ARTICLE AD BOX
ନୂଆଦିଲ୍ଲୀ: ଦେଶର ଖଣି କ୍ଷେତ୍ରରେ ବଦଳୁଥିବା ଆବଶ୍ୟକତା ଓ ନୂଆ ପ୍ରାଥମିକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାତୀୟ ଖଣି ନୀତି ୨୦୧୯ର ସମୀକ୍ଷା କରିବେ। ଏଥିପାଇଁ ଖଣି ମନ୍ତ୍ରଣାଳୟ ଏକ ୯ ଜଣିଆ କମିଟି ଗଠନ କରିବ। ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। କମିଟି ଗଠନ ହେବାର ଦୁଇ ମାସ ମଧ୍ୟରେ ସୁପାରିସ ଦାଖଲ କରିବାକୁ କୁହାଯାଇଛି। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଖଣିଜ ପଦାର୍ଥର ରିସାଇକ୍ଲିଂ ଓ ସମୁଦ୍ର ଗର୍ଭରୁ ଖଣିଜ ସମ୍ପଦ ଉତ୍ତୋଳନ ଭଳି କ୍ଷେତ୍ର ଉପରେ ନୂଆ ନୀତିରେ ଗୁରୁତ୍ୱ ଦିଆଯିବ।
୨୦୧୯ରେ ନୀତି ପ୍ରଣୟନ ହେବା ପରେ ଖଣି କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି। ତେଣୁ ବର୍ତ୍ତମାନର ଆବଶ୍ୟକତା ଅନୁସାରେ କେଉଁ ବ୍ୟବସ୍ଥାରେ ପରିବର୍ତ୍ତନ ଦରକାର ତାହା କମିଟି ଅନୁଧ୍ୟାନ କରିବ। ଏହା ସହିତ ନୀତିରେ ବ୍ୟାପକ ସଂଶୋଧନ ପାଇଁ ସୁପାରିସ କରିବ। ୨୦୧୯ ଫେବ୍ରୁଆରିରେ କେନ୍ଦ୍ର କ୍ୟାବିନେଟ ଜାତୀୟ ଖଣି ନୀତିକୁ ଅନୁମୋଦନ କରିଥିଲା। ଖଣି କ୍ଷେତ୍ରରେ ସ୍ୱଚ୍ଛତା ବୃଦ୍ଧି, ନିୟମର ଉପଯୁକ୍ତ କାର୍ଯ୍ୟକାରିତା, ଘରୋଇ ନିବେଶକୁ ଉତ୍ସାହିତ କରିବା ଓ ପରିବେଶ ଅନୁକୂଳ ଓ ଦୀର୍ଘସ୍ଥାୟୀ ଖଣି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଖଣି ପ୍ରକଳ୍ପ ଯୋଗୁଁ ପ୍ରଭାବିତ ଲୋକଙ୍କ ସମସ୍ୟା ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଖଣି କ୍ଷେତ୍ରରେ ଅଧିକ ଅନୁସନ୍ଧାନ, ଘରୋଇ କମ୍ପାନିଙ୍କ ଅଂଶଗ୍ରହଣ, ନୂଆ ପ୍ରଯୁକ୍ତିର ବ୍ୟବହାର ଓ ବ୍ୟବସାୟ କରିବା ପ୍ରକ୍ରିୟାକୁ ସହଜ କରିବା ମଧ୍ୟ ଏହି ନୀତିର ଅନ୍ୟତମ ଲକ୍ଷ୍ୟ ଥିଲା। ଏବେ ଦେଶର ଖଣିଜ ସମ୍ପଦର ସୁରକ୍ଷା, ଯୋଗାଣ ଶୃଙ୍ଖଳକୁ ମଜଭୁତ କରିବା ଓ ଦେଶ ଭିତରେ ଖଣିଜ ପଦାର୍ଥର ପ୍ରକ୍ରିୟାକରଣ ଓ ମୂଲ୍ୟବୃଦ୍ଧି ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଫିମିର ପୂର୍ବତନ ମହାନିର୍ଦ୍ଦେଶକ ବି କେ ଭାଟିଆଙ୍କ ମତରେ, ଖଣି କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ବଢ଼ୁଥିବା ଗୁରୁତ୍ୱ ଯୋଗୁଁ ଜାତୀୟ ଖଣି ନୀତିର ସଂଶୋଧନ ଆବଶ୍ୟକ ହୋଇପଡ଼ିଛି। ନୂଆ ନୀତି ଦେଶର ଖଣିଜ ସମ୍ପଦର ସମ୍ଭାବନାକୁ ବ୍ୟବହାର କରିବା, ନିବେଶ ଓ ଉନ୍ନତ ପ୍ରଯୁକ୍ତିକୁ ଆକର୍ଷିତ କରିବା ସହ ଖଣିଜ ସମ୍ପଦ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବଢ଼ାଇବାରେ ସହାୟକ ହେବା ଉଚିତ। ଏହି ସମୟରେ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ ୧୯୫୭ର ପୁନଃସମୀକ୍ଷା ଓ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିସନ ଭଳି ପଦକ୍ଷେପ ମଧ୍ୟ ଗୁରୁତ୍ୱ ବହନ କରୁଛି।

3 hours ago
1


