ARTICLE AD BOX
ଭୁବନେଶ୍ବର: ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହା କହିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନବୀନ କହିଛନ୍ତି, ୨୦୦୦ ମସିହାରେ ଯେତେବେଳେ ଆମେ ଓଡ଼ିଶା ଶାସନର ଦାୟିତ୍ୱ ନେଲୁ, ସେତେବେଳେ ଓଡ଼ିଶାର ଅର୍ଥନୀତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲା। ଆମକୁ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ୨୦୨୪ରେ ଯେତେବେଳେ ସରକାର ପରିବର୍ତ୍ତନ ହେଲା, ସେତେବେଳେ ଆମେ ୫୦ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡ଼ି ଯାଇଥିଲୁ। ଆମର ଦୃଢ଼ ଆର୍ଥିକ ପରିଚାଳନା ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଥିଲା। ରାଜ୍ୟକୁ ରାଜସ୍ୱ ବଳକା କରିବା ସହିତ ଆମେ ଦ୍ରୁତ ପ୍ରଗତି ଆଣିପାରିଥିଲୁ। ଦାରିଦ୍ର୍ୟ ହ୍ରାସ ପାଇଥିଲା, ଭିତ୍ତିଭୂମିର ଉନ୍ନତି ହୋଇଥିଲା ଏବଂ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହି ଦ୍ରୁତ ବିକାଶରେ ଖଣି ଟିକସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି: ନବୀନ
ଆପଣମାନେ ଜାଣନ୍ତି, ନିକଟରେ ସଂସଦରେ 'ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍' (MMDR Amendment Bill) ପାସ୍ ହୋଇଛି। ଏହା ଓଡ଼ିଶା ତଥା ଓଡ଼ିଶାବାସୀଙ୍କର ଅପୂରଣୀୟ କ୍ଷତି କରିବାକୁ ଯାଉଛି। ଏତେ ଗୁରୁତ୍ୱପୂର୍ଣ୍ଣ ଏକ ସଂଶୋଧନ ବିଲ୍କୁ କେନ୍ଦ୍ର ସରକାର ବିନା କୌଣସି ଆଲୋଚନାରେ ପାସ୍ କରିଦେଲେ। କେବଳ ବିଜେଡି ସାଂସଦମାନେ ହିଁ ରାଜ୍ୟସଭାରେ ଏହାକୁ ଦୃଢ଼ ବିରୋଧ କରିଥିଲେ। ଏହି ବିଲ୍କୁ ବିରୋଧ କରି ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ଏକ ସର୍ବଦଳୀୟ ବୈଠକ ଡାକିବାକୁ ଏବଂ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରିବାକୁ ଚିଠିରେ ଅନୁରୋଧ ମଧ୍ୟ କରିଛି। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହନ୍ତି। ଦଳମତ ନିର୍ବିଶେଷରେ, ମାଟିର ସ୍ୱାର୍ଥ ପାଇଁ ଆଜି ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ।
Naveen Patnaik: ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡି କର୍ମୀ
ସଂଶୋଧିତ ବିଲ୍ ଆମ ଅଧିକାରକୁ ଛଡ଼ାଇ ନେଇଛି
ଏହି ସଂଶୋଧିତ ବିଲ୍ ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି। ଆପଣମାନେ ଜାଣନ୍ତି, ଓଡ଼ିଶାରେ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, କୋଇଲା ଏବଂ ମାଙ୍ଗାନିଜ୍ର ସର୍ବାଧିକ ଭଣ୍ଡାର ରହିଛି। କିନ୍ତୁ ଏହି ନୂଆ ଆଇନ ଏ ସବୁ ଉପରୁ ଆମ ନିୟନ୍ତ୍ରଣ ହଟାଇ ଦେଇଛି। ଆମ ଲୋକଙ୍କ କଲ୍ୟାଣ ପାଇଁ ଆମେ ଆମ ଖଣିରୁ କାହିଁକି ଟିକସ ଆଦାୟ କରିପାରିବୁ ନାହିଁ? ଆମ ଲୋକ ଧୂଳି-ଧୂଆଁ ସହିବେ, ଅଥଚ ଦିଲ୍ଲୀ ଦରବାର ଆମ ସମ୍ପଦରେ ସମୃଦ୍ଧ ହେବ—ଏହାକୁ ଆମେ କେବେ ବି ସହ୍ୟ କରିବୁ ନାହିଁ।
ଷଡ଼ଯନ୍ତ୍ରକୁ ବରଦାସ୍ତ କରିବେନି ଓଡ଼ିଶାବାସୀ
ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଏହି ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଆମ ଅଧିକାରର ସୁରକ୍ଷା ପାଇଁ ମୁଁ ନିଶ୍ଚୟ ଲଢ଼ିବି। ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ହକ୍ ପାଇଁ ମୋର ସଂଗ୍ରାମ ଜାରି ରହିବ। ଏହି ଲଢ଼େଇରେ ଏକଜୁଟ ହୋଇ ସାମିଲ ହେବା ପାଇଁ ମୁଁ ସମସ୍ତ ଓଡ଼ିଶାବାସୀଙ୍କୁ ନିବେଦନ କରୁଛି।

1 hour ago
2


