Neglect: ଆମ୍ବୁଲାନ୍ସ ଅଭାବରୁ ୨ ଯୁବକଙ୍କ ମୃତ୍ୟୁ, ଚିକିତ୍ସା ବିନା ଆଖିବୁଜିଲେ ମହିଳା

40 minutes ago 3
ARTICLE AD BOX

କାଳିଆପାଣି (ରବି ନାରାୟଣ କର): ସଂକଟାପନ୍ନ ଅବସ୍ଥାରେ ଥିବା ୨ ଯୁବ ରୋଗୀଙ୍କୁ ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ୧୦୮ ଆମ୍ବୁଲାନ୍ସ ମିଳିଲାନି। ଅନ୍ୟ ଜଣେ ମହିଳା ଚିକିତ୍ସା ଅଭାବରୁ ମୃତ୍ୟୁର ଶିକାର ହୋଇଛନ୍ତି। ଏମିତିରେ ଗୋଟିଏ ପଞ୍ଚାୟତରେ ଗତକାଲି ବିଳମ୍ବିତ ରାତି ୩ ଜଣ ଆଦିବାସୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକମାନେ ହେଲେ ଯାଜପୁରଜିଲ୍ଲା କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ ୧୨ ନମ୍ବର ୱାର୍ଡ ଗିରିଙ୍ଗାମାଳି ଗାଁର ଅନାମ ସିର୍‌କା ଓରଫ୍‌ ଟାଉ(୩୦) ଏବଂ ୧୪ ନମ୍ବର ୱାର୍ଡ ଝରଣାସାହିର ମଟ ମୁଣ୍ଡା ଓରଫ୍‌ ଲିପୁନ(୨୧) ଓ ଗୁରୁବାରୀ ବିରୁଆ(୫୫)।

ଗିରିଙ୍ଗାମାଳି ଗାଁର ମଟକା ସିର୍‌କାଙ୍କ ପୁଅ ଅନାମ ପଡ଼ୋଶୀ ଗନ୍ତାୟତ କାଟେଣି ଗାଁରେ ମଙ୍ଗଳବାର ଦିନ ସଂଧ୍ୟା ପର୍ଯ୍ୟନ୍ତ ପାୱାର ଟିଲର ଚଳାଇ ଜମି କାଦୁଅ କରିଥିଲେ। ଅଧିକ ପରିଶ୍ରମ ପାଇଁ ଗତକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଶୋଇଥିଲେ। ମଧ୍ୟାହ୍ନ ଭୋଜନ ପରେ ହଠାତ୍ ରକ୍ତବାନ୍ତି କରି ଅସୁସ୍ଥ ହୋଇପଡ଼ିଥିଲେ ବୋଲି ପତ୍ନୀ ସଞ୍ଜୁ କହନ୍ତି। ଅପରାହ୍ଣ ୪ଟାରୁ ୧୦୮କୁ ବାରମ୍ବାର କଲ୍‌ ସତ୍ତ୍ବେ ଆମ୍ବୁଲାନ୍ସ ଉପଲବ୍‌ଧ ହୋଇନଥିଲା ବୋଲି ସଞ୍ଜୁ ଅଭିଯୋଗ କରନ୍ତି। ଏଣେ ତୁହାକୁତୁହା ଲଗାଣ ବର୍ଷା ପାଇଁ ୨ ଶିଶୁକନ୍ୟା ଖୁସି(୮) ଓ ଇସାନି(୫)ଙ୍କୁ ସାଥୀରେ ଧରି ଘରୁ ଗୋଡ଼ କାଢ଼ିବାକୁ ସାହସ ହେଉନଥାଏ। ପୁଅର ଚିକିତ୍ସା ସହାୟତା ପାଇଁ ବୃଦ୍ଧା ମାଆବାପା ନିରୁପାୟ। ସକାଳୁ ବର୍ଷା ଛାଡ଼ିଲେ ଗାଡ଼ି ଭଡ଼ାକରି ସ୍ବାମୀଙ୍କୁ ମେଡିକାଲ୍ ନେବା ପାଇଁ ସଞ୍ଜୁ ଯୋଜନା କରିଥିଲେ। ହେଲେ ବିଳମ୍ବିତ ରାତି ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

Heavy Rain: ଗଭୀର ଅବପାତ ପ୍ରଭାବରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା ସତର୍କତା ଜାରି

ଝରଣାସାହିର ରୀନା ଓ ସନାତନ(ଦଶରା) ମୁଣ୍ଡାଙ୍କ ପୁଅ ଲିପୁନଙ୍କୁ ମଙ୍ଗଳବାର ଦିନ ଜର ହୋଇଥିଲା। ଗତକାଲି ‌ଦେହର ତାତି ଅସ୍ବାଭାବିକ ଭାବେ ବଢ଼ି ଯାଇଥିଲା। ବଡ଼ଭାଇ ମଙ୍ଗଲ ତାଙ୍କୁ ବାଇକ୍‌ରେ ବସାଇ ଗାଁ ଠାରୁ ପାଖାପାଖି ୮ କିଲୋମିଟର ଦୂର ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନଳ ଗାଁରେ ଥିବା ଏକ କ୍ଲିନିକ୍ ଆଣିଥିଲେ। ରକ୍ତ ପରୀକ୍ଷଣରୁ ଲିପୁନ ମ୍ୟାଲେରିଆ ଓ ଟାଇଫଏଡ୍‌ରେ ଆକ୍ର‌ାନ୍ତ ଥିବା ଜଣାପଡ଼ିଥିଲା। ଇଞ୍ଜେକ୍ସନ ଓ ସାଲାଇନ ଲଗାଇବା ପରେ ତାଙ୍କୁ ଘର ଅଣାଯାଇଥିଲା। ଘରେ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। କଫ ଓ ରକ୍ତ ମିଶା ବାନ୍ତି କରିଥିଲେ। ସଂଧ୍ୟା ୫ଟାରୁ ୧୦୮କୁ ବାରମ୍ବାର କଲ୍‌ ସତ୍ତ୍ବେ ଆମ୍ବୁଲାନ୍ସ ଉପଲବ୍‌ଧ ହୋଇନଥିଲା ବୋଲି ମଙ୍ଗଲ ‌କ୍ଷୋଭ ପ୍ରକାଶ କରିଛନ୍ତି। ଶେଷରେ ବର୍ଷା ସତ୍ତ୍ବେ ଗାଁ ପାଖରୁ ଏକ ଭଡ଼ାଗାଡ଼ିରେ ରାତି ୯ଟାରେ ଲିପୁନଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାଳିଆପାଣି ପୁଲିସ ମେଡିକାଲ‌ରେ ପହଞ୍ଚି ମୃତଦେହ ଜବତକରି ଏ ସଂକ୍ର‌ାନ୍ତରେ ଏକ ଅପମୃତ୍ୟୁ ମାମଲା ୧୬/୨୬ ରୁଜୁକରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ଠାରୁ ସୂଚନା ମିଳିଛି।

ସେହିପରି ସେହି ଝରଣାସାହିର ଦିନ ମଜୁରିଆ ଅର୍ଜୁନ ବିରୁଆଙ୍କ ପତ୍ନୀ ଗୁରୁବାରୀ ଗତକାଲି ଗାଁର ମାଳତି ମୁଣ୍ଡାଙ୍କ ଜମିରେ ରୁଆପୋତା କାମ କରିଥିଲେ। ସଂଧ୍ୟାରେ ଘରକୁ ଫେରିଥିଲେ। ରାତି ୮ଟାରେ ଖାଇସାରି ଶୋଇ ପଡ଼ିଥିଲେ। ରାତି ୧୦ଟା ବେଳକୁ ଗୁରୁବାରୀ ହଠାତ୍ ଶେଯରୁ ଉଠି ବାନ୍ତି କରିଥିଲେ। ହାତରେ ଟଙ୍କାଟିଏ ବି ନଥିବାରୁ ପତ୍ନୀଙ୍କୁ ମେଡିକାଲ ପଠାଇବା ସମ୍ଭବ ହୋଇନଥିଲା ବୋଲି ଅର୍ଜୁନ କହନ୍ତି। ତେବେ ସାମାନ୍ୟ ସେବା କରିବା ପରେ ଗୁରୁବାରୀ ପୁଣି ଶୋଇପଡ଼ିଥିଲେ। ହେଲେ ଆଜି ସକାଳ ଆଉ ଉଠି ନଥିଲେ।

ବିଳମ୍ବିତ ରାତି ଘଣ୍ଟାକ ମଧ୍ୟରେ ୩ ଅକାଳ ମୃତ୍ୟୁଙ୍କୁ ‌ନେଇ ସମିତିସଭ୍ୟ ତଥା ଝରଣାସାହି ବାସିନ୍ଦା ସମ୍ବରା ମୁଣ୍ଡା ଓ ସରପଞ୍ଚ ସଞ୍ଜୟ କୁମାର ପରିଡ଼ା ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏସବୁ ଘଟଣାର ନ୍ୟାୟିକ ତଦନ୍ତ କରି ପ୍ରଶାସନ ପକ୍ଷରୁ ମୃତକମାନଙ୍କ ପରିବାରକୁ କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ପାଇଁ ଉଭୟ ଦାବି କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.