McKinsey: ବ୍ୟାଙ୍କିଂ କ୍ଷେତ୍ରରେ ଏଆଇର ପ୍ରଭାବ, ୭୦% କାମ ହେବ ସ୍ୱୟଂଚାଳିତ!

1 day ago 1
ARTICLE AD BOX

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଯୋଗୁଁ ଏବେ ଅନେକ କ୍ଷେତ୍ରରେ ଚାକିରି ଉପରେ ପ୍ରଭାବ ପଡ଼ୁଛି। ବିଶେଷକରି ଆଇଟି କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି। ଏବେ ଆଗାମୀ ଦିନରେ ବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ ଏଆଇ ଯୋଗୁଁ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି।

ମ୍ୟାକ୍‌କିନ୍‌ସେ  ରିପୋର୍ଟ ଅନୁସାରେ, ଏଆଇ ସହାୟତାରେ ବ୍ୟାଙ୍କଗୁଡ଼ିକରେ ବିପଦ ପରିଚାଳନା ସହ ଜଡ଼ିତ ୬୦ରୁ ୭୦ ପ୍ରତିଶତ କାମ ସ୍ୱୟଂଚାଳିତ ହୋଇପାରିବ। ବର୍ତ୍ତମାନ ଏହି କାମଗୁଡ଼ିକ କର୍ମଚାରୀମାନେ ହାତରେ କରୁଛନ୍ତି।

ବ୍ୟାଙ୍କରେ ଏଆଇ କ'ଣ କାମ କରିବ?

ବ୍ୟାଙ୍କରେ ବିପଦ ପରିଚାଳନାର ମୁଖ୍ୟ କାମ ହେଉଛି କୌଣସି ଗ୍ରାହକ କିମ୍ବା କମ୍ପାନିକୁ ଋଣ ଦେଲେ ବ୍ୟାଙ୍କ ପାଇଁ କେତେ ବିପଦ ରହିଛି ତାହା ଆକଳନ କରିବା। ଏଥିପାଇଁ ଅନେକ ତଥ୍ୟ ସଂଗ୍ରହ ଓ ଦସ୍ତାବିଜ୍ ଯାଞ୍ଚ କରିବାକୁ ପଡ଼ିଥାଏ। ଆଗାମୀ ଦିନରେ ଏଆଇ ସହାୟତାରେ ଏସବୁ କାମ ସହଜ ହୋଇପାରିବ। ‌ଯେମିତି କି ଗ୍ରାହକ ଓ କମ୍ପାନିଙ୍କ ଆର୍ଥିକ ତଥ୍ୟ ସଂଗ୍ରହ କରିବା,  ଋଣ ସମ୍ବନ୍ଧୀୟ ଦସ୍ତାବିଜ୍ ପ୍ରସ୍ତୁତ ଓ ଯାଞ୍ଚ କରିବା, ନିୟମ ଅନୁପାଳନ ହେଉଛି କି ନାହିଁ ଯାଞ୍ଚ କରିବା, ବ୍ୟାଙ୍କର ଟଙ୍କା କାରବାର ଉପରେ ନଜର ରଖିବ‌ା,  ବ୍ୟାଙ୍କିଂ ଠକେଇ ଚିହ୍ନଟ ଓ ନିରୀକ୍ଷଣ କରିବା।

କାହିଁକି ହେଉଛି ଏହି ପରିବର୍ତ୍ତନ?

ଏଆଇ ବ୍ୟବହାର ଦ୍ୱାରା ବ୍ୟାଙ୍କଗୁଡ଼ିକର ସମୟ ଓ ଖର୍ଚ୍ଚ କମିବ। ଏହା ସହିତ କର୍ମଚାରୀମାନେ ଅଧିକ ଗୁରୁତ୍ୱପୂର୍ଣ୍ଣ କାମରେ ଧ୍ୟାନ ଦେଇପାରିବେ। ତେବେ ଏହାର ଅର୍ଥ ନୁହେଁ ଯେ ବ୍ୟାଙ୍କର ୭୦ ପ୍ରତିଶତ କର୍ମଚାରୀଙ୍କ ଚାକିରି ଚାଲିଯିବ। ରିପୋର୍ଟରେ କେବଳ ହାତରେ କରାଯାଉଥିବା କାମକୁ ସ୍ୱୟଂଚାଳିତ କରିବା କଥା କୁହାଯାଇଛି।

କର୍ମଚାରୀଙ୍କ ଭୂମିକା କ'ଣ ରହିବ?

ମ୍ୟାକ୍‌କିନ୍‌ସେ ଅନୁସାରେ, ଏଆଇ ଯୋଗୁଁ ସଞ୍ଚୟ ହେଉଥିବା ସମୟ ଓ ସମ୍ବଳକୁ ବ୍ୟାଙ୍କଗୁଡ଼ିକ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମରେ ଲଗାଇପାରିବେ।  ପ୍ରାୟ ଅଧା ସଞ୍ଚିତ କାର୍ଯ୍ୟକ୍ଷମତାକୁ ଉନ୍ନତ ବିଶ୍ଳେଷଣ, ବିପଦ ସମ୍ପର୍କିତ ପରାମର୍ଶ ଓ ଶୀଘ୍ର ନିଷ୍ପତ୍ତି ନେବାରେ ବ୍ୟବହାର କରାଯାଇପାରିବ। ଅନ୍ୟ ସମ୍ବଳକୁ ଏଆଇ ପ୍ରଯୁକ୍ତିର ବିକାଶ, ଡାଟା ସୁରକ୍ଷା ଓ ନୂଆ ବୈଷୟିକ ବ୍ୟବସ୍ଥା ତିଆରିରେ ଲଗାଯାଇପାରିବ। ଫଳରେ କର୍ମଚାରୀମାନେ କେବଳ କାଗଜପତ୍ର ଯାଞ୍ଚ ନକରି ଅଧିକ ଦାୟିତ୍ୱପୂର୍ଣ୍ଣ କାମ କରିବାର ସୁଯୋଗ ପାଇବେ।

ଏଆଇ ଆସିବା ପରେ ବ୍ୟାଙ୍କିଂ କ୍ଷେତ୍ରରେ କାମ କରିବାର ଶୈଳୀ ବଦଳିପାରେ। ବାରମ୍ବାର ସମାନ ପ୍ରକ୍ରିୟାରେ କରାଯାଉଥିବା କାମରେ ଏଆଇର ବ୍ୟବହାର ବଢ଼ିବ। କିନ୍ତୁ ଜଟିଳ ମାମଲାର ଆକଳନ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ ବିପଦ ସମ୍ପର୍କିତ ପରାମର୍ଶ ଭଳି କାମରେ ମଣିଷଙ୍କ ଭୂମିକା ରହିବ। ତେଣୁ ବ୍ୟାଙ୍କଗୁଡ଼ିକୁ ଏଭଳି କର୍ମଚାରୀଙ୍କ ଆବଶ୍ୟକତା ପଡ଼ିବ, ଯେଉଁମାନଙ୍କର ବ୍ୟାଙ୍କିଂ ସହିତ ଏଆଇ ସମ୍ପର୍କିତ ଜ୍ଞାନ ମଧ୍ୟ ଥିବ। ଏଥିପାଇଁ କର୍ମଚାରୀମାନେ ନୂଆ ପ୍ରଯୁକ୍ତି ଶିଖିବା ସହ ନିଜର ଦକ୍ଷତା ବଢ଼ାଇବା ଜରୁରୀ।

ବ୍ୟାଙ୍କଗୁଡ଼ିକୁ ମିଳିବ ଫାଇଦା

ଯେଉଁ ବ୍ୟାଙ୍କଗୁଡ଼ିକ ପ୍ରଥମରୁ ଏଆଇ ଗ୍ରହଣ କରିବେ, ସେମାନେ ଅନ୍ୟ ବ୍ୟାଙ୍କ ତୁଳନାରେ ଅଧିକ ଲାଭ ପାଇପାରନ୍ତି। ଏଆଇ ସହାୟତାରେ କମ୍ ସମୟରେ ଉନ୍ନତ ନିଷ୍ପତ୍ତି ନେବା ସହ ଖର୍ଚ୍ଚ ମଧ୍ୟ ହ୍ରାସ କରିହେବ। ତେବେ ଏହାକୁ ବ୍ୟାପକ ଭାବେ ଲାଗୁ କରିବା ପାଇଁ ମଜବୁତ ବୈଷୟିକ ବ୍ୟବସ୍ଥା, ପ୍ରଶିକ୍ଷିତ କର୍ମଚାରୀ ଓ ଡାଟା ସୁରକ୍ଷା ପାଇଁ ସ୍ପଷ୍ଟ ନିୟମ ଆବଶ୍ୟକ ହେବ।

ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ୧୭ରୁ ୨୦ ଯାଏଁ ଓଡ଼ିଶାରେ ବର୍ଷା

Read Entire Article
LEFT SIDEBAR AD

Hidden in mobile, Best for skyscrapers.