ARTICLE AD BOX
ଗାଜିଆବାଦ: ପୋଷାକ ଅଲଗା, ପରିଚୟ ଅଲଗା ହେଲେ ଆସ୍ଥା ଆଗରେ ଯେମିତି ସବୁ ପରିଚୟ ଫିକା ପଡ଼ିଯାଏ। ମୋଦିନଗରର ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଏମିତି ଏକ ଦୃଶ୍ୟ। ବୁର୍ଖା ପିନ୍ଧି କାନ୍ଧରେ ପାଣିଭାର ଧରି ଆଗକୁ ବଢ଼ୁଥିଲେ ଦୁଇ ମୁସଲମାନ ମହିଳା ଅନିସା ଓ ତମନ୍ନା। ସେମାନଙ୍କୁ ଦେଖି ରାସ୍ତାରେ ଜମିଥିଲା ଲୋକଙ୍କ ଭିଡ଼।
ହରିଦ୍ୱାରରୁ ପାଣିଭାର ଓ ହାତରେ ରାମ ଅଭିଷେକ ଫଟୋ ନେଇ ଫେରୁଥିବା ଏହି ଦୁଇ ମହିଳା ମୋଦିନଗର-ମୁରାଦନଗର ଦେଇ ଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ସେମାନଙ୍କୁ ଫୁଲ ବର୍ଷା କରି ସ୍ୱାଗତ କରିଥିଲେ। କେହି ଫୁଲ ଦେଇ ସମ୍ମାନ ଜଣାଇଥିଲେ, ତ ଆଉ କେହି କାନ୍ଧରେ ଗେରୁଆ ଶାଲ୍ ବସ୍ତ୍ର ପକାଇ ସେମାନଙ୍କ ଯାତ୍ରାକୁ ସମ୍ମାନ ଜଣାଇଥିଲେ।
ରାସ୍ତାରେ ଶୁଭୁଥିଲା ‘ହର ହର ମହାଦେବ’ ଓ ‘ଜୟ ଶ୍ରୀରାମ’ ଧ୍ୱନି। ଭିଡ଼ ଭିତରେ ଥିଲା ଉତ୍ସାହ, ଆଶ୍ଚର୍ଯ୍ୟ ଓ ସମ୍ମାନର ଭାବ। ବୁର୍ଖା ପିନ୍ଧିଥିବା ଦୁଇ ମହିଳାଙ୍କ କାନ୍ଧରେ ପାଣିଭାର ଦେଖିବା ପାଇଁ ଦିଲ୍ଲୀ-ମିରଟ ରାସ୍ତାରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ଏହି ଅପ୍ରତ୍ୟାଶିତ ସ୍ୱାଗତରେ ଭାବବିହ୍ୱଳ ହୋଇ ଅନିସା ଓ ତମନ୍ନା ହାତ ଯୋଡ଼ି ଲୋକଙ୍କୁ କୃତଜ୍ଞତା ଜଣାଇଥିଲେ। ଯାତ୍ରାର ପ୍ରତିଟି ପଦକ୍ଷେପରେ ମିଳିଥିବା ଏହି ସମ୍ମାନ ସେମାନଙ୍କ ପାଇଁ ଏକ ଅଲଗା ଅନୁଭୂତି ବୋଲି ସେ କହିଛନ୍ତି।
ପିଲାଙ୍କ ପାଇଁ ମହାଦେବଙ୍କ ଦ୍ୱାରରେ ପ୍ରାର୍ଥନା
ଅନିସାଙ୍କ କହିବା ଅନୁସାରେ, ସେ ନିଜେ ତିନି ତଲାକ୍ର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ପିଲାମାନଙ୍କ ହେପାଜତକୁ ନେଇ ସ୍ୱାମୀଙ୍କ ସହ ତାଙ୍କର ବିବାଦ ଚାଲିଛି। ନିଜ ପିଲାମାନଙ୍କୁ ପୁଣିଥରେ ନିଜ ପାଖକୁ ଫେରାଇ ଆଣିବାର ଆଶା ନେଇ ସେ ମହାଦେବଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତମନ୍ନାଙ୍କ କହିବା କଥା, ଏହି ଯାତ୍ରା ସମୟରେ ଯେଉଁଭଳି ଭାବେ ସେମାନଙ୍କୁ ଲୋକେ ସମ୍ମାନ ଦେଇଛନ୍ତି, ତାହା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି। ମହିଳାଙ୍କୁ ଏଭଳି ସମ୍ମାନ କେବଳ ସନାତନ ଧର୍ମରେ ହିଁ ସମ୍ଭବ। ଏପଟେ, ଦୁଇ ମହିଳାଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପୁଲିସ କର୍ମଚାରୀ ମୁତୟନ କରାଯାଇଛି। ସେମାନଙ୍କ ଯାତ୍ରା ସମୟରେ ପୁଲିସ ସୁରକ୍ଷା ମଧ୍ୟ ଜାରି ରହିଛି। ମୋଦିନଗର ରାସ୍ତାର ଏହି ଦୃଶ୍ୟ ଏକ କଥାକୁ ଆହୁରି ସ୍ପଷ୍ଟ କରିଦେଇଛି ଯେ, ଭକ୍ତି ଧର୍ମରେ ସୀମିତ ନୁହେଁ।

6 days ago
4


