Nine Forms Of Maa Durga: ମା’ ଦୁର୍ଗାଙ୍କ ନବରୂପର ମହତ୍ତ୍ୱ

5 hours ago 2
ARTICLE AD BOX

ଶକ୍ତି, ସାହସ, ଧୈର୍ଯ୍ୟ ଓ ନ୍ୟାୟର ପ୍ରତୀକ ମା’ ଦୁର୍ଗା। ନବରାତ୍ରିର ୯ ଦିନରେ ଦେବୀଙ୍କ ୯ଟି ରୂପର ଆରାଧନା କରାଯାଏ। ଏହି ନବରୂପ ମିଶ୍ରଣକୁ ‘ନବଦୁର୍ଗା’ ବୋଲି କୁହାଯାଏ। ଧାର୍ମିକ ଆସ୍ଥା ସହିତ ଜଡ଼ିତ ଏହି ନବରୂପଗୁଡ଼ିକୁ ଜୀବନର ବିଭିନ୍ନ ମୂଲ୍ୟବୋଧର ପ୍ରତୀକ ସହ ଜଡ଼ିତ। ନବରାତ୍ରିର ପ୍ରଥମ ଦିନଠାରୁ ନବମ ଦିନ ପର୍ଯ୍ୟନ୍ତ ମା’ଙ୍କ ପ୍ରତ୍ୟେକ ରୂପର ରହିଛି ଭିନ୍ନ ମହତ୍ତ୍ୱ। କେଉଁ ରୂପ ଦୃଢ଼ତାର ବାର୍ତ୍ତା ଦିଏ, ତ ଆଉ କେଉଁ ରୂପ ଧୈର୍ଯ୍ୟ, ମମତା, ସାହସ ଓ ଆତ୍ମସଂଯମର ପ୍ରତୀକ ଭାବେ ପରିଚିତ।

ଦେବୀଙ୍କ ୯ଟି ରୂପ

ମା’ ଶୈଳପୁତ୍ରୀ: ନବରାତ୍ରିର ପ୍ରଥମ ଦିନ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ପୌରାଣିକ ପରମ୍ପରାରେ ସେ ପର୍ବତରାଜ ହିମାଳୟଙ୍କ କନ୍ୟା ଭାବେ ବର୍ଣ୍ଣିତ। ତାଙ୍କ ରୂପ ସ୍ଥିରତା ଓ ଦୃଢ଼ତା ସହ ଯୋଡ଼ି ହୋଇଥାଏ। ଜୀବନର ପ୍ରତ୍ୟେକ ନୂଆ ଆରମ୍ଭ ପାଇଁ ଏକ ଦୃଢ଼ ଭିତ୍ତିର ଆବଶ୍ୟକତା ରହିଥାଏ। ଏହି ବାର୍ତ୍ତା ଏହି ରୂପ ସହ ଜଡ଼ିତ।
ମା’ ବ୍ରହ୍ମଚାରିଣୀ: ଦ୍ୱିତୀୟ ଦିନ ମା’ ବ୍ରହ୍ମଚାରିଣୀଙ୍କ ଆରାଧନା କରାଯାଏ। ତପସ୍ୟା, ସଂଯମ ଓ ଧୈର୍ଯ୍ୟର ପ୍ରତୀକ ଭାବେ ତାଙ୍କୁ ସ୍ମରଣ କରାଯାଏ। ଜୀବନରେ ଲକ୍ଷ୍ୟ ହାସଲ କରିବାକୁ ତତ୍କ୍ଷଣାତ୍ ସଫଳତା ଅପେକ୍ଷା ଧୈର୍ଯ୍ୟ ଓ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଥାଏ।
ମା’ ଚନ୍ଦ୍ରଘଣ୍ଟା: ନବରାତ୍ରିର ତୃତୀୟ ଦିନ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଏ। କପାଳରେ ଘଣ୍ଟା ଆକୃତିର ଚନ୍ଦ୍ର ଧାରଣ କରିଥିବା ଏହି ରୂପ ସାହସ ଓ ଶାନ୍ତିର ପ୍ରତୀକ ଭାବେ ପରିଚିତ। ଜୀବନରେ ଅନେକ ଆହ୍ବାନ ଆସିଲେ ମଧ୍ୟ ମନର ଶାନ୍ତି ବଜାୟ ରଖି ସାହସର ସହ ତାହାର ମୁକାବିଲା କରିବାର ବାର୍ତ୍ତା ଏହି ରୂପ ଦିଏ।
ମା’ କୂଷ୍ମାଣ୍ଡା: ଚତୁର୍ଥ ଦିନ ମା’ କୂଷ୍ମାଣ୍ଡାଙ୍କ ଆରାଧନା କରାଯାଏ। ପୌରାଣିକ ମାନ୍ୟତାରେ ତାଙ୍କୁ ସୃଷ୍ଟିଶକ୍ତି ସହ ଯୋଡ଼ାଯାଇଛି। ଏହି ରୂପ ସୃଜନଶୀଳତା ଓ ସକାରାତ୍ମକତାର ପ୍ରତୀକ ଭାବେ ଦେଖାଯାଏ। ଜୀବନରେ ଛୋଟ ଛୋଟ ସକାରାତ୍ମକ ପଦକ୍ଷେପ ମଧ୍ୟ ବଡ଼ ପରିବର୍ତ୍ତନ ଆଣିପାରେ।
ମା’ ସ୍କନ୍ଦମାତା: ପଞ୍ଚମ ଦିନ ମା’ ସ୍କନ୍ଦମାତାଙ୍କ ପୂଜା କରାଯାଏ। ସେ କାର୍ତ୍ତିକେୟ ବା ସ୍କନ୍ଦଙ୍କ ମାତା ଭାବେ ପରିଚିତ। ମାତୃତ୍ୱ, ମମତା ଓ ଦାୟିତ୍ୱର ଭାବନା ତାଙ୍କ ରୂପ ସହ ଜଡ଼ିତ। ପରିବାର ଓ ସମ୍ପର୍କର ମହତ୍ତ୍ୱକୁ ଏହି ରୂପ ମନେ ପକାଇ ଦିଏ।
ମା’ କାତ୍ୟାୟନୀ: ନବରାତ୍ରିର ଷଷ୍ଠ ଦିନ ମା’ କାତ୍ୟାୟନୀଙ୍କ ଆରାଧନା କରାଯାଏ। ଶକ୍ତି, ସାହସ ଓ ନିର୍ଭୀକତାର ପ୍ରତୀକ ଭାବେ ତାଙ୍କୁ ସ୍ମରଣ କରାଯାଏ। ଜୀବନର କଠିନ ପରିସ୍ଥିତିରେ ଦୃଢ଼ ନିଷ୍ପତ୍ତି ନେବା ଓ ଭୟକୁ ସାମ୍ନା କରିବାର ସାହସ ଏହି ରୂପ ସହ ସମ୍ପର୍କିତ।
ମା’ କାଳରାତ୍ରୀ: ସପ୍ତମ ଦିନ ମା’ କାଳରାତ୍ରୀଙ୍କ ପୂଜା କରାଯାଏ। ଦେବୀଙ୍କ ଏହି ରୂପ ଭୟଙ୍କର ହୋଇଥିଲେ ମଧ୍ୟ ଅଶୁଭ ଶକ୍ତିର ବିନାଶ ସହ ଜଡ଼ିତ। ଅନ୍ଧକାର ଓ ଭୟକୁ ସାମ୍ନା କରି ଆଗକୁ ବଢ଼ିବାର ଆଧ୍ୟାତ୍ମିକ ବାର୍ତ୍ତା ଏହି ରୂପରୁ ମିଳେ।
ମା’ ମହାଗୌରୀ: ଅଷ୍ଟମ ଦିନ ମା’ ମହାଗୌରୀଙ୍କ ଆରାଧନା କରାଯାଏ। ଶାନ୍ତି, ପବିତ୍ରତା ଓ ସରଳତା ସହ ଏହି ରୂପକୁ ଯୋଡ଼ି ଦେଖାଯାଏ। ବାହ୍ୟ ଚମକ ଅପେକ୍ଷା ମନର ଶାନ୍ତି ଓ ସରଳତାର ମହତ୍ତ୍ୱ ଏହି ରୂପ ମାଧ୍ୟମରେ ପ୍ରତିଫଳିତ ହୁଏ।
ମା’ ସିଦ୍ଧିଦାତ୍ରୀ: ନବରାତ୍ରିର ନବମ ତଥା ଶେଷ ଦିନ ମା’ ସିଦ୍ଧିଦାତ୍ରୀଙ୍କ ପୂଜା କରାଯାଏ। ଧାର୍ମିକ ପରମ୍ପରାରେ ସେ ସିଦ୍ଧି ପ୍ରଦାନକାରିଣୀ ଦେବୀ ଭାବେ ପରିଚିତ। ଏହି ରୂପ ସାଧନା, ସଫଳତା ଓ ଆଧ୍ୟାତ୍ମିକ ପୂର୍ଣ୍ଣତା ସହ ଜଡ଼ିତ ବୋଲି ମନେ କରାଯାଏ।

Durga Puja: ମା’ଙ୍କ ଘଟସ୍ଥାପନା ବେଳେ ମାଟି ପାତ୍ରରେ ଶସ୍ୟ କାହିଁକି ବୁଣାଯାଏ?

ନବରାତ୍ରି କେବଳ ପୂଜାପାଠ ଓ ଉତ୍ସବର ସମୟ ନୁହେଁ, ଭକ୍ତି ପରମ୍ପରାରେ ଏହା ଆତ୍ମଚିନ୍ତନର ଏକ ଅବସର ଭାବେ ମଧ୍ୟ ଦେଖାଯାଏ। ନବଦୁର୍ଗାଙ୍କ ପ୍ରତ୍ୟେକ ରୂପ ସହ ଜଡ଼ିତ ଭିନ୍ନ ଭିନ୍ନ ପ୍ରତୀକାତ୍ମକ ଅର୍ଥ ମଣିଷକୁ ଜୀବନର ବିଭିନ୍ନ ପରିସ୍ଥିତିକୁ ସାମ୍ନା କରିବାର ମୂଲ୍ୟବୋଧ ସହ ଯୋଡ଼ିଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.