ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ବନ୍ୟାକୁ ନେଇ ନବରଂଗପୁରରେ ରାଜନୀତି ତେଜିବାରେ ଲାଗିଛି। ବନ୍ୟା ପ୍ରାକୃତିକ ନୁହେଁ, ବରଂ ସରକାରୀ ଅବହେଳାରୁ ସୃଷ୍ଟ ମନୁଷ୍ୟକୃତ ବିପର୍ଯ୍ୟୟ। ଏଭଳି ପୂର୍ବରୁ କଂଗ୍ରେସ ଅଭିଯୋଗ କରୁଥିବା ବେଳେ ଏବେ ବିଜେଡି ସମାନ ପ୍ରସଙ୍ଗ ଉଠାଇଛି। ଏଭଳି ସାଂଘାତିକ ଅଭିଯୋଗ ଆଣି ସରକାର, ଓଏଚପିସି ଓ ପ୍ରଶାସନକୁ ଘେରିଛି ବିଜେଡି।
ନବରଙ୍ଗପୁର ସହରର ୪ଟି ୱାର୍ଡ, ନବରଙ୍ଗପୁର, ନନ୍ଦାହାଣ୍ଡି ଏବଂ କୋଷାଗୁମୁଡ଼ା ବ୍ଲକର କ୍ଷୟକ୍ଷତିକୁ ସଠିକ ଭାବେ ଆକଳନ କରି ୨୦ଦିନ ମଧ୍ୟରେ କ୍ଷତିପୂରଣ ଆକାରରେ ସ୍ୱତନ୍ତ୍ର ପ୍ୟାକେଜ୍ ନ ଦେଲେ ଜିଲ୍ଲା ବନ୍ଦ କରିବା ସହ କୋର୍ଟରେ ମାମଲା ରୁଜୁ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଜେଡି ଜିଲ୍ଲା ସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ମଂଜୁଳା ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ସଭ୍ୟ ଅରୁଣ ମିଶ୍ର, କ୍ଷିରୋଧ କୁମାର ନାୟକ, ଯୋଗୀନ୍ଦ୍ର ସ୍ବାଇଁ, ପିଣ୍ଟୁ ତ୍ରିପାଠୀ, ଭୀମ ହରିଜନ।
ଦୈନିକ ୫ରୁ ୮କୋଟି ଟଙ୍କା ରାଜସ୍ୱ
ଜଳଭଣ୍ଡାରରୁ ବିଦ୍ୟୁତ୍ ଉତ୍ପାଦନ ଓ ବିକ୍ରିରୁ ଦୈନିକ ୫ରୁ ୮କୋଟି ଟଙ୍କା ରାଜସ୍ୱ ମିଳୁଥିବା ବେଳେ ବନ୍ୟା ବିପନ୍ନଙ୍କ ପାଇଁ ମାତ୍ର ୫କୋଟି ଟଙ୍କାର ସହାୟତା ହାସ୍ୟସ୍ପଦ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ମାତ୍ର ୩ ହଜାର ଟଙ୍କା। ଏହା କ୍ଷତିପୂରଣ ନା ଚାଷୀଙ୍କ ଦୁର୍ଦ୍ଦଶା ସହ ଉପହାସ? ଚାଷୀଙ୍କୁ ଏକର ପିଛା ୩ ହଜାର ଟଙ୍କା ସହାୟତାକୁ କଟାକ୍ଷ କରି ଏହା ୪ କିଲୋ ମଟନର ଦାମ ସହ ସମାନ ବୋଲି କହିଛି ବିଜେଡି। ୧୫୭ଘର ସମ୍ପୁର୍ଣ୍ଣ ୧୧୦୦ଘର ଆଶିଂକ ଭାଙ୍ଗିଥିବା ରିପୋର୍ଟରେ ସତ୍ୟତା ନାହିଁ।
ଆକଳନ ଠିକରେ ହେଉନି
ଆକଳନ ଠିକରେ ହେଉନି। ଢ଼େବରାଗୁଡା, ଭାଟିଗୁଡାରେ ୨ଜଣ ଭାସିଯାଇ ମରିଯାଇଥିବା ବେଳେ ଏହାକୁ ଲୁଛାଇ ଦିଆଯାଇଛି। ରିଲିଫ ପାଇଁ ଦିଆଯାଉଥିବା ୧୫କିଲୋ ଚାଉଳରୁ ୩କିଲୋ କାଟିବା, ପଲିଥିନକୁ ଦୁଇ ଭାଗ କରି ବିତରଣ କରିବା, ଆଂଶିକ ଘର ଭଙ୍ଗାକୁ ପଲିଥିନ ନ ଦେବା, ମୁଖ୍ୟମନ୍ତ୍ରୀ କୋଟପାଡ ପିରଂଜି ଯାଇ ସୀମାନ୍ତ ବନ୍ୟାଂଚଳ କୋଷାଗୁମୁଡା ବ୍ଲକ ନ ଆସିବା, ନବରଙ୍ଗପୁର ପୌରପାଳିକାର ୧,୨, ୩ ଓ ୪ ନମ୍ବର ୱାର୍ଡରେ ୪୦ଟି କାର, ୧୫୦ଟି ବାଇକର ଯନ୍ତ୍ରାଂଶ ସହ ବୈଦ୍ୟୁତିକ ସାମଗ୍ରୀ ଓ ଲୁଗା ନଷ୍ଟ ହୋଇଥିବା ଜଣେ ବ୍ୟବସାୟୀଙ୍କ ୩କୋଟିର ବୈଦ୍ୟୁତିକ ସାମଗ୍ରୀ, ବିଦ୍ୟାନିକେତନ କଲେଜ, ହୋଟେଲ ଗ୍ଲେଜ ଓ ସିନେମା ହଲ ସମ୍ପୁର୍ଣ୍ଣ ନଷ୍ଠ ହୋଇଥିଲେ ହେଁ ହେଁ ସରକାରୀ ଅଧିକାରୀ ମାନେ ସର୍ଭେ ନ କରିବା ପଛରେ ରହସ୍ୟ କଣ।
flood: ନେପାଳରେ ପୁଣି ଆକସ୍ମିକ ବନ୍ୟା, ୩୫ରୁ ଅଧିକ ଘର ଓ ସେତୁ ଭାସିଗଲା
ରାତି ଅଧରେ ଜଳ ନିଷ୍କାସନ
ଗତ ମାସ ୨୪ ଓ ୨୫ ତାରିଖର ବନ୍ୟା ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ପୂର୍ବ ସୂଚନାରେ ରାତି ଅଧରେ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଫଳରେ ବନ୍ୟା ହୋଇଛି ବୋଲଇ କହିଛି ବିଜେଡି । ମାସକ ପୂର୍ବରୁ ଜାଣିଥିଲେ ସୁଦ୍ଧା ଜଳପରିଚାଳନାରେ ଅବହେଳା କରାଯାଇଛି। କଳାହାଣ୍ଡି କହିବାରୁ ମୁଖୀଗୁଡାରେ ଜଳନିଷ୍କାନ ବନ୍ଦ କଲେ ଅନ୍ୟପକ୍ଷରେ ନବରଙ୍ଗପୁର ରେଡୱାର୍ଣ୍ଣିଂ ଥିବା ସମୟରେ ଗେଟ୍ ଖୋଲିବାଯୋଗୁଁ ବନ୍ୟା ହୋଇଛି।
ବିଜେଡିର ଅଭିଯୋଗକୁ ଖଣ୍ଡନ
ବିଜେଡିର ଅଭିଯୋଗକୁ ଖଣ୍ଡନ କରି ଏହାକୁ ବିଜେଡିକୃତ ବନ୍ୟା ବୋଲି ପାଲଟା ଜବାବ ଦେଇଛନ୍ତି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ। ତତ୍କାଳୀନ ସହାୟତା ଭାବେ ୫ କୋଟି ଟଙ୍କା ଦିଆଯାଇଛି। ବର୍ତ୍ତମାନ କ୍ଷୟକ୍ଷତିର ଆକଳନ ଚାଲିଛି। ରିପୋର୍ଟ ଆଧାରରେ ଆଗକୁ ଉପଯୁକ୍ତ ସହାୟତା ଦିଆଯିବ। ବନ୍ୟାକୁ ନେଇ ବିଜେଡି ଅଯଥା ରାଜନୀତି କରୁଛି। ବନ୍ୟା ମୃତକଙ୍କ ପ୍ରମାଣ ଦେବାକୁ କହିଛନ୍ତି ଶ୍ରୀ ମାଝୀ।

2 hours ago
1


