ARTICLE AD BOX
ଭାପୁର:ରାଜ୍ୟରେ ଗତ ଦୁଇମାସ ତଳେ ଲଘୁଚାପ ଜନିତ ଲଗାଣ ବର୍ଷାହେବା ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଏହି ଅବସରରେ ନୟାଗଡ଼ଜିଲ୍ଲା ଭାପୁର ବ୍ଲକ ଅଞ୍ଚଳରେ ଶହ ଶହ ହେକ୍ଟର ଗଜା ଧାନଗଛ ବର୍ଷା ପାଣିରେ ବୁଡି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପୁଣି ୩ ଦିନ ତଳେ ଲଘୁଚାପ ବର୍ଷା ହେବାରୁ ଶହଶହ ଧାନ ଗଛ ସହିତ ଆଖୁ ଏବଂ ବିଭିନ୍ନ ପନିପରିବା ଫସଲ ବର୍ଷା ପାଣିରେ ବୁଡି ଯାଇଛି। ଫସଲ ମଧ୍ୟକୁ ମାଳ ମାଳ ଷଣ୍ଢ ଏବଂ ରାତିରେ ବାରହା ପସି ଫସଲ ଖାଇ ଯାଉଥିବା ସହିତ ଫସଲ ଦଳି ଚକଟି ନଷ୍ଟ କରି ଦେଉଛନ୍ତି। ଏହି ଘଟଣାକୁ ନେଇ ଶହ ଶହ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି।
ରାତିରେ ପଲ୍ଲ ପଲ୍ଲ ବାରହା, ଚିନ୍ତାରେ କୃଷକ
ମିଳିଥିବା ସୂଚନାରୁ ଜଣାପଡିଛି ଯେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଞ୍ଚଳରେ ଜୁଲାଇ ମାସ ୧୫ ତାରିଖରେ ୨୦. ୪ ମିଳିମିଟର ବର୍ଷା ହୋଇଥିବାବେଳେ ୧୬ ତାରିଖରେ ୧୩୨. ୩, ୧୭ ତାରିଖରେ ୪୬. ୨, ୧୮ ତାରିଖରେ ୭. ୪, ୨୫ ତାରିଖରେ ୩୮. ୧, ୨୬ ତାରିଖରେ ୪୫. ୧, ୨୭ ତାରିଖରେ ୨୩ ୩ ଏବଂ ୨୮ ତାରିଖରେ ୩୫. ୪ ମିଲି ମିଟର ବର୍ଷା ହୋଇଥିବା ବେଳେ ସେପ୍ଟେମ୍ବର ୨୩ ତାରିଖରେ ସୃଷ୍ଟି ହୋଇଥିବା ଘୃନି ବଳୟରେ ୧୭. ୩ ମିଲି ମିଟର ବର୍ଷା ହୋଇଥିବାବେଳେ ୨୪ ରେ ୪୯. ୨ ଏବଂ ୨୫ ତାରିଖରେ ୩୯. ୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି।
ଭାପୁର ବ୍ଲକର ଧାନଚାଙ୍ଗଡ଼ା, ପଥରଚକଡା, କେନ୍ଦୁପଲ୍ଲୀ, ବାଉଁଶବାଟୀ, ପଦ୍ମାବତୀ, ଶାସନ, କରବର, ରାକମା, ବିଜିପୁର, ଫତେଗଡ଼, ଭାପୁର, ରାକମା, ଗୋଳାପୋଖରୀ, ଚକ୍ରଧରପ୍ରସାଦ, ନିମଣୀ, ବଡ଼ସହରା, ଶାଳପଡ଼ା, ବାଇଗୁଣିଆ, ବାଘୁଆପଲ୍ଲୀ ଏବଂ ଭଗବାନପୁର ଅଞ୍ଚଳର ହଜାର ହଜାର ହେକ୍ଟରରେ ଚଳିତ ବର୍ଷ ଖରିପ ଋତୁର ଧାନଚାଷ ହୋଇଥିଲା। ବର୍ଷ ଆରମ୍ଭରୁ ପାଣିପାଗ ଠିକଠାକ ଥିବା ସହିତ ମୌସୁମୀ ଆସିବାରେ ଟିକେ ବ୍ୟତିକ୍ରମ ହେବା ସହିତ ବର୍ଷାର ମଧ୍ୟ ବ୍ୟତିକ୍ରମ ଦେଖାଦେଇଥିଲା। ଫଳରେ କୃଷକମାନେ ଧାନ ବୁଣାରେ ମଧ୍ୟ ବିଚଳିତ ହୋଇପଡ଼ିଥିଲେ। ବର୍ଷାର ଆଗମନକୁ ଦେଖି ଶହଶହ କୃଷକ ବିଲରେ ଧାନ ବୁଣି ପକାଇଥିଲେ ଏବଂ ପରବର୍ତ୍ତି ସମୟରେ ଧାନ ଗଜା ହୋଇପଡ଼ିଥିଲା।
ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭାପୁର ବ୍ଲକ ଅଞ୍ଚଳର ଦେଇ ବୋହି ଯାଉଥିବା କାଳିଗିରି, କମେଇଁ ଉପ ନଦୀ ମାନଙ୍କରେ ବର୍ଷା ପାଣି ମାଡିଆସିଛି। ଭାପୁର ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଧାନ ଗଛଗୁଡିକ ବର୍ଷା ପାଣିରେ ବୁଡିଯାଇଥିବାବେଳେ ବିଲମାନଙ୍କରେ ବର୍ଷାପାଣି ଜମାହୋଇ ଫସଲ ସବୁ ନଷ୍ଟ ହୋଇଯାଇଛି। ଏହି ଘଟଣାପ୍ରତି ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ଗୁରୁତର ସହିତ ଦୃଷ୍ଟି ଦେବା ସହିତ କ୍ଷୟକ୍ଷତି ଆକଳନ କରି କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ପାଇଁ ଶହ ଶହ କୃଷକ ଦାବି କରିଛନ୍ତି।
ବର୍ଷା କମିବା ସହ ରାଜ୍ୟରେ ପରିସ୍ଥିତିରେ ସୁଧାର; ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଜରୁରୀକାଳୀନ ପଦକ୍ଷେପ ଜାରି

46 minutes ago
1


