ARTICLE AD BOX
ଆଶ୍ବିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନଅଦିନ ଧରି ପୂଜିତା ଦୁର୍ଗାଙ୍କର ଭିନ୍ନ ଭିନ୍ନ ସ୍ବରୂପ ମଧ୍ୟରୁ, ତୃତୀୟ ଦିନର ଉପାସ୍ୟା ହେଉଛନ୍ତି ଚନ୍ଦ୍ରଘଣ୍ଟା। ପୌରାଣିକ ପ୍ରସଙ୍ଗ ଅନୁସାରେ, ମା’ ପାର୍ବତୀ ଦେବଦେବ ମହାଦେବଙ୍କୁ ବିବାହ କରିବା ପରେ ଏହି ଦିବ୍ୟସ୍ବରୂପ ଧାରଣ କରିଥିଲେ। ନାମତାତ୍ପର୍ଯ୍ୟ ଅନୁସାରେ, ଦେବୀଙ୍କର ଏହି ନାମ ଦୁଇଟି ଶବ୍ଦ- ‘ଚନ୍ଦ୍ର’ ଓ ‘ଘଣ୍ଟା’ର ସମାହାର। ଦେବୀଙ୍କ କପାଳରେ ଘଣ୍ଟା ଆକୃତିର ଏକ ଅର୍ଦ୍ଧଚନ୍ଦ୍ର ଶୋଭା ପାଉଥିବାରୁ ତାଙ୍କର ଏହି ନାମ ହୋଇଛି।
ମା’ ଚନ୍ଦ୍ରଘଣ୍ଟା ସାଧାରଣତଃ ଦଶଭୁଜା ରୂପରେ ଚିତ୍ରିତା ହୋଇଥାଆନ୍ତି। ତାଙ୍କର ହସ୍ତରେ ତ୍ରିଶୂଳ, ଖଡ଼୍ଗ, ଧନୁ, ବାଣ, ଗଦା, ପଦ୍ମ ଓ ଅନ୍ୟାନ୍ୟ ଦିବ୍ୟଶସ୍ତ୍ର ଶୋଭାପାଏ। ସିଂହ ବା ବ୍ୟାଘ୍ର ତାଙ୍କର ବାହନ ରୂପେ ଶୋଭାପାଇବା ଦେଖାଯାଏ। ତାଙ୍କର ଏହି ଦିବ୍ୟସ୍ବରୂପ ଭକ୍ତଙ୍କ ମନରେ ସାହସ ଓ ଆତ୍ମବିଶ୍ବାସ ସୃଷ୍ଟିକରେ। ମାଆଙ୍କର ରୂପରେ ଯୁଗପତ୍ କୋମଳତା ଓ ବୀରତ୍ବର ସମନ୍ବୟ ଦେଖାଯାଏ। ତାଙ୍କର କୋମଳରୂପ କରୁଣା ଓ ସ୍ନେହଶୀଳତାର ପରିଚୟ ଦେବାବେଳେ, ଯୋଦ୍ଧ୍ରୀ ରୂପ ଅନ୍ୟାୟ ବିରୋଧରେ ସଂଘର୍ଷ କରିବାର ପ୍ରଚୋଦନା ଦିଏ। ତାଙ୍କର କପାଳ ବା ମସ୍ତକରେ ଥିବା ଚନ୍ଦ୍ରାକୃତି ଘଣ୍ଟାର ତାତ୍ପର୍ଯ୍ୟ ହେଉଛି- ସେହି ଘଣ୍ଟାନାଦ ଅଶୁଭ ଶକ୍ତିର ବିନାଶ କରି ଧର୍ମର ସୁରକ୍ଷା କରିଥାଏ। ତେଣୁ ସେ ଭକ୍ତମାନଙ୍କୁ ଦୁଷ୍ଟଶକ୍ତିର କବଳରୁ ରକ୍ଷାକରି ସେମାନଙ୍କ ଜୀବନରୁ ଭୟ ଓ ଅଶାନ୍ତି ଦୂର କରିଥାଆନ୍ତି। ତାହା ଫଳରେ ଭକ୍ତ ଅନ୍ୟାୟର ପ୍ରତିଶୋଧ କରିବା ସହିତ ଜୀବନରେ ଧର୍ମ ଓ ନ୍ୟାୟର ପଥ ଅନୁସରଣ କରିବାକୁ ପ୍ରେରଣା ପାଏ।
ମା’ ଚନ୍ଦ୍ରଘଣ୍ଟାଙ୍କ ସହିତ ସଂପୃକ୍ତ ଔଷଧୀୟ ଉଦ୍ଭିଦ ହେଉଛି- ଚନ୍ଦ୍ରସୂର। ଏହାର ସବୁଜ ପତ୍ର କଞ୍ଚା ପରିବା ସହିତ ଖିଆଯିବା ବେଳେ, ତାହାର ଉଜ୍ଜ୍ବଳ ଧୂସର ରଙ୍ଗର କ୍ଷୁଦ୍ର ମଞ୍ଜି ଖାଦ୍ୟ ଓ ଔଷଧରୂପେ ବ୍ୟବହାର କରାଯାଏ। ଏହି ମଞ୍ଜିରେ ପ୍ରଚୁର ପରିମାଣର ଖାଦ୍ୟସାର ଥାଏ ଏବଂ ଏହା ଋତୁସ୍ରାବକୁ ନିୟମିତ କରିବା ସହିତ ମାତୃସ୍ତନ୍ୟକାରକ ହୋଇଥାଏ।

53 minutes ago
1


