ARTICLE AD BOX
ଭୁବନେଶ୍ୱର (ପ୍ରିୟଙ୍କା ରାୟ): ରାତି ପାହିବା ମାତ୍ରେ ଘରେ ଶୁଭେ ତନ୍ତର ଖଟଖଟ ଶବ୍ଦ। ଘରର ବରିଷ୍ଠ ନାଗରିକମାନଙ୍କଠାରୁ ଆରମ୍ଭ କରି ସର୍ବକନିଷ୍ଠଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ତନ୍ତ ସାମ୍ନାରୁ ନିଜର ଦିନଚର୍ଯ୍ୟା ଆରମ୍ଭ କରିଥାନ୍ତି। ନିଜର ନିଶା ଆଉ ପେସା ସବୁକିଛି ଏହି ତନ୍ତରୁ ଆରମ୍ଭ ହୋଇ ତନ୍ତରେ ସରିଯାଏ। ହେଲେ ବର୍ତ୍ତମାନ କଞ୍ଚାମାଲ ଓ ବଜାରର ଅଭାବ, ନକଲି ପ୍ରିଣ୍ଟିଂ, ଡିଜାଇନ୍, ପାରିଶ୍ରମିକ କମ୍ ଯୋଗୁ ନିଜ କୌଳିକ ବୃତ୍ତିରୁ ମୁହଁ ଫେରାଇବାକୁ ବୁଣାକାର ବାଧ୍ୟ ହେଉଛନ୍ତି। ପ୍ରାଚୀନ କାଳରୁ ଓଡ଼ିଆ ବୁଣାକାରମାନଙ୍କ ମନଲୋଭା ଚିତ୍ର ବିଶ୍ବ ହସ୍ତତନ୍ତ ବଜାରରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଆସିଛି। ବସ୍ତ୍ରର କାରୁକଳା ଓ ଗୁଣାତ୍ମକ ମାନ ବେଶ୍ ପ୍ରଂଶସିତ ହୋଇଛି। ସମ୍ବଲପୁରୀ ବାନ୍ଧ ଶାଢ଼ି, କୋଟପାଡ଼ ହସ୍ତତନ୍ତ, ଓଡ଼ିଶା ଇକ୍କତ, ଖଣ୍ଡୁଆ ଶାଢ଼ି ଓ ଫେବ୍ରିକ୍ସ, ଗୋପାଳପୁର ଟସର, ଧଳାପଥର ପରଦା, ବମକେଇ ଶାଢ଼ି, ହବସପୁରୀ ଶାଢ଼ି, ବ୍ରହ୍ମପୁର ପାଟଶାଢ଼ି ଓ ଯୋଡ଼ ଆଦିକୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳିଛି। କିନ୍ତୁ ପରିତାପର କଥା, ଓଡ଼ିଆ ବୁଣାକାରର ଭାଗ୍ୟ ବଦଳୁନାହିଁ। ସରକାରୀ ତଥ୍ୟ ଅନୁସାରେ, ବର୍ତ୍ତମାନ ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହସ୍ତତନ୍ତ ଉପରେ ଏକ ଲକ୍ଷ ୯୨ହଜାର ୨୩୯ଜଣ ଲୋକ ନିର୍ଭର କରୁଛନ୍ତି। ଜଣେ ବୁଣାକାର ପରିବାର ଦୈନିକ ୮ରୁ ୧୦ ଘଣ୍ଟା ପରିଶ୍ରମ ପରେ ମଧ୍ୟ ଏକ ହଜାର ଟଙ୍କା ସର୍ବନିମ୍ନ ପ୍ରାପ୍ୟ ପାଇପାରୁନାହାନ୍ତି।
Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା
ବଜାର ଓ ପ୍ରଶିକ୍ଷଣ ଅଭାବ
ଟସର ବୁଣାକାର ଶରତ କୁମାର ଦାସ କହିଛନ୍ତି ଯେ ଟସର ଶାଢ଼ି ଓ ଓଢ଼ଣୀର ଦେଶବିଦେଶରେ ବେଶ୍ ଚାହିଦା ରହିଛି। ଟସର ସୂତାରର ଅଭାବ, ଦରବୃଦ୍ଧି ଓ ଉପଯୁକ୍ତ ବଜାର ସୁବିଧା ନ ଥିବାରୁ ଏହି କୁଟୀର ଶିଳ୍ପ ପ୍ରତି ଯୁବପିଢ଼ି ନିରୁତ୍ସାହିତ ହେଉଛନ୍ତି। ଉପଯୁକ୍ତ ବଜାର ନ ଥିବାରୁ ଆମକୁ କମ୍ ମୂଲ୍ୟରେ ଶାଢ଼ି ବିକିବାକୁ ପଡ଼ୁଛି। ସରକାର ଯଦି ଯୁବପିଢ଼ିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ପ୍ରାପ୍ୟ ଦିଅନ୍ତେ ତେବେ ସେମାନଙ୍କୁ ବାହାରକୁ ଯିବାକୁ ପଡ଼ନ୍ତା ନାହିଁ।
ସୂତାକଳ ଓ ରଙ୍ଗ କାରଖାନା ହେଉ
ଓଡ଼ିଶା ବୁଣାକାର ସଂଘର ସଭାପତି ଶ୍ରୀଧର ବେହେରା କହିଛନ୍ତି ଯେ ରାଜ୍ୟରେ ବୁଣାକାରମାନଙ୍କ ଚାହିଦା ଅନୁଯାୟୀ ଆବଶ୍ୟକ କଞ୍ଚାମାଲ୍ ନାହିଁ। ଏଠାରେ ସୂତାକଳ ଓ ବୃହତ ପ୍ରାକୃତିକ ରଙ୍ଗ କାରଖାନା ହେବା ଦରକାର। ପୂର୍ବରୁ ବୁଣାକାରଙ୍କୁ ମିଳୁଥିବା ବୀମା ବନ୍ଦ ହୋଇଯାଇଛି। ତାହା ପୁନଃ ପ୍ରଚଳନ ହେଉ। ସେହିପରି ତନ୍ତବୁଣା ଚିତ୍ରଗୁଡ଼ିକର ପ୍ରିଣ୍ଟିଂ ଯେପରି ନ ହୁଏ ସେଥିପାଇଁ ସରକାର ନଜର ଦେବା ଉଚିତ।
Palm trees: ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ ‘ତାଳଗଛ’
ହସ୍ତତନ୍ତର ସ୍ୱତନ୍ତ୍ରତା ରହୁ
ଜିଆଇ ଗବେଷିକା ଅନୀତା ସାବତ କହିଛନ୍ତି ଯେ ଦେଶବିଦେଶରେ ଓଡ଼ିଶା ହସ୍ତତନ୍ତର ଆଦୃତି ବଢ଼ିବାରେ ଲାଗିଛି। ଏଥିପାଇଁ ଆହ୍ୱାନ ମଧ୍ୟ ବଢ଼ୁଛି। ପର୍ଯ୍ୟଟନସ୍ଥଳଗୁଡ଼ିକରେ ହସ୍ତତନ୍ତ ଛାପା ଶାଢ଼ି ଅତି କମ୍ ଦାମରେ ମିଳୁଥିବାରୁ ଏହା ସମ୍ପର୍କରେ ବିଶେଷ ଜାଣି ନଥିବା ଲୋକେ ପ୍ରିଣ୍ଟିଂ ଶାଢ଼ି ନେଇଯାଉଛନ୍ତି। ତେଣୁ ଜିଆଇ ଉତ୍ପାଦଗୁଡ଼ିକୁ ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ନିରୀକ୍ଷଣ କମିଟି ରହିବାର ଆବଶ୍ୟକତା ରହିଛି। ବୁଣି ଏବେ କିଛି ବୁଣାକାର ଆମର ସ୍ୱତନ୍ତ୍ର ଡିଜାଇନ୍ ବଦଳରେ ବାହାର ଡିଜାଇନ୍ ବେଶୀ କରୁଛନ୍ତି। ଫଳରେ ନିର୍ଦ୍ଦିଷ୍ଟ କଳା ଲୋପ ପାଇଯାଉଛି। ତେଣୁ ସରକାର ଓ ବୁଣାକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।

1 week ago
4

