ARTICLE AD BOX
‘ଧର୍ମେନ୍ଦ୍ର ଇସ୍ତଫା ଦିଅନ୍ତୁ’ ସମୟ ମାଗିଲେ ସରକାର, ଆଜି ପୁଣି ଆଲୋଚନା
ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନ ବନ୍ଦ ପାଇଁ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାରେ କୌଣସି ଚୂଡ଼ାନ୍ତ ନିଷ୍କର୍ଷ ବାହାରି ପାରିନାହିଁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସିଜେପି ଅଡ଼ି ରହିଛି। ସିଜେପି କହିଛି ଯେ ସେମାନଙ୍କ ଦାବି ଉପରେ ଜବାବ ରଖିବାକୁ ସରକାର ଶନିବାର ଅପରାହ୍ଣ ପର୍ଯ୍ୟନ୍ତ ସମୟ ନେଇଛନ୍ତି।
NEET: ନିଟ୍ ଆନ୍ଦୋଳନକାରୀଙ୍କୁ ସମର୍ଥନ କଲେ ମୁରଲୀ ମନୋହର ଯୋଶୀ
ଶୁକ୍ରବାର ଦିଲ୍ଲୀର କନ୍ଷ୍ଟିଚ୍ୟୁସନ୍ କ୍ଲବ୍ରେ ସିଜେପି ଓ ସରକାରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହ ସରକାରଙ୍କ ପ୍ରତିନିଧିତ୍ୱ କରିଥିଲେ। ସୌରଭ ଦାସ ଓ ଆଶୁତୋଷ ରାଙ୍କା ସିଜେପିର ପ୍ରତିନିଧିତ୍ୱ କରିଥିଲେ। ବୈଠକ ପରେ ସିଜେପି ମୁଖପାତ୍ରମାନେ କହିଛନ୍ତି, ଆମେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ କୌଣସି ସାଲିସ କରିବୁ ନାହିଁ। ସରକାର କ୍ଷତିପୂରଣ ପ୍ରଦାନ କରିବାକୁ ଓ ପ୍ରତିବାଦକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଦୁଇଘଣ୍ଟାର ବୈଠକରେ ସିଜେପି ପରୀକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ତିନୋଟି ପ୍ରମୁଖ ଦାବି ଓ ପାଞ୍ଚଟି ପରାମର୍ଶ ଉପସ୍ଥାପନ କରିଥିଲା। ସରକାର ଏଗୁଡ଼ିକ ବିଚାର କରିବା ପାଇଁ ଆସନ୍ତାକାଲି ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ସରକାର କୌଣସି ଦାବିରେ ରାଜି ହୋଇଥିବା ନଡ୍ଡା ସୂଚନା ଦେଇନାହାନ୍ତି। ତେବେ ଆଲୋଚନା ସୌହାର୍ଦ୍ଦପୂର୍ଣ୍ଣ ଥିଲା ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ସିଜେପି ଚେତାବନୀ ଦେଇ କହିଛି ଯେ ଯଦି ଶିକ୍ଷାମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ନ ଦିଅନ୍ତି କିମ୍ବା ତାଙ୍କୁ ବିଦା କରାନଯାଏ ତା’ ହେଲେ ଆନ୍ଦୋଳନ ଆହୁରି ତୀବ୍ର କରାଯିବ। ଆନ୍ଦୋଳନ ଏପରି ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଠି ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ କୌଣସି ବୁଝାମଣା ହୋଇପାରିବ ନାହିଁ ବୋଲି ସିଜେପି ସ୍ପଷ୍ଟ କରିଛି।
ଜୁଲାଇ ୨୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ବାସଭବନରେ ହୋଇଥିବା ପୂର୍ବ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରି ନଥିଲା। ସିଜେପି ପ୍ରବକ୍ତା ସୌରଭ ଦାସ କହିଛନ୍ତି, ଜୁଲାଇ ୨୦ରେ ଆନ୍ଦୋଳନ ବେଳେ ଦିଲ୍ଲୀ ପୁଲିସ ଓ ରାପିଡ୍ ଆକ୍ସନ୍ ଫୋର୍ସ ଯେପରି ଭାବରେ କ୍ରୂରତା ପ୍ରଦର୍ଶନ କରିଥିଲା ଆମେ ସେମାନଙ୍କୁ ସେମିତି ଯିବାକୁ ଦେବୁ ନାହିଁ। ତେବେ ସିଜେପିର ୩ ପ୍ରମୁଖ ଦାବିରୁ ସରକାର ଦୁଇଟିରେ ରାଜି ହୋଇଥିବାବେଳେ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ସହମତି ପ୍ରକାଶ କରିନାହାନ୍ତି ବୋଲି ସିଜେପି ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ମଧ୍ୟାହ୍ଣ ୧୨ଟାରେ ପୁଣି ଥରେ ସିଜେପି ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ।
ପ୍ରଶ୍ନପତ୍ର ପ୍ରଘଟ ରୋକିବାକୁ ଆସିବ କଠୋର ଆଇନ
ନୂଆଦିଲ୍ଲୀ: ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ର ସରକାର ଆଜି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ନେଇ ପ୍ରସ୍ତୁତ ଚିଠା ବିଲ୍କୁ ମଞ୍ଜୁରି ଦିଆଯାଇଛି। ପ୍ରସ୍ତାବିତ ଆଇନରେ ପ୍ରଶ୍ନପତ୍ର ପ୍ରଘଟକାରୀଙ୍କ ବିରୋଧରେ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ସର୍ବନିମ୍ନ ଜେଲ୍ ଦଣ୍ଡକୁ ବର୍ତ୍ତମାନ ୩ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରାଯିବା ନେଇ ପ୍ରସ୍ତାବ ରହିଛି। ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ-୨୦୨୪ରେ ସର୍ବନିମ୍ନ ୩ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି।
୧୦ ବର୍ଷ ଜେଲ୍, ୧୦ କୋଟି ଜରିମାନା
କ୍ୟାବିନେଟ୍ ଦେଲା ମଞ୍ଜୁରି, ଆସନ୍ତା ସପ୍ତାହରେ
ଆଗତ ହୋଇପାରେ
ସଂସଦରେ ଖୁବ୍ଶୀଘ୍ର ଏହି ବିଲ୍ ଆଗତ ହେବ। ଉକ୍ତ ବିଲ୍ ଆଗତ କରିବାରେ କୌଣସି ବିଳମ୍ବ ହେବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ତେଣୁ ଆସନ୍ତା ସପ୍ତାହରେ ଏହି ବିଲ୍ ସଂସଦରେ ଆଗତ ହେବା ସମ୍ଭାବନା ରହିଛି। ଗୁରୁବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ୟାବିନେଟ୍ ଶୁକ୍ରବାର ବଡ଼ ପଦକ୍ଷେପ ନେବ ବୋଲି ଘୋଷଣା କରିଥିଲେ। ପ୍ରସ୍ତାବିତ ଆଇନରେ ଫାଷ୍ଟଟ୍ରାକ୍ କୋର୍ଟ ସମେତ ଅନ୍ୟାନ୍ୟ ବ୍ୟବସ୍ଥାରେ ଦ୍ରୁତ ବିଚାର ବ୍ୟବସ୍ଥା ରହିବ ବୋଲି ଅନୁମାନ କରାଯାଉଛି। ନୂଆ ଆଇନ ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ-୨୦୨୪ ଉପରେ ଆଧାରିତ। ନିଟ୍-ୟୁଜି ଏବଂ ୟୁଜିସି-ନେଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ପରେ ୨୦୨୪ ଜୁନ୍ରେ କେନ୍ଦ୍ର ସରକାର ଏହି ନୂଆ ଆଇନ ପ୍ରଣୟନ କରିଥିଲେ।

2 hours ago
1


