ARTICLE AD BOX
ବାଙ୍କୀ: ଭୋଜି କରିବାକୁ ଗଲେ, ଆଉ ଘରକୁ ଫେରିଲେନି। ପରଦିନ ସକାଳୁ ଗାଁ ସ୍କୁଲ ପାଚେରୀ କଡ଼ରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗାଁରେ। ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏ ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ଗତ ୯ ତାରିଖ ସନ୍ଧ୍ୟାରେ ଗୟଳବାଙ୍କ ଗାଁର ପୃଥ୍ୱୀରାଜ ସାହୁ ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। କିନ୍ତୁ ସେଦିନ ରାତିରେ ସେ ଆଉ ଘରକୁ ଫେରିନଥିଲେ। ବିଳମ୍ବ ହେବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ପରଦିନ ଅର୍ଥାତ୍ ୧୦ ତାରିଖ ସକାଳେ ଗାଁ ସ୍କୁଲ ପାଚେରୀ କଡ଼ରୁ ପୃଥ୍ୱୀରାଜଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୃଥ୍ୱୀରାଜଙ୍କର ସେଠାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ମୃତକଙ୍କ ବଡ଼ଭାଇ କବିରାଜ ସାହୁ ଆଜି ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

20 hours ago
1


