଧ କରାଯାଇଥିଲା। ଗାଁର ରସାନନ୍ଦ ଅମାନ୍ତ, ଅଶେଷ ଅମାନ୍ତ, ପ୍ରଭାକର ଅମାନ୍ତ, ନିତ୍ୟାନନ୍ଦ ବେହେରା, ରମେଶ ସାହୁ, କରୁଣାକର ସାହୁ, ମାମୁନ୍ ସାହୁ, ଚଞ୍ଚଳା ଅମାନ୍ତ ଓ ବିଶେଶ୍ବର ପଟ୍ଟନାୟକ ନିଜ ନିଜ ଜମିରୁ କିଛି ଭାଗ ରାସ୍ତା ପାଇଁ ଦାନ କରିବାକୁ ରାଜି ହୋଇଥିଲେ। ପରେ ଗାଁ କମିଟି ପକ୍ଷରୁ ଗାଁର ଚାକିରିଆମାନଙ୍କୁ ଯୋଗାଯୋଗ କରି ପ୍ରାୟ ୧ ଲକ୍ଷ ଟଙ୍କା ଯୋଗାଡ଼ କରାଯାଇଥିଲା। ଏହି ଟଙ୍କା ଓ ଗ୍ରାମବାସୀଙ୍କ ମିଳିତ ଶ୍ରମଦାନ ପରେ ଏବେ ପୋଖରୀକୂଳକୁ ରାସ୍ତା ଫିଟିଛି। ଏନେଇ ଗାଁ ସଭାପତି ଗୋପବନ୍ଧୁ ସାହୁ କହିଛନ୍ତି, ସମୂହ ସ୍ବାର୍ଥ ପାଇଁ ଜମିଦାନ କରିବାକୁ ଲୋକେ ରାଜି ହେବା ପରେ ରାସ୍ତା ନିର୍ମାଣ ହୋଇଛି। ଆଗକୁ ପୋଖରୀର ଉନ୍ନତୀକରଣ ସହ ହିଡ଼ର ସୌନ୍ଦର୍ଯ୍ୟୀକରଣ ପାଇଁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।

1 hour ago
2


