ARTICLE AD BOX
ଗୋଟିଏ ସମୟ ଥିଲା, ଯେତେବେଳେ ଘରର ଚାରିକାନ୍ଥ, ଗୋରୁଗାଈଙ୍କ ସେବା ଏବଂ ରନ୍ଧାବଢ଼ା ଭିତରେ ହିଁ ସୀମିତ ଥିଲା ସେମାନଙ୍କର ଦୁନିଆ। ବାହାରକୁ ବାହାରି କାହା ସହ କଥା ହେବା କିମ୍ବା ରୋଜଗାର କରିବା ବିଷୟରେ ଚିନ୍ତା କରିବା ମଧ୍ୟ କଷ୍ଟକର ଥିଲା। କିନ୍ତୁ ଆଜି ସେହି ମହିଳାମାନେ ଗାଁରେ ଏକ ସୋରିଷ ତେଲ କାରଖାନା ଚଳାଇ ନିଜ ପରିବାରର ଆର୍ଥିକ ମେରୁଦଣ୍ଡ ସାଜିଛନ୍ତି।
ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ସିଇସି ବିରୋଧୀ ପ୍ରତିବାଦ: ଇସିଆଇ କାର୍ଯ୍ୟାଳୟକୁ ପଦଯାତ୍ରା
ଏହା ହେଉଛି ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାସ୍ଥିତ ହୁସେନି ଗାଁର ଆଞ୍ଚଲ୍, ପ୍ରୀତି ଏବଂ ସେମାନଙ୍କ 'ଶ୍ରୀ ଜୀ ସ୍ୱୟଂ ସହାୟକ ଗୋଷ୍ଠୀ'ର ୫ ଜଣ ମହିଳାଙ୍କ ସଂଘର୍ଷ ଓ ସଫଳତାର କାହାଣୀ।
ପ୍ରଥମ ସଂଘର୍ଷ ଥିଲା ଘର ଭିତରେ
୨୬ ବର୍ଷୀୟା ଆଞ୍ଚଲ୍ ସ୍ନାତକ ପାସ୍ କରିଥିଲେ ମଧ୍ୟ ଘର କାମ ଏବଂ ଛୁଆଙ୍କ ଯତ୍ନ ନେବାରେ ହିଁ ଦିନ ବିତୁଥିଲା। ତାଙ୍କର ତିନୋଟି ସନ୍ତାନ ମଧ୍ୟରୁ ଦୁଇଜଣ ଭିନ୍ନକ୍ଷମ, ଯେଉଁମାନଙ୍କର ନିୟମିତ ନିରବଚ୍ଛିନ୍ନ ଯତ୍ନ ଏବଂ ଚିକିତ୍ସା ଆବଶ୍ୟକ ଥିଲା। ୨୦୨୩ ମସିହାରେ ଯେତେବେଳେ ସେ ବାହାରକୁ ବାହାରି କାମ କରିବାକୁ ନିଷ୍ପତ୍ତି ନେଲେ, ଘର ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ଆଞ୍ଚଲ୍ ହାର୍ ନମାନି ସକାଳୁ ଶୀଘ୍ର ଉଠି ଘର କାମ ସାରି ସୋରିଷ ତେଲ ୟୁନିଟ୍କୁ ଯିବା ଆରମ୍ଭ କଲେ।
ଅନ୍ୟପଟେ, ୩୨ ବର୍ଷୀୟା ପ୍ରୀତି ମଧ୍ୟ ପାଠପଢ଼ିବା ପରେ ସ୍ୱାବଲମ୍ବୀ ହେବାକୁ ଚାହୁଁଥିଲେ। ନିଜ ସ୍ୱାମୀ ଏବଂ ଶାଶୂ-ଶ୍ୱଶୁରଙ୍କୁ ବୁଝାଇ ସେ ମଧ୍ୟ ଏହି ପ୍ରକଳ୍ପ ସହ ଯୋଡ଼ିହେଲେ।
୧୪ ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା ଉଦ୍ୟମ
'ଏସ୍ ଏମ୍ ସେହଗଲ୍ ଫାଉଣ୍ଡେସନ୍'ଏବଂ 'ଏଚ୍ଡିଏଫ୍ସି ବ୍ୟାଙ୍କ ପରିବର୍ତ୍ତନ'ର ସହାୟତାରେ ୨୦୨୩ ମସିହାରେ ୧୪ ଲକ୍ଷ ଟଙ୍କା ନିବେଶରେ ଏହି ସୋରିଷ ତେଲ ଉଦ୍ୟୋଗ ଆରମ୍ଭ କରାଯାଇଥିଲା। ଗାଁର ମୁଖିଆ ଏବଂ ବୟସ୍କମାନେ ଭାବୁଥିଲେ ଯେ ମହିଳାମାନେ ମେସିନ୍ ଚଳାଇ ପାରିବେ ନାହିଁ, ଏହାକୁ ପୁରୁଷମାନଙ୍କୁ ହସ୍ତାନ୍ତର କରିଦେବା ଉଚିତ୍। କିନ୍ତୁ ସେହଗଲ୍ ଫାଉଣ୍ଡେସନ୍ର ଫିଲ୍ଡ ସ୍ପେଶାଲିଷ୍ଟ ଛାୟା ସିଂହ ଓ ଏହି ମହିଳାମାନେ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରିବାର ସଂକଳ୍ପ ନେଇଥିଲେ। ଯେଉଁ ମେସିନ୍କୁ ଛୁଇଁବାକୁ ଦିନେ ଭୟ ଲାଗୁଥିଲା, ମାତ୍ର ୧୦ ରୁ ୧୫ ଦିନର କଠିନ ପ୍ରଶିକ୍ଷଣ ପରେ ଆଞ୍ଚଲ୍ ଏବଂ ପ୍ରୀତି ସେହି ମେସିନ୍କୁ ନିଜେ ଚଳାଇବା ଶିଖିଗଲେ।
ଆହୁରି ପଢ଼ନ୍ତୁ: ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ; ଫାଣ୍ଡି ଅଧିକାରୀ ନିଲମ୍ବିତ, ବଦଳିଲେ ଆଇଆଇସି
୨୪ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ
ନଭେମ୍ବର ୨୦୨୩ରୁ ଆରମ୍ଭ ହୋଇଥିବା ଏହି ୟୁନିଟ୍ର ମୋଟ ବିକ୍ରି ୨୪ ଲକ୍ଷ ଟଙ୍କା ଅତିକ୍ରମ କରିସାରିଛି। ୨୦୨୬ ମସିହାର ଜାନୁଆରୀରୁ ଅଗଷ୍ଟ ମାସ ମଧ୍ୟରେ ହିଁ ସେମାନେ ୨,୯୯୫.୫ ଲିଟର ସୋରିଷ ତେଲ ଏବଂ ୩,୮୪୧.୫ କିଲୋଗ୍ରାମ୍ ପିଡ଼ିଆ ବିକ୍ରି କରି ୬,୫୩,୯୮୦ ଟଙ୍କାରବ୍ୟବସାୟ କରିଛନ୍ତି।
ଆଜି ସେମାନଙ୍କ ତେଲ କେବଳ ନିଜ ଗାଁରେ ନୁହେଁ, ବରଂ ମଥୁରା, ଆଲିଗଡ଼, ବୁଲନ୍ଦସହର (ଉତ୍ତର ପ୍ରଦେଶ), ଗୁରୁଗ୍ରାମ, ଫରିଦାବାଦ (ହରିୟାଣା) ଏବଂ ରାଜସ୍ଥାନର କିଛି ଅଞ୍ଚଳକୁ ବିକ୍ରି ପାଇଁ ଯାଉଛି।
୫. ବଦଳିଗଲା ଜୀବନ ଓ ଚିନ୍ତାଧାରା
ନିଜର ରୋଜଗାର ହେବା ପରେ ମହିଳାମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଆଞ୍ଚଲ୍ ମାସକୁ ୫,୦୦୦ ରୁ ୬,୦୦୦ ଟଙ୍କା ରୋଜଗାର କରି ନିଜ ଭିନ୍ନକ୍ଷମ ପିଲାମାନଙ୍କ ଓଷଧ ଏବଂ ଚିକିତ୍ସା ଖର୍ଚ୍ଚ ନିଜେ ବହନ କରୁଛନ୍ତି। ସ୍ୱାମୀଙ୍କ ଉପରେ ସେ ଆଉ ସମ୍ପୂର୍ଣ୍ଣ ନିର୍ଭରଶୀଳ ନୁହଁନ୍ତି। ପ୍ରୀତି ନିଜ ପିଲାମାନଙ୍କ ସ୍କୁଲ୍ ଫିସ୍ ଦେବା ସହ ଘର ଖର୍ଚ୍ଚରେ ସାହାଯ୍ୟ କରୁଛନ୍ତି। ଯେଉଁ ଶାଶୂ ଦିନେ ବାହାରକୁ ଯିବାକୁ ବାରଣ କରୁଥିଲେ, ସେ ଆଜି ଏହି ତେଲରେ ହିଁ ଘରେ ରୋଷେଇ କରୁଛନ୍ତି।ଏହି ମହିଳାମାନଙ୍କ ସଫଳତା ପ୍ରମାଣିତ କରିଛି ଯେ ସୁଯୋଗ ଏବଂ ସାହସ ମିଳିଲେ ଗ୍ରାମୀଣ ଭାରତର ନାରୀମାନେ ଯେକୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରିବେ।
ଆହୁରି ପଢ଼ନ୍ତୁ: ଶୁଳ୍କମୁକ୍ତ ଚିନି ଆମଦାନି ମହଲତ ୨ ମାସ ବଢ଼ିଲା

1 hour ago
2


