ARTICLE AD BOX
ପ୍ରକୃତିର ଖୋଲା ଆକାଶରେ ଉଡ଼ୁଥିବା ପକ୍ଷୀ ପରିବେଶର ସୌନ୍ଦର୍ଯ୍ୟ ବଢ଼ାଇଥାଏ। କିନ୍ତୁ ଏହି ପକ୍ଷୀଙ୍କ ଶରୀରରେ ଯଦି ଏପରି ଜୀବାଣୁ ରହିଥାଏ, ଯାହାକୁ ଅନେକ ଔଷଧ ମଧ୍ୟ ନଷ୍ଟ କରିପାରେ ନାହିଁ, ତେବେ ଏହା ଚିନ୍ତାର ବିଷୟ। ଏହା କେବଳ ପକ୍ଷୀଙ୍କ ସ୍ୱାସ୍ଥ୍ୟ ନୁହେଁ, ମଣିଷ ଓ ପରିବେଶର ସ୍ୱାସ୍ଥ୍ୟ ସହ ମଧ୍ୟ ଜଡ଼ିତ। ରାଜସ୍ଥାନର ଉଦୟପୁରରେ ରେଡ୍-ନେପ୍ଡ ଆଇବିସ୍ ପକ୍ଷୀଙ୍କ ଉପରେ ହୋଇଥିବା ଏକ ଗବେଷଣାରୁ ଏହି କଥା ସାମ୍ନାକୁ ଆସିଛି।
ମୋହନଲାଲ ସୁଖାଡ଼ିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ୪୫ଟି ରେଡ୍-ନେପ୍ଡ ଆଇବିସ୍ ପକ୍ଷୀଙ୍କ ମଳ ନମୁନା ସଂଗ୍ରହ କରିଥିଲେ। ଏଥିରୁ ୮ଟି ବଂଶର ୬୦ଟି ଜୀବାଣୁ ନମୁନା ଚିହ୍ନଟ ହୋଇଥିଲା। ପକ୍ଷୀଙ୍କୁ ଧରିବା ପରିବର୍ତ୍ତେ ଗବେଷକମାନେ ଦୂରରୁ ନିରୀକ୍ଷଣ କରି ନମୁନା ସଂଗ୍ରହ କରିଥିଲେ। ଏହି ଅଧ୍ୟୟନରେ ଇ. କୋଲାଇ, ଏଣ୍ଟେରୋବ୍ୟାକ୍ଟର୍ ଓ କ୍ଲେବ୍ସିଏଲା ଭଳି ଜୀବାଣୁ ମିଳିଥିଲେ। ପରୀକ୍ଷା କରାଯାଇଥିବା ୩୦ଟି ଜୀବାଣୁ ନମୁନା ମଧ୍ୟରୁ ୪୦ ପ୍ରତିଶତ ଅତି କମ୍ରେ ତିନି ପ୍ରକାରର ଆଣ୍ଟିବାୟୋଟିକ୍ ଔଷଧ ପ୍ରତି ପ୍ରତିରୋଧ ଦେଖାଇଥିଲେ। ଅର୍ଥାତ୍, ଏହି ଜୀବାଣୁଗୁଡ଼ିକ ଉପରେ ଅନେକ ଔଷଧ ସହଜରେ କାମ କରୁନାହିଁ। ଏହାକୁ ବହୁ-ଔଷଧ ପ୍ରତିରୋଧ ବା ମଲ୍ଟିଡ୍ରଗ୍ ରେଜିଷ୍ଟାନ୍ସ କୁହାଯାଏ।
ରେଡ୍-ନେପ୍ଡ ଆଇବିସ୍ ଏକ ସର୍ବଭକ୍ଷୀ ପକ୍ଷୀ। ଏହା ଜଳାଶୟ, ଚାଷ ଜମି, ମାଟି ଓ ସହର ନିକଟବର୍ତ୍ତୀ ଅଞ୍ଚଳରେ ଖାଦ୍ୟ ଖୋଜେ। ଏହି କାରଣରୁ ଦୂଷିତ ଜଳ ଓ ବର୍ଜ୍ୟବସ୍ତୁ ମାଧ୍ୟମରେ ଏହା ଜୀବାଣୁ ସଂସ୍ପର୍ଶରେ ଆସିପାରେ। ପକ୍ଷୀଙ୍କ ମଳ ମାଧ୍ୟମରେ ଏହି ଜୀବାଣୁ ପରିବେଶକୁ ମଧ୍ୟ ଫେରିପାରନ୍ତି। ତେବେ ଏହି ଗବେଷଣାରୁ ପକ୍ଷୀଙ୍କଠାରୁ ମଣିଷ କିମ୍ବା ଗୃହପାଳିତ ପଶୁଙ୍କୁ ଜୀବାଣୁ ସଂକ୍ରମଣ ହୋଇଥିବା ପ୍ରମାଣ ମିଳିନାହିଁ। ଏହାର ଉତ୍ସ ଓ ପ୍ରଭାବ ଜାଣିବା ପାଇଁ ଆହୁରି ଗବେଷଣା ଆବଶ୍ୟକ।
Illegal mining: ମାଫିଆଙ୍କ କବ୍ଜାରେ ଟିକରପଡ଼ା ପାହାଡ଼; ଉଠାଇ ନେଲେ ୨ ଟ୍ରିପ୍ ବିରଳ ନୀଳପଥର
ଏହି ଅଧ୍ୟୟନରେ ମଣିଷ, ପଶୁପକ୍ଷୀ ଓ ପରିବେଶ ସ୍ୱାସ୍ଥ୍ୟ ପରସ୍ପର ସହ ଜଡ଼ିତ। ଆଣ୍ଟିବାୟୋଟିକ୍ର ଅନୁଚିତ ବ୍ୟବହାର ବନ୍ଦ କରିବା, ବର୍ଜ୍ୟବସ୍ତୁର ଉଚିତ ପରିଚାଳନା କରିବା ଓ ଜଳାଶୟକୁ ସଫା ରଖିବା ଆବଶ୍ୟକ। ପକ୍ଷୀଙ୍କ ଦେହରେ ମିଳିଥିବା ଏହି ଜୀବାଣୁ ଭବିଷ୍ୟତରେ ବଡ଼ ସମସ୍ୟା ସୃଷ୍ଟି କରିବେ କି ନାହିଁ ତାହା ଆଗାମୀ ଗବେଷଣାରୁ ଜଣାପଡ଼ିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରକୃତିର ସ୍ୱାସ୍ଥ୍ୟକୁ ଅଣଦେଖା କରି ମଣିଷର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ସମ୍ଭବ ନୁହେଁ।

24 minutes ago
1


