ARTICLE AD BOX
ଇମ୍ଫାଲ/କାଙ୍ଗପୋକପି: ମଣିପୁରରେ ମେଇତେଇ-କୁକି ହିଂସା ପରେ ଏବେ ନାଗା ଓ କୁକି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ସ୍ଥିତିକୁ ଅଧିକ ଜଟିଳ କରିଦେଇଛି। କାଙ୍ଗପୋକପି ଜିଲ୍ଲାର କୋନସାଖୁଲ୍ ଗ୍ରାମରେ ରହୁଥିବା ୧୪୭ ଜଣ ନାଗା ନାଗରିକ ଗତ ପାଞ୍ଚ ମାସ ହେବ ନିଜ ଗାଁ ଭିତରେ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି। ଗ୍ରାମରୁ ବାହାରକୁ ଯିବା ପାଇଁ ଥିବା ଏକମାତ୍ର ରାସ୍ତାଟି କୁକି-ବହୁଳ ଅଞ୍ଚଳ ଦେଇ ଯାଇଥିବାରୁ, ଆକ୍ରମଣ ଓ ଅପହରଣ ଭୟରେ ଗ୍ରାମବାସୀ ଗାଁ ବାହାରକୁ ପାଦ କାଢ଼ିପାରୁ ନାହାନ୍ତି।
ଜରୁରୀ ସାମଗ୍ରୀ ପହଞ୍ଚାଉଛି ସେନା
ଗତ ମେ'' ୧୩ ତାରିଖରେ ଏହି ଗ୍ରାମର ୨୦ ଜଣ ନାଗା ନାଗରିକଙ୍କୁ ନିକଟସ୍ଥ ଲୋଇଲନ୍ ଭାଇଫେଇ ଗ୍ରାମର କୁକି ଗ୍ରାମବାସୀ ଅପହରଣ କରି ଉଗ୍ରପନ୍ଥୀଙ୍କୁ ହସ୍ତାନ୍ତର କରିଥିଲେ। ପରବର୍ତ୍ତୀ ସମୟରେ ଜୁନ୍ ୧୦ ତାରିଖରେ ସୁରକ୍ଷା ବାହିନୀ ୬ ଜଣ ନାଗା ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣା ପରଠାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଗ୍ରାମରେ ଥିବା ୭୬ଟି ପରିବାର ମଧ୍ୟରୁ ଅନେକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିବା ବେଳେ ଜମି ଜବରଦଖଲ ଭୟରେ ପ୍ରାୟ ୪୬ଟି ପରିବାରର ୧୪୭ ଜଣ ଲୋକ ଗାଁ ନଛାଡ଼ି ସେଠାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସମ୍ପ୍ରତି ଗ୍ରାମବାସୀଙ୍କୁ ଜରୁରୀକାଳୀନ ଖାଦ୍ୟସାମଗ୍ରୀ, ଔଷଧ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇବା ପାଇଁ ସିଆରପିଏଫ୍ ଯବାନମାନେ ନିୟୋଜିତ ଅଛନ୍ତି। ସେନା ଓ ସିଆରପିଏଫର ବୁଲେଟପ୍ରୁଫ୍ ଗାଡ଼ି ଏବଂ କ୍ୱିକ୍ ରେସ୍ପୋନ୍ସ ଟିମ୍ ସୁରକ୍ଷା କୋର୍ଡନ ମଧ୍ୟରେ ହିଁ ଗ୍ରାମବାସୀଙ୍କୁ ହସ୍ପିଟାଲ କିମ୍ବା ବିମାନବନ୍ଦରକୁ ଯାତାୟାତ କରିବାକୁ ପଡ଼ୁଛି। ଅନ୍ୟପକ୍ଷରେ କୁକି ସଂଗଠନଗୁଡ଼ିକ ସୁରକ୍ଷା ବାହିନୀ ଉପରେ ପକ୍ଷପାତିତାର ଅଭିଯୋଗ ଆଣିଛନ୍ତି। ନାଗା-କୁକି ସଂଘର୍ଷରେ ଏପର୍ଯ୍ୟନ୍ତ ୬୨ ଜଣଙ୍କ ଜୀବନ ଗଲାଣି। ୨୦୨୩ ମେ'' ମାସରୁ ମଣିପୁରରେ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ମୋଟ ୩୦୦ ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଥିବା ବେଳେ ୬୦,୦୦ରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।
ମୋଦୀଙ୍କୁ ଭାରତ ରତ୍ନ ମିଳୁ: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କଲେ ବିଜେପି ସାଂସଦ

1 hour ago
1


