ARTICLE AD BOX
କାଠମାଣ୍ଡୁ: ନେପାଳର ନୁୱାକୋଟ୍ ସ୍ଥିତ ତ୍ରିଭୁବନ ତ୍ରିଶୂଳୀ ସେକେଣ୍ଡାରୀ ସ୍କୁଲର ପ୍ରଧାନଶିକ୍ଷକ ରାଜେନ୍ଦ୍ର ଦାୱାଡିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୧,୬୪୩ ଜଣ କୋମଳମତି ଶିଶୁ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଛନ୍ତି। ନେପାଳ-ତିବ୍ଦତ ସୀମାନ୍ତରେ ହିମଖଣ୍ଡ ଭୁଷୁଡ଼ିବା କାରଣରୁ ସୃଷ୍ଟ ଆକସ୍ମିକ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସୁଥିବା ବେଳେ ୪୭ ବର୍ଷୀୟ ଇଂରାଜୀ ଶିକ୍ଷକ ଦାୱାଡି ବୁଧବାର ସକାଳ ୯ଟା ୨୦ ମିନିଟରେ ଜଣେ ବନ୍ଧୁଙ୍କଠାରୁ ବିପଦର ସୂଚନା ପାଇଥିଲେ। ସ୍ଥିତିର ଗାମ୍ଭୀର୍ଯ୍ୟକୁ ବୁଝି ସେ ବିନା ବିଳମ୍ବରେ ବିଦ୍ୟାଳୟର ଘଣ୍ଟି ବଜାଇ ସମସ୍ତ ଶ୍ରେଣୀଗୃହ ଖାଲି କରିବା ସହ ଛାତ୍ରଛାତ୍ରୀମାନଙ୍କୁ ପାହାଡ଼ ଉପରକୁ ପଠାଇ ଦେଇଥିଲେ। ସିମେଣ୍ଟ ନିର୍ମିତ ତିନିମହଲା ବିଶିଷ୍ଟ ସ୍କୁଲଟି ନଦୀ ପତ୍ତନରୁ ୬୦ ମିଟର ଉଚ୍ଚରେ ଥିବାରୁ ପ୍ରଥମେ ସୁରକ୍ଷିତ ମନେହେଉଥିଲା, ମାତ୍ର କିଛି ସମୟ ମଧ୍ୟରେ ଭୟଙ୍କର ବନ୍ୟାଜଳ ସ୍କୁଲ ପ୍ରାଙ୍ଗଣ ଓ ସମଗ୍ର ଗ୍ରାମକୁ ସମ୍ପୂର୍ଣ୍ଣ ଭସାଇ ନେଇଥିଲା। ବିଦ୍ୟାଳୟ ନଷ୍ଟ ହୋଇଯାଇଥିଲେ ହେଁ ପିଲାମାନେ ନିକଟସ୍ଥ ଏକ ବୃକ୍ଷ ତଳେ ଆଶ୍ରୟ ନେଇ ସୁରକ୍ଷିତ ରହିଥିଲେ।
ନାୟକ ଭାବେ ପ୍ରଶଂସିତ ରାଜେନ୍ଦ୍ର ଦାୱାଡି
ପ୍ରଧାନଶିକ୍ଷକଙ୍କ ତ୍ୱରିତ ନିଷ୍ପତ୍ତି ଯୋଗୁଁ ୧,୬୪୩ ଜଣ ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକବୃନ୍ଦ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର ପାଇଥିଲେ ହେଁ ବିଦ୍ୟାଳୟର ଦୁଇଜଣ କର୍ମଚାରୀଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ସାମାଜିକ ବିଜ୍ଞାନ ଶିକ୍ଷକ ୩୨ ବର୍ଷୀୟ ସନ୍ତୋଷ ପରିୟାର ଜଳଖିଆ ପ୍ରସ୍ତୁତି ପାଇଁ ନଦୀକୂଳିଆ ଭଡ଼ାଘରକୁ ଫେରିଥିବା ବେଳେ ଏବଂ ପିଅନ ସୁଲତାନ ଲାମା ସ୍କୁଲ କବାଟ ବନ୍ଦ କରିବାକୁ ଯାଇ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ରାଜେନ୍ଦ୍ର ଦାୱାଡିଙ୍କୁ ଜଣେ ନାୟକ ଭାବେ ପ୍ରଶଂସା କରୁଥିବା ବେଳେ ସେ କହିଛନ୍ତି ଯେ ପିଲାମାନଙ୍କୁ ସୁରକ୍ଷିତ ରଖିବା ସେତେବେଳେ ମୋର ପ୍ରଥମ କର୍ତ୍ତବ୍ୟ ଥିଲା।

54 minutes ago
1


