ARTICLE AD BOX
ଭୁବନେଶ୍ୱର: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତୀକରଣ ଓ ଭିତ୍ତିଭୂମିର ବିକାଶ ସହ ରାଉରକେଲା ହନୁମାନ ବାଟିକାର ପୁନଃବିକାଶ କାର୍ଯ୍ୟର ସମୀକ୍ଷା ହୋଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଗୁଣବତ୍ତା ବଜାୟ ରଖି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି (ବୁଧବାର) ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ବିବରଣୀ ଅନୁସାରେ, ଏସ୍ସିବି ମେଡିକାଲ ପରିସରରେ ୪ଟି ନୂତନ କ୍ଲିନିକାଲ୍ ଏବଂ ଗୋଟିଏ ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆବାସିକ ବ୍ଲକର ନିର୍ମାଣ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବାବେଳେ କ୍ଲିନିକାଲ୍ ବ୍ଲକ ଗୁଡିକ ୨୦୨୭ ଜୁନ୍ ସୁଦ୍ଧା ଶେଷ ହେବ। ଏହା ସହିତ ଆଉ ଏକ ମେଡିସିନ୍ ବ୍ଲକ ନିର୍ମାଣ କରିବା ପାଇଁ ଖୁବ୍ ଶୀଘ୍ର ସ୍ଥାନ ନିରୂପଣ କରି ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ନିର୍ମାଣାଧୀନ ବହୁତଳ କାର ପାର୍କିଂ (MLCP) ଏବଂ ତାଳଦଣ୍ଡା କେନାଲ ସଂଯୋଜିତ ଟ୍ରାଫିକ କରିଡର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପ୍ରକଳ୍ପ ଅଧୀନରେ ନିର୍ମାଣ ହେଉଥିବା ପାର୍କିଂ ବ୍ୟବସ୍ଥା ଦ୍ୱାରା ଏସସିବି ଏବଂ ନିକଟସ୍ଥ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନକୁ ଆସୁଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ। ଏଥିସହିତ ମେଡିକାଲ ସଂଲଗ୍ନ ବୋଷ ଇଞ୍ଜିନିୟରିଂ ସ୍କୁଲ, ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଏବଂ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ (Maritime Museum) ଅଞ୍ଚଳଗୁଡ଼ିକର ସମନ୍ୱିତ ପାର୍ଶ୍ୱବର୍ତ୍ତୀ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ମଧ୍ୟ ଏଥିସହିତ ସଂଯୋଜିତ କରାଯାଇଛି।
MSCB University ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ
ଏଥିସହିତ ରାଉରକେଲାର ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ହନୁମାନ ବାଟିକାର ବିକାଶ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ରୂପାନ୍ତରଣକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଛି। ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ (OBCC) ଦ୍ୱାରା ହାତକୁ ନିଆଯାଉଥିବା ନୂତନ ନିର୍ମାଣ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଶୈଳୀ ଓ ଭାବନାକୁ ଆଧାର କରି ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏହି ସମୀକ୍ଷା ସମୟରେ ବାଟିକା ପରିସର ମଧ୍ୟରେ ଚାଲିଥିବା ଏବଂ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ସମେତ ଅନ୍ୟାନ୍ୟ ଆଧ୍ୟାତ୍ମିକ ସଂରଚନାର ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାଟିକାର ପବିତ୍ରତା ଓ ପ୍ରାକୃତିକ ପରିବେଶକୁ ଅକ୍ଷୁଣ୍ଣ ରଖି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କରିବାକୁ କୁହାଯାଇଛି।
SCB: ଏସ୍ସିବିରେ ୪ ମହିଳାଙ୍କ ବିରଳ ଅସ୍ତ୍ରୋପଚାର: ମହିଳାଙ୍କ ଶରୀରରେ ପୁରୁଷ ଯୌନାଙ୍ଗ
ଏହି ବୈଠକରେ ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ., OBCCର ପରିଚାଳନା ନିର୍ଦ୍ଦେଶକ ଅନୁପମ ଶାହା, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏବଂ କଟକ ମହାନଗର ନିଗମ କମିଶନର କିରନ୍ଦୀପ କୌର ସାହୋଟା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

1 hour ago
2


