ARTICLE AD BOX
କୋଲକାତା: ସେମାନେ କଳ୍ପନା କରିନଥିଲେ ଯେ, ଯେଉଁ ସନ୍ଧ୍ୟାକୁ ସେମାନେ ସ୍ମରଣୀୟ କରିବାକୁ ଆସିଥିଲେ, ସେହି ସନ୍ଧ୍ୟା ସେମାନଙ୍କ ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ହୋଇଯିବ। ଚମକଦାର ପାଣ୍ଡାଲ ମଧ୍ୟରେ, ହଠାତ୍ ଏକ ଦୁଃଖଦ ଘଟଣା ଘଟିଗଲା, ଯାହା ଆନନ୍ଦମୟ ପରିବେଶକୁ ଚିତ୍କାର ଓ କାନ୍ଦ ବୋବାଳିରେ ପରିଣତ କରିଦେଲା। ଅଣଓସାରିଆ ରାସ୍ତା, ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାର ଅଭାବ ତଥା ପଣ୍ଡାଲ ଭୁଶୁଡ଼ି ପଡ଼ିବ ଘୋଷଣା ଯୋଗୁଁ ପଶ୍ଚିମବଙ୍ଗର କୋଲକାତାସ୍ଥିତ ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ଘଟିଲା ବୋଲି କୋଲକାତା ପୁଲିସ ଅନୁମାନ କରୁଛି। ଶନିବାର ଘଟିଥିବା ଦଳାଚକଟାରେ ଅତି କମ୍ରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି।
ମଣ୍ଡପ ଭୁଶୁଡ଼ି ପଡ଼ିବ ବୋଲି ଘୋଷଣା ହେବା ପରେ ହ୍ବିସିଲ୍ ବାଜିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ପୁଲିସ ସନ୍ଦେହ କରୁଛି। ପୁଲିସର ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ପରେ ମଣ୍ଡପରେ ଭିଡ଼ ବଢ଼ିଥିଲା। ଏହି ସମୟରେ ଲୋକଙ୍କୁ ମଣ୍ଡପ ଛାଡ଼ିବାକୁ ଘୋଷଣା କରାଯାଇଥିଲା। ଘୋଷଣାରେ ମଣ୍ଡପ ଭୁଶୁଡ଼ି ପଡ଼ିବାର ଆଶଙ୍କା ପ୍ରକାଶ କରାଯାଇଥିବା ଏକ ଭିଡିଓରୁ ଜଣାପଡ଼ିଛି। ତେବେ ଏହି ଘୋଷଣା କିଏ ଓ କାହିଁକି କରିଥିଲେ, ତାହାର ତଦନ୍ତ ଚାଲିଛି।
ବର୍ଷା ପରେ ମଣ୍ଡପରେ ଭିଡ଼
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ପ୍ରାରମ୍ଭିକ ତଦନ୍ତ ବିଷୟରେ ସୀମିତ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏକ ସାର୍ବଜନୀନ ଘୋଷଣା ଓ ହ୍ବିସିଲ୍ ବାଜିବା ପରେ ଦଳାଚକଟା ହୋଇଥିଲା ବୋଲି ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ଉପସ୍ଥିତ ଜଣେ ମହିଳା କହିଛନ୍ତି ଯେ, ଯେତେବେଳେ ଭିଡ଼ ବଢ଼ିବାକୁ ଲାଗିଲା, ସେତେବେଳେ ଏକ ଘୋଷଣା କରାଯାଇଥିଲା ଯେ, ପ୍ରବଳ ଭିଡ଼ ଯୋଗୁଁ ପଣ୍ଡାଲ ଭୁଶୁଡ଼ି ପଡ଼ିପାରେ। ମହିଳା ଜଣକ ଦାବି କରିଛନ୍ତି ଯେ, ଏହି ଘୋଷଣା ଶୁଣି ଲୋକମାନେ ଭୟଭୀତ ହୋଇଗଲେ ଓ ଦୌଡ଼ାଦୌଡ଼ି କରିଥିଲେ।
Durga Puja: ‘ପେଣ୍ଡାଲ ଭୁଶୁଡ଼ି ପଡ଼ିବ’ ଘୋଷଣା, ହ୍ବିସିଲ୍ ବାଜିବାରୁ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା
ମଣ୍ଡପରେ ପର୍ଯ୍ୟାପ୍ତ ପୁଲିସ ଓ ସୁରକ୍ଷାକର୍ମୀ ନିୟୋଜିତ ନଥିବା ତଦନ୍ତରୁ ଜଣାପଡ଼ିଛି। ମଣ୍ଡପର ପ୍ରବେଶ ଓ ପ୍ରସ୍ଥାନ ପଥ ସଂକୀର୍ଣ୍ଣ ଥିବାରୁ ଲୋକଙ୍କୁ ବାହାରିବାରେ ସମସ୍ୟା ହୋଇଥିଲା। ଘଟଣାରେ ପୂଜା କମିଟିର ସଦସ୍ୟଙ୍କ ସମେତ ଅତି କମ୍ରେ ୭ ଜଣଙ୍କୁ ପୁଲିସ ଗିରଫ କରିଛି। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ ଚାକିରି ଏବଂ ଆହତଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେବାକୁ ସରକାର ଘୋଷଣା କରିଛନ୍ତି। ସମସ୍ତ ଆହତଙ୍କ ଚିକିତ୍ସାର ସମ୍ପୂର୍ଣ୍ଣ ଦାୟିତ୍ୱ ରାଜ୍ୟ ସରକାର ନେଇଛନ୍ତି।

56 minutes ago
1


