ARTICLE AD BOX
ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧର ଅବସାନ ପାଇଁ ଆନ୍ତର୍ଜାତିକ ସ୍ତରରେ କୂଟନୈତିକ ଉଦ୍ୟମ ଜାରି ରହିଥିବାବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ସହ ଟେଲିଫୋନ୍ରେ ଆଲୋଚନା କରିଛନ୍ତି। ଏଥିରେ ଯୁଦ୍ଧର ସାମ୍ପ୍ରତିକ ସ୍ଥିତି, ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ଉଦ୍ୟମ ଏବଂ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ନେଇ ଚର୍ଚ୍ଚା ହୋଇଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଜେଲେନସ୍କିଙ୍କ ସହ ଆଲୋଚନା ବେଳେ ମୋଦୀ ଭାରତର ଆଭିମୁଖ୍ୟ ଦୋହରାଇଥିଲେ। ଆଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ ବୋଲି ସେ କହିଥିଲେ। ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସବୁପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ଜଣାଇଥିଲେ। ଏହାବ୍ୟତୀତ ଉଭୟ ନେତା ପାରସ୍ପରିକ ଲାଭ ପାଇଁ ବିଭିନ୍ନ କ୍ଷେତ୍ରରେ ଭାରତ-ୟୁକ୍ରେନ୍ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ।
ଆହୁରି ପଢନ୍ତୁ: BJP: ୧୯୯୦ରେ କରସେବକଙ୍କ ଉପରେ ଗୁଳିମାଡ଼ ଘଟଣା: ‘ଏସ୍ପିର ହିନ୍ଦୁ ଓ ରାମ ବିରୋଧୀ ଚେହେରା ଭୁଲି ହେବନି’: ବିଜେପି
ଯୁଦ୍ଧର ମାନବୀୟ ଦିଗ ଓ ଏହାର ପ୍ରଭାବ ସମ୍ପର୍କରେ ଜେଲେନସ୍କି ନିଜର ମତ ରଖିଥିଲେ। ଏଥିସହ ଆଗାମୀ ଆବୁଧାବି ବୈଠକ ପାଇଁ ଚାଲିଥିବା ପ୍ରସ୍ତୁତି ଓ ସାମ୍ପ୍ରତିକ କୂଟନୈତିକ ଉଦ୍ୟମ ବିଷୟରେ ମୋଦୀଙ୍କୁ ଅବଗତ କରାଇଥିଲେ। ଏହି ବୈଠକରେ ଯୁଦ୍ଧର ଉତ୍ତେଜନା ହ୍ରାସ କରିବା ସହ ଶାନ୍ତିର ରାସ୍ତା ଖୋଜିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଆମେରିକା ନଭେମ୍ବର ୧୦-୧୧ରେ ଆବୁଧାବିରେ ୟୁକ୍ରେନ୍ ଓ ରୁଷ୍ର ପ୍ରତିନିଧିମଣ୍ଡଳକୁ ଏକାଠି ବସାଇବାକୁ ଯୋଜନା କରୁଛି।
ମୋଦୀ-ଜେଲେନସ୍କି ଆଲୋଚନାରେ କୃଷିଜାତ ଦ୍ରବ୍ୟ ରପ୍ତାନି ପାଇଁ କୃଷ୍ଣସାଗର ଦେଇ ଖାଦ୍ୟଶସ୍ୟ ପରିବହନ ପଥ ଖୋଲିବା ପ୍ରସଙ୍ଗ ମଧ୍ୟ ଉଠିଥିଲା। ଏହି ପଥ ବାଧାପ୍ରାପ୍ତ ହେବାରୁ ବିଶ୍ୱର ଖାଦ୍ୟ ଯୋଗାଣ ଓ ଅର୍ଥନୀତି ପ୍ରଭାବିତ ହେଉଥିବା ଜେଲେନସ୍କି କହିଥିଲେ। ଏହି ପ୍ରସଙ୍ଗରେ ଭାରତର ସହଯୋଗ ଓ ମଧ୍ୟସ୍ଥତା ଉପରେ ୟୁକ୍ରେନ୍ ଆଶା ରଖିଛି। ଏହା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯୋଗାଯୋଗ ଜାରି ରଖିବାକୁ ଉଭୟ ଦେଶ ସହମତ ହୋଇଛନ୍ତି।

1 hour ago
2


