ARTICLE AD BOX
ରାଇରଙ୍ଗପୁର/ବାଦାମପାହାଡ଼: କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲା। ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ବର୍ଷେରୁ ଅଧିକ ସମୟ ବିତିଗଲା। ହେଲେ ଯେଉଁ ଲୋକଙ୍କ ପାଇଁ ପ୍ରକଳ୍ପ, ସେହି ଲୋକଙ୍କ ଘରକୁ ବର୍ତ୍ତମାନ୍ ସୁଦ୍ଧା ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚି ପାରି ନାହିଁ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ମୟୂରଭଞ୍ଜଜିଲ୍ଲା କୁସୁମୀ ବ୍ଲକର ୧୧୩ଟି ଗ୍ରାମକୁ ଜଳ ଯୋଗାଣ ନିମନ୍ତେ ପ୍ରାୟ ୨୦୬ କୋଟି ୫୧ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଛି ବୃହତ୍ ପାନୀୟ ଜଳ ପ୍ରକଳ୍ପ। କିନ୍ତୁ ବଡ଼ହାତନାବେଡ଼ା ପଞ୍ଚାୟତର ୭ଟି ଗ୍ରାମ ଏବେ ବି ପାନୀୟ ଜଳରୁ ବଞ୍ଚିତ। ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ! ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ଲୋକଙ୍କ ପାଇଁ ନା ଠିକାଦାର ପାଇଁ ? ଯଦି ଲୋକଙ୍କ ପାଇଁ ତେବେ କାହିଁକି ମିଳୁନି ପାଣି? କିଏ କରିବ ତଦାରଖ? କୁସୁମୀ ବ୍ଲକର ୧୧୩ଟି ଗ୍ରାମକୁ ନଳ ଯୋଗେ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ରାଇରଙ୍ଗପୁର ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ନିର୍ମାଣ ହୋଇଛି ବୃହତ ଜଳ ପ୍ରକଳ୍ପ।
୨୦୬ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଏକ ବର୍ଷରୁ ଅଧିକ ସମୟ ହେଲା ସମ୍ପୂର୍ଣ୍ଣ ହୋଇଛି ହେଲେ ଜଙ୍ଗଲପାହାଡ ଉପାନ୍ତ ବଡ଼ ହାତନାବେଡ଼ା ପଞ୍ଚାୟତର ୭ଟି ଗ୍ରାମ ଯଥା:-ରାଇବାଡ଼ି, ବାସଘୁଟୁ, ଜାଟିସେରେଙ୍ଗ, ଠୁଣ୍ଟିପାଣି, କାଠଭାରିଆ, ନୂଆସାହି, ବଡ଼ ହାତନାବେଡା ପ୍ରଭୃତି ଗାଁରେ ଆଜି ବି ପାଇପ୍ ଯୋଗେ ପାଣି ପହଞ୍ଚିନାହିଁ। ଫଳରେ ସରକାରୀ ପ୍ରକଳ୍ପ ଥିବା ସତ୍ତ୍ୱେ ଲୋକେ ପାଣି ପାଇଁ ଦୁର୍ଦଶା ଭୋଗ କରୁଛନ୍ତି। ଉକ୍ତ ଗ୍ରାମର ପ୍ରତ୍ୟେକ ଘରକୁ ପାଇପ୍ ଓ ଟ୍ୟାପ ଲାଗିଛି କିନ୍ତୁ ପାନୀୟ ଜଳ ପହଞ୍ଚି ପାରିନି। ଫଳରେ ବାଧ୍ୟ ହୋଇ ଲୋକେ ଏବେବି କୂଅ ଓ ଚୁଆ ପାଣି ଭରସା କରୁଛନ୍ତି।
/filters:format(webp)/sambad/media/media_files/2026/09/30/1000208722-2026-09-30-18-58-51.jpg)
ପାନୀୟ ଜଳ ସମସ୍ୟା ନେଇ ‘ଗାଁ ଚାଲ’ କାର୍ଯ୍ୟକ୍ରମରେ ଲୋକେ ଜଙ୍ଗଲ, ପରିବେଶ ଓଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ନିକଟରେ ଅଭିଯୋଗ କରିଥିଲେ। ଜଳ ସମସ୍ୟା ନେଇ ଅଧିକ ଅଭିଯୋଗ ଆସିବା ପରେ ମନ୍ତ୍ରୀ ଯଥାଶୀଘ୍ର କାର୍ଯ୍ୟ ସାରି ଜଳ ଯୋଗାଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମବାସୀଙ୍କ ଦାବି କେବଳ ନିର୍ଦ୍ଦେଶ ନୁହେଁ, ତୁରନ୍ତ ମାଟିରେ କାମ ଦେଖାଯାଉ ଏବଂ ଏତେଦିନର ବିଳମ୍ବ ପାଇଁ ଦାୟିତ୍ୱ ନିର୍ଦ୍ଧାରଣ କରାଯାଉ ବୋଲି କହିଥିବା ବେଳେ ମନ୍ତ୍ରୀ ଗୋଟିଏ ମାସ ମଧ୍ୟରେ ବ୍ଲକର ପ୍ରତ୍ୟକ ଘରକୁ ପାନୀୟ ଜଳ ପହଞ୍ଚାଇବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଖାତିର କରୁନଥିବା ଅଭିଯୋଗ ହୋଇଛି।
Climate change impact: ରାଜନୀତିରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ! ସବୁବେଳେ ପ୍ରସଙ୍ଗରେ ‘ଲକ୍ଷ୍ମୀଯୋର’
କୋଟି କୋଟି ଟଙ୍କାର ପ୍ରକଳ୍ପର ସୁଫଳ ଯଦି ଲୋକଙ୍କ ଘରେ ନପହଞ୍ଚେ, ତେବେ ସରକାରୀ ବ୍ୟବସ୍ଥାର ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠୁଛି। ଉକ୍ତ ପ୍ରକଳ୍ପ ୨୦୧୯ ରେ ଆରମ୍ଭ ହୋଇ ୨୦୨୫ ରେ ଶେଷ ହୋଇଥିଲା। ନିର୍ମାଣ ପରେ ୫ ବର୍ଷ ପର୍ଯ୍ୟନ୍ତ ମରାମତି ପାଇଁ ନିୟମ ରହିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ପାନୀୟ ଜଳରୁ ବଞ୍ଚିତ ଗ୍ରାମବାସୀ।
ରିପୋର୍ଟ: ତୁଷାର କାନ୍ତ ମହାନ୍ତ, ସଞ୍ଜୟ ମହାକୁଡ

51 minutes ago
1


