ARTICLE AD BOX
ଭୁବନେଶ୍ୱର: ଏକ ସୁ-ପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ମହିଳା ଓ ଶିଶୁମାନଙ୍କ ପୋଷଣରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଅଙ୍ଗନବାଡି ଓ ସ୍କୁଲ ଜରିଆରେ ଅନେକ ପୋଷଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ପୁରା ପରିବାରକୁ ସାମିଲ କରାଯାଉଛି। ପରିବାରର ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ ମଧ୍ୟ ଶିଶୁର ପୌଷ୍ଟିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସଂଶ୍ଳିଷ୍ଟ କରାଯାଉଛି। ସଚେତନତା ଓ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଜରିଆରେ ଆମ ଓଡ଼ିଶାକୁ ନିଶ୍ଚିତ ଭାବରେ ଏକ ସୁ-ପୋଷିତ ଓଡ଼ିଶା ଭାବେ ପ୍ରତିଷ୍ଠିତ କରାଯିବ।
ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡି କେନ୍ଦ୍ରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ 'ଆଙ୍ଗନ୍ କା ଉତ୍ସବ' ଏବଂ '୯ମ ରାଷ୍ଟ୍ରୀୟ ପୋଷଣ ମାସ' ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ସେ ପୁଣି କହିଥିଲେ ଯେ, ପୋଷଣ ମାସ ପାଳନ ଅବସରରେ ରାଜ୍ୟବ୍ୟାପୀ ୪୬ ଲକ୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି ଏବଂ ଆଧାର ଯାଞ୍ଚ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଶିଶୁର ପ୍ରଥମ ୧୦୦୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଶିଶୁଙ୍କ ସୂଚାରୁ ଲାଳନପାଳନରେ ମା’ମାନଙ୍କ ସହ ପିତା ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହଭାଗିତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏକ ସୁସ୍ଥ, ସୁନ୍ଦର ଓ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ସେ ଆହ୍ୱାନ ଦେଇ କହିଥିଲେ ଯେ, ଏକ ସୁପୋଷିତ ଓଡିଶା ପାଇଁ ସରକାର ପ୍ରତିବଦ୍ଧ।
ସେ ଆହୁରି କହିଛନ୍ତି ଯେ, ତୃଣମୂଳ ସ୍ତରରେ ନିଃସ୍ୱାର୍ଥପର ସେବା ପ୍ରଦାନ କରି ରାଜ୍ୟରେ ଶିଶୁ ଟୀକାକରଣ, ଅନୁଷ୍ଠାନଗତ ପ୍ରସବ ବୃଦ୍ଧି ଏବଂ ଶିଶୁ ଓ ମାତୃ ମୃତ୍ୟୁହାର ଯଥେଷ୍ଟ ହ୍ରାସ କରିବାର ପ୍ରକୃତ ଶ୍ରେୟ ଆମର ଅଙ୍ଗନବାଡ଼ି କର୍ମୀ, ସହାୟିକା, ANM ଓ ଆଶା କର୍ମୀମାନଙ୍କର।
ବଜେଟର ଅତିକମରେ ୪୦ ପ୍ରତିଶତ କେବଳ ମହିଳାମାନଙ୍କ ପାଇଁ ଖର୍ଚ୍ଚ ହେଉଛି
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଓଡ଼ିଶା ଦେଶରେ ଦ୍ଵିତୀୟ ସବୁଠାରୁ ଅଧିକ ଶିଶୁ ଓ ମାତୃ ମୃତ୍ୟୁହାର ଥିବା ରାଜ୍ୟ ଥିଲା, ମାତ୍ର ଆଜି ଏହି ଦୁଇଟି ମାପକାଠିରେ ରାଜ୍ୟ ଏକ ସନ୍ତୋଷଜନକ ସ୍ଥିତିରେ ପହଞ୍ଚିପାରିଛି। ସମାଜର ଅଧା ଜନସଂଖ୍ୟାଙ୍କ ମଙ୍ଗଳ ବିନା ବିକାଶ ଅସମ୍ଭବ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା 'ସୁଭଦ୍ରା ଯୋଜନା', 'ଲକ୍ଷପତି ଦିଦି', 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' ଓ 'ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା' ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ମୋଟ ବଜେଟର ଅତିକମରେ ୪୦ ପ୍ରତିଶତ କେବଳ ମହିଳାମାନଙ୍କ ପାଇଁ ଖର୍ଚ୍ଚ ହେଉଛି ବୋଲି ସେ ପ୍ରକାଶ କରିଥିଲେ।
ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ନିଃଶୁଳ୍କ କରାଯାଇଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ନାତକୋତ୍ତର (M.A.) ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯାଇଛି। ସେହିପରି ଜନ୍ମିତ ଶିଶୁ କନ୍ୟାମାନେ ସ୍ନାତକ ଶିକ୍ଷା ସମାପ୍ତ କଲେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ 'ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା' ମାଧ୍ୟମରେ ଦେଶର ବଛା ବଛା ବେସରକାରୀ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି ପିଲାମାନଙ୍କୁ ସ୍କୁଲ କିଟ୍ ବଣ୍ଟନ କରିବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦର୍ଶନ ପାଇଁ ବାପାମାନଙ୍କୁ ପୁରସ୍କୃତ କରିଥିଲେ। ଏହା ସହ ଅଙ୍ଗନବାଡି କର୍ମୀ, ସହାୟିକା ଓ ଆଶା କର୍ମୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି 'ତ୍ରିରଙ୍ଗା ଥାଳି' ଓ ଗରମ ରନ୍ଧା ଖାଦ୍ୟର ଗୁଣବତ୍ତା ଅନୁଧ୍ୟାନ କରିଥିଲେ ଏବଂ ପିଲାମାନଙ୍କୁ ଖାଦ୍ୟ ମଧ୍ୟ ପରଷି ଥିଲେ ।
ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ସ୍ୱାଲ, ବିଭାଗୀୟ ନିର୍ଦ୍ଦେଶକା ମୋନିଷା ବାନାର୍ଜୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶା କର୍ମୀ, ଶିଶୁ ଓ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।

35 minutes ago
1


