Mining Bill: ଖଣି ବିଲ୍‌ ଓ ସାଂସଦମାନଙ୍କୁ ପ୍ରଶ୍ନ

1 hour ago 2
ARTICLE AD BOX

ବିଜୟ କୁମାର ପଟ୍ଟନାୟକ

ଅଳ୍ପ ଦିନ ପୂର୍ବେ ପାର୍ଲିଆମେଣ୍ଟର ଉଭୟ ଗୃହରେ ଖଣିଜ ସମ୍ପଦ ସମ୍ପର୍କିତ ଏକ ସଂଶୋଧନ ବିଲ୍‌ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରିକ୍ରମେ ତାହା ଆଇନରେ ପରିଣତ ହୋଇଛି। ଏହି ସଂଶୋଧନ ଦ୍ବାରା କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କର ଖଣିଜ ସମ୍ପଦ ସମ୍ପର୍କିତ ଅଧିକାରକୁ ପ୍ରତ୍ୟାହାର କରି ନେଇଛନ୍ତି। ସୁଖର କଥା ଯେ ଏ ବିଷୟରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ଦଳର ନେତା ଭକ୍ତ ଚରଣ ଦାସ ସ୍ବର ଉତ୍ତୋଳନ କରିଛନ୍ତି। ଏ ବିଷୟରେ ଜନସାଧାରଣ କେତେକ ତଥ୍ୟ ଜାଣିବାର ଆବଶ୍ୟକତା ରହିଛି। ଦେଶର ଖଣିଜ ସମ୍ପଦ ଦୁଇ ଭାଗରେ ବିଭକ୍ତ: ଲଘୁ ଖଣିଜ ପଦାର୍ଥ ଓ ଗୁରୁ ଖଣିଜ ପଦାର୍ଥ। ଲଘୁ ଖଣିଜ ପଦାର୍ଥ କହିଲେ ବାଲି, ମୋରମ, ଚିପ୍‌ସ ଆଦିକୁ ବୁଝାଏ। ଗୁରୁ ଖଣିଜ ପଦାର୍ଥ କହିଲେ ଲୁହା ପଥର, ବକ୍ସାଇଟ, କୋଇଲା ଆଦିକୁ ବୁଝାଏ। ଲଘୁ ଖଣିଜ ପଦାର୍ଥ ଉପରେ ଟିକସ ବସାଇବା ଓ ଅନ୍ୟାନ୍ୟ ନୀତି ପ୍ରଣୟନ କରିବାର ଅଧିକାର ହେଉଛି ରାଜ୍ୟମାନଙ୍କର। ଗୁରୁ ଖଣିଜ ପଦାର୍ଥ ଉପରେ ଟିକସ ବସାଇବା ଓ ଅନ୍ୟାନ୍ୟ ନିୟମ ପ୍ରଣୟନ କରିବାର ଅଧିକାର ହେଉଛି କେନ୍ଦ୍ର ସରକାରଙ୍କର। ଏହା ହିଁ ସାମ୍ବିଧାନିକ ବ୍ୟବସ୍ଥା। ୨୦୦୪ ମସିହାରେ ଓଡ଼ିଶା ସରକାର ଏକ ନିୟମ ପ୍ରଣୟନ କରି ରାଜ୍ୟରେ ଖଣିଜ ପଦାର୍ଥ ଗଚ୍ଛିତ ଥିବା ଜମି ଉପରେ ଏକ ଟିକସ ବସାଇଲେ। ଏହି ଆଇନକୁ ବିରୋଧ କରି କେତେକ ଶିଳ୍ପ ସଂସ୍ଥା କୋର୍ଟର ଆଶ୍ରୟ ନେଲେ। ସେମାନଙ୍କର ଯୁକ୍ତି ଥିଲା ଯେ ଗୁରୁ ଖଣିଜ ପଦାର୍ଥ ଉପରେ ଟିକସ ବସାଇବା ଅଧିକାର ରାଜ୍ୟମାନଙ୍କର ନାହିଁ, ତେଣୁ ଓଡ଼ିଶା ସରକାରଙ୍କର ଆଇନଟି ଅସାମ୍ବିଧାନିକ। ଓଡ଼ିଶା ସରକାରଙ୍କର ଯୁକ୍ତି ଥିଲା ଯେ, ଗୁରୁ ଖଣିଜ ପଦାର୍ଥ ଉତ୍ତୋଳନ ଉପରେ ଓଡ଼ିଶା ସରକାରଙ୍କର ଅଧିକାର ନ ଥାଇପାରେ, କିନ୍ତୁ ଖଣିଜ ପଦାର୍ଥ ଥିବା ଜମି ଉପରେ ଟିକସ ବସାଇବା ଅଧିକାର ରାଜ୍ୟ ସରକାରଙ୍କର ଅଛି।

Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର

ଘଟଣାଟି ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଗଲା। ୨୦ ବର୍ଷର ଆଇନଗତ ଲଢ଼େଇ ପରେ ୨୦୨୪ ମସିହାରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ୯ ଜଜ ବିଶିଷ୍ଟ ସାମ୍ବିଧାନିକ ବେଞ୍ଚ ତାଙ୍କର ନିଷ୍ପତ୍ତି ଶୁଣାଇଲେ ଯେ ରାଜ୍ୟ ସରକାରଙ୍କର ସବୁ ପ୍ରକାର ଜମି ଉପରେ ଖଜଣା ସ୍ଥିର କରିବାର ଅଧିକାର ରହିଛି। ପ୍ରକାଶ ଥାଉ କି ସମଗ୍ର ଭାରତ ବର୍ଷରେ ଯେଉଁଠାରେ ଜମି ଅଛି ତାହା କୌଣସି ନା କୌଣସି ରାଜ୍ୟ ସରକାରଙ୍କର। ଯଦି ଭାରତ ସରକାରଙ୍କ ନାଁରେ କିଛି ଜମି ଥାଏ ତାହା ସମ୍ପୃକ୍ତ ରାଜ୍ୟ ସରକାର ହିଁ ଭାରତ ସରକାରଙ୍କୁ ଦେଇଥାନ୍ତି। ଯେହେତୁ ସବୁ ଜମି ରାଜ୍ୟ ସରକାରଙ୍କର, ତେଣୁ ତାହା ଉପରେ ଖଜଣା ଆଦାୟ କରିବାର କ୍ଷମତା ମଧ୍ୟ ରାଜ୍ୟ ସରକାରଙ୍କର। ଯେଉଁଭଳି ଭାବରେ ଜଣେ ସାଧାରଣ ଚାଷୀର ଚାଷ ଜମି ବା ଘରବାରି ଜମି ଉପରେ ଖଜଣା ଦିଆଯାଏ ସେହିଭଳି ଭାବରେ ଜଣେ ଖଣି ପଟ୍ଟାଦାର ମଧ୍ୟ ତାଙ୍କର ଜମି ଉପରେ ରାଜ୍ୟ ସରକାରଙ୍କୁ ଖଜଣା ଦେବେ। ମାନ୍ୟବର ସୁପ୍ରିମ କୋର୍ଟ ଆହୁରି ମଧ୍ୟ କହିଲେ ଯେ ମାମଲାର ନିଷ୍ପତ୍ତି ହେବାରେ ୨୦ ବର୍ଷ ବିତି ଯାଇଥିବାରୁ ଏକାଥରେ ପିଛିଲା ଟଙ୍କା ପଇଠ କରିବା ଖଣି ମାଲିକମାନଙ୍କ ପକ୍ଷରେ ସମ୍ଭବ ହୋଇ ନ ପାରେ। ତେଣୁ ପିଛିଲା ଦେୟକୁ ୧.୨.୨୦୨୬ ତାରିଖ ଠାରୁ ୧୨ଟି କିସ୍ତିରେ ରାଜ୍ୟ ସରକାର ଆଦାୟ କରି ପାରିବେ। ଏହା ଛଡ଼ା ଆଗାମୀ ବର୍ଷମାନଙ୍କରେ ପ୍ରତି ବର୍ଷର ଦେୟ ସେମାନେ ଦେବାକୁ ବାଧ୍ୟ। ଓଡ଼ିଶା କ୍ଷେତ୍ରରେ ପ୍ରତି ବର୍ଷର ଦେୟ ହେବ ୧୨,୦୦୦ କୋଟି ଟଙ୍କା ଓ ପିଛିଲା ଦେୟ ହେବ ଏକ ଲକ୍ଷ କୋଟି ଟଙ୍କା। ୨୦ ବର୍ଷର ତପସ୍ୟା ପରେ ଓଡ଼ିଶାକୁ ମିଳିଥିବା ଧନରାଶିକୁ ଲୋକସଭା ୧୦ ମିନିଟର ଆଲୋଚନାରେ ଉଡ଼ାଇଦେଲେ। ସଦ୍ୟ ପାରିତ ସଂଶୋଧିତ ଆଇନରେ ଉଲ୍ଲେଖ ଅଛି ଯେ ରାଜ୍ୟ ସରକାରମାନେ ଖଣିଜ ଦ୍ରବ୍ୟ ଥିବା ଜମି ଉପରେ କୌଣସି ଟିକସ ବସାଇ ପାରିବେ ନାହିଁ। କେବଳ ତାହା ନୁହେଁ, ପିଛିଲା ଦେୟ ମଧ୍ୟ ଆଦାୟ କରି ପାରିବେ ନାହିଁ।

Agriculture: ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ; ୧୦ ଘଣ୍ଟା କାମ କଲେ ମଜୁରି ମିଳେ ୨୫୦ ଟଙ୍କା

ଯଦି ଏଇ ଅର୍ଥ ଓଡ଼ିଶାକୁ ମିଳିଥାନ୍ତା ତେବେ ସୁଭଦ୍ରା ଯୋଜନାରେ ହୁଏତ ମହିଳାମାନେ ବାର୍ଷିକ ୧୦,୦୦୦ ଟଙ୍କା ବଦଳରେ ୨୦,୦୦୦ ଟଙ୍କା ପାଇ ପାରି ଥାଆନ୍ତେ। ୧୦,୦୦୦ ନୂତନ ଶିକ୍ଷକ ନିଯୁକ୍ତ ହୋଇ ପାରିଥାଆନ୍ତେ। ସବୁ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ହେଉଥିବା କୋଠରି ନିର୍ମିତ ହୋଇପାରିଥାନ୍ତା। ସବୁ ଗାଁକୁ ରାସ୍ତା ଓ ପାନୀୟ ଜଳ ଯୋଗାଇ ଦିଆଯାଇ ପାରିଥାନ୍ତା। ତେବେ ଏହି ସଂଶୋଧନ ବିଲ୍‌ଟି କାହା ସ୍ବାର୍ଥରେ? ଲୋକସଭାରେ ଓଡ଼ିଶାର ୨୧ ଜଣ ସାଂସଦ ମଧ୍ୟରୁ ୨୦ ଜଣ ହେଉଛନ୍ତି ବିଜେପି ଦଳର। ସେମାନେ ଓଡ଼ିଶାବାସୀଙ୍କୁ ଉତ୍ତର ଦେବା ଉଚିତ ଯେ ସେମାନେ ଏଭଳି ଏକ ଓଡ଼ିଶାର ସ୍ବାର୍ଥବିରୋଧୀ ବିଲ୍‌କୁ କିଭଳି ପାରିତ କଲେ? ଅନ୍ତତଃ ଏହି ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଯାଇ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇପାରିଥାନ୍ତା। ତାହା ହେଲା ନାହିଁ। ଏ କ୍ଷତି ଭରଣା କରିବା ପାଇଁ ସେମାନେ କ’ଣ ପଦକ୍ଷେପ ନେବେ? ତାହା ହେଲେ ଖଣି ଅଞ୍ଚଳରେ ହେଉଥିବା ବ୍ୟାପକ ପରିବେଶ ପ୍ରଦୂଷଣ କ’ଣ ସେଠାକାର ଗରିବ ଅଧିବାସୀମାନଙ୍କର ଏକମାତ୍ର ପ୍ରାପ୍ୟ?
(ମତାମତ ଲେଖକଙ୍କ ନିଜସ୍ବ)
ପୂର୍ବତନ ମୁଖ୍ୟ ଶାସନ ସଚିବ, ଓଡ଼ିଶା

Read Entire Article
LEFT SIDEBAR AD

Hidden in mobile, Best for skyscrapers.