ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ଓଡିଶା ଜୀବିକା ମିସନ ଓ ମିସନଶକ୍ତି ଯେଭଳି ନବରଙ୍ଗପୁର ଜିଲ୍ଲାରେ ମହିଳା ସ୍ବୟଂ ସହାୟକ ଦଳକୁ ଆର୍ଥିକସ୍ତରରେ ସଶକ୍ତ କରି ଆଗେଇ ନେବା କଥା ଏଯାଏଁ ହୋଇପାରିନି। ଏହାର ପ୍ରମୁଖ କାରଣ ହେଉଛି ଉଭୟ ବିଭାଗରେ କର୍ମଚାରୀ ସଙ୍କଟ। ଓଡିଶା ଜୀବିକା ମିଶନରେ ୫୭ଟି ପଦବି ମଧ୍ୟରୁ ମାତ୍ର ଜିଲ୍ଲାପ୍ରବନ୍ଧକଙ୍କୁ ମିଶାଇ ୧୨ଜଣ କାର୍ଯ୍ୟରତ।
୧୦ଟି ବ୍ଲକରୁ ୪ଟି ବ୍ଲକରେ ହିଁ ବ୍ଲକସ୍ତରୀୟ ପ୍ରବନ୍ଧକ ଥିବା ବେଳେ ଅନ୍ୟ ୬ବ୍ଲକରେ ଖାଲି। ଅପରପକ୍ଷରେ ମିଶନଶକ୍ତିରେ ୧୦ଟି ବ୍ଲକ ଓ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାସଂଯୋଜକଙ୍କ ସହ ମିଶାଇ ୨୨ଜଣଙ୍କ ସ୍ଥାନରେ ୧୧ଜଣ କର୍ମଚାରୀ ରହିଛନ୍ତି। ତିନି ଦିନ ତଳେ ନନ୍ଦାହାଣ୍ଡି ବ୍ଲକର ମିଶନଶକ୍ତି ସଂଯୋଜକ ଚାକିରୀରୁ ଇସ୍ତଫା ଦେଇଛନ୍ତି। ଏହି ସୁଯୋଗରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ମାନେ ଗାଁକୁ ଗାଁ ବୁଲି ମହିଳା ସ୍ବୟଂ ସହାୟକ ଗୃପ ଦୁଇ ଗୁଣା ୩୦ହଜାର ଗୃପ ଗଠନ କରିଛନ୍ତି।
ଜିଲ୍ଲାର ୧୦ଟି ବ୍ଲକର ୧୮୯ଟି ପଂଚାୟତରେ ଗ୍ରାମପଂଚାୟତସ୍ତରୀୟ ମହାସଂଘ (ଜିପିଏଲଏଫ), ୧୮୭୭ଟି କ୍ଲଷ୍ଟର ସ୍ତରୀୟ ମହାସଂଘ (ସିଏଲଏଫ), ୧୫,୩୧୪ଟି ଏସଏଚଜି ରହିଛି। ଜିଲ୍ଲାର ୧୦ଟି ବ୍ଲକରୁ ନବରଙ୍ଗପୁର, ଡାବୁଗାଁ, ରାଇଘର ଓ ପାପଡାହାଣ୍ଡିରେ ବ୍ଲକ ପ୍ରକଳ୍ପ ପ୍ରବନ୍ଧକ (ବିପିଏମ୍) ରହିଥିବା ବେଳେ ବଳକା ୬ଟି ବ୍ଲକରେ ବିପିଏମ୍ ପଦବି ଖାଲି ପଡିଛି। ବ୍ଲକସ୍ତରୀୟ ସଂଯୋଜକ (ବିଏଲସି) ରାଇଘର, ନବରଙ୍ଗପୁର, ପାପାଡାହାଣ୍ଡି, କୋଷାଗୁମୁଡା, ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡିରେ ରହିଛନ୍ତି।
ଜିଲ୍ଲାର ୧୮୯ଟି ପଂଚାୟତରେ ୧୫୬ଜଣ ଏମବିକେ, ୪୭ଜଣ ବ୍ୟାଙ୍କମିତ୍ର,୧୩୭୬ଜଣ ସିଆରପି-ସିଏମ, ୧୪୩ଜଣ କୃଷି ମିତ୍ର, ୯୬ଜଣ ପ୍ରାଣୀ ମିତ୍ର ରହିଛନ୍ତି। ଚନ୍ଦାହାଣ୍ଡି ବ୍ଲକରେ ବିପିଏମ୍ କିମ୍ବା ବିଏଲସି ପଦବୀ ପ୍ରକଳ୍ପ ଆରମ୍ଭ ହେବା ପର ଠାରୁ ଖାଲି ପଡିଛି। ଫଳରେ ଏହି ବ୍ଲକରେ ଜୀବିକା ମିଶନର କିଛି କାର୍ଯ୍ୟକ୍ରମ କାର୍ଯ୍ୟନ୍ବୟନ ହୋଇନି। ସେହିପରି ଜିଲ୍ଲା ଜୀବିକା ମିଶନ କାର୍ଯ୍ୟାଳୟରେ ଜଣେପ୍ରକଳ୍ପ ପ୍ରବନ୍ଧକଙ୍କୁ ବାଦ୍ ଦେଲେ ଆକାଉଣ୍ଟାଣ୍ଟ,ଜିଲ୍ଲା ଏମଆଇଏସ୍, ଯୁବ ପ୍ରପେସନାଲ୍ ଭଳି ପଦବି ପଦବୀ ଖାଲି ପଡିଛି। ମିଶନଶକ୍ତିରେ ନବରଙ୍ଗପୁର, ରାଇଘର ଓ ପାପଡାହାଣ୍ଡି ବ୍ଲକରେ କେହି କର୍ମଚାରୀ ନଥିବା କହିଛନ୍ତି ଜିଲ୍ଳା ମିସନଶକ୍ତି ସଂଯୋଜକ ନିରଂଜନ ଟାଙ୍ଗରଙ୍ଗ।
Nabarangpur Floods ନବରଙ୍ଗପୁର ବର୍ଷା ବିତ୍ପାତ: ୨୪,୭୦୬ ପ୍ରଭାବିତ, ପ୍ରାରମ୍ଭିକ କ୍ଷତି ୫୪କୋଟି ଟଙ୍କା
ବିଭିନ୍ନ ବ୍ୟାଙ୍କ ଓ ସରକାରୀ ଯୋଜନାରେ ଜିଲ୍ଲାରେ ୫୦କୋଟି ଟଙ୍କା ଏସଏଚଜିଙ୍କୁ ଦିଆଯାଇଛି। ତେବେ ଏସଏଚଜି କରୁଥିବା ପ୍ରକଳ୍ପ ସଠିକ ଭାବେ ତଦାରଖ କରିବା ଏବଂ ମାର୍ଗଦର୍ଶନ ଦେଇ ବ୍ୟାଙ୍କ ପ୍ରଶାସନ ସହ ସମନ୍ବୟ ରଖିବାକୁ ବ୍ଲକସ୍ତରରେ ମୁରବୀ ନଥିବାରୁ ଦୁର୍ନିତୀ ଓ ଟଙ୍କାର ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। ଗତ ୨୦୧୯ମସିହାରୁ ଝରିଗାଁ ବ୍ଲକର୬ଟି ପଂଚାୟତ ଓ ଉମରକୋଟ ବ୍ଲକର ସୁନାବେଡା ପଂଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯାଂଚ ବେଳେ ଜାଣି ପାରିଥିଲେ। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଓ ଝରିଗାଁ ବିଧାୟକ ନରସିଂହ ଭତରା କର୍ମଚାରୀ ଅଭାବ ଓ ନିଯୁକ୍ତିକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ନବରଙ୍ଗପୁର ଗସ୍ତବେଳେ ଅବଗତ କରିଥିଲେ।
ଜିଲ୍ଲାରେ କର୍ମଚାରୀ ଅଭାବ ଓ ହୋଇଥିବା ଦୁର୍ନିତୀ ସମ୍ପର୍କରେ ଓଏଲଏମ୍ ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧିକା ସସ୍ମିତା ସାମନ୍ତରାୟ ମନ୍ତ୍ରୀଙ୍କ ଦୃଷ୍ଟିକୁ ନେଇଥିଲେ। ମନ୍ତ୍ରୀଙ୍କ ନିର୍ଦେଶରେ ରାଜ୍ୟରୁ ଟିମ୍ ଆସି ଗତ ୪ମାସ ତଳେ ତଦନ୍ତ କରି ଫେରିଥିଲେ। ତେବେ ଏଯାଏଁ ଦୁର୍ନିତୀ କରିଥିବା ବ୍ୟକ୍ତି ବିଶେଷଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନି। କର୍ମଚାରୀ ଅଭାବ ଥିଲେହେଁ ଜିଲ୍ଲାର ନବରଙ୍ଗପୁର, ଉମରକୋଟ ଓ ରାଇଘର ଅଂଚଳର ବହୁ ଏସଏଚଜି ଗୃପ ଆର୍ଥିକସ୍ତରରେ ସଶକ୍ତ ହୋଇପାରିଛନ୍ତି ବୋଲି କହିଛନ୍ତି ଓଏଲଏମ୍ ଡିପିଏମ୍।

2 hours ago
1


