Navami Puja: ଆଜି ପବିତ୍ର ଅଁଳା ନବମୀ: ଜାଣନ୍ତୁ ପୂଜାର ଶୁଭ ମୁହୂର୍ତ୍ତ ଓ ବିଧି

16 minutes ago 1
ARTICLE AD BOX

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥିକୁ ଅତ୍ୟନ୍ତ ପବିତ୍ର ଓ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିନକୁ ଅଁଳା ନବମୀ ବା ଅକ୍ଷୟ ନବମୀ ଭାବେ ପାଳନ କରାଯାଏ। ଏହି ଅବସରରେ ଭଗବାନ ବିଷ୍ଣୁଙ୍କ ସହ ଅଁଳା ଗଛର ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି।

ପୂଜାର ଶୁଭ ମୁହୂର୍ତ୍ତ
ପଞ୍ଜିକା ଅନୁସାରେ, ଆଜି ସକାଳ ୬ଟା ୪ ମିନିଟ୍‌ରୁ ନବମୀ ତିଥି ଆରମ୍ଭ ହୋଇ ୧୯ ତାରିଖ ସକାଳ ୭ଟା ୫ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଉଦୟା ତିଥି ଅନୁସାରେ ଆଜି ଅଁଳା ନବମୀ ପାଳନ କରାଯାଉଛି। ପୂଜା ପାଇଁ ଶୁଭ ଚୌଘଡ଼ିଆ ସମୟ ସକାଳ ୬ଟା ୪୬ରୁ ୮ଟା ୬ ମିନିଟ୍‌ ପର୍ଯ୍ୟନ୍ତ ଏବଂ ଅମୃତ ଚୌଘଡ଼ିଆ ସକାଳ ୮ଟା ୬ରୁ ୯ଟା ୨୬ ମିନିଟ୍‌ ପର୍ଯ୍ୟନ୍ତ ରହିଛି। ସେହିପରି ସକାଳ ୧୦ଟା ୪୬ରୁ ମଧ୍ୟାହ୍ନ ୧୨ଟା ୬ ମିନିଟ୍‌ ପର୍ଯ୍ୟନ୍ତ ଶୁଭ ସମୟ ରହିଛି।

କିପରି କରିବେ ପୂଜା?
ଅଁଳା ନବମୀ ଦିନ ସକାଳୁ ଶୀଘ୍ର ଉଠି ନିତ୍ୟ କର୍ମସାରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ପୂଜା ସମୟରେ ହଳଦିଆ ଫୁଲ, ଚନ୍ଦନ, ତୁଳସୀ ପତ୍ର ଓ ଭୋଗ ଅର୍ପଣ କରିବା ସହ ଘିଅ ଦୀପ ଜଳାଇ ବିଷ୍ଣୁ ମନ୍ତ୍ର ଜପ କରାଯାଏ। ପରେ ଅଁଳା ଗଛର ମୂଳରେ ଜଳ ଓ କ୍ଷୀର ଅର୍ପଣ କରି ଭୋଗ ଲଗାଯାଏ। 

ରାଧାପାଦ ଦର୍ଶନ
ଏହି ଅବସରରେ ପୁରୀଜିଲ୍ଲା ସତ୍ୟବାଦୀସ୍ଥିତ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଅନୁଷ୍ଠିତ ହୋଇଥାଏ ବହୁ ପ୍ରତୀକ୍ଷିତ ରାଧାପାଦ ଦର୍ଶନ। ବର୍ଷକୁ ମାତ୍ର ଥରେ ମିଳୁଥିବା ଏହି ଦୁର୍ଲଭ ଦର୍ଶନ ପାଇଁ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। 

ଦାନ କଲେ ମିଳେ ଅକ୍ଷୟ ପୁଣ୍ୟ
ଅକ୍ଷୟ ନବମୀରେ ପୂଜାର୍ଚ୍ଚନା ସହ ଦାନଧର୍ମର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ନିଜ ସାମର୍ଥ୍ୟ ଅନୁସାରେ ଗରିବ ଓ ଅସହାୟଙ୍କୁ ଅନ୍ନ, ବସ୍ତ୍ର, ଅର୍ଥ ଦାନ କରିବା ଶୁଭ ବୋଲି ବିଶ୍ୱାସ ରହିଛି। 'ଅକ୍ଷୟ'ର ଅର୍ଥ ହେଉଛି ଯାହାର କେବେ କ୍ଷୟ ହୁଏ ନାହିଁ। ଏହି ଦିନ ଶ୍ରଦ୍ଧାର ସହ କରାଯାଇଥିବା ପୂଜା, ଜପ, ତପ ଓ ଦାନର ଫଳ ଅକ୍ଷୟ ରହିଥାଏ। ଏହି କାରଣରୁ ଅଁଳା ନବମୀକୁ ଭକ୍ତି, ସେବା ଓ ପୁଣ୍ୟ ଅର୍ଜନର ଏକ ପବିତ୍ର ଦିନ ଭାବେ ଗ୍ରହଣ କରାଯାଏ।

Panchuka: ପଞ୍ଚୁକ କାହିଁକି ପାଳନ କରାଯାଏ? ଜାଣନ୍ତୁ ଏହାର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ

Read Entire Article
LEFT SIDEBAR AD

Hidden in mobile, Best for skyscrapers.