ARTICLE AD BOX
ଭୁବନେଶ୍ୱର: ସମାଧାନ ହେବ କି ମହାନଦୀ ଜଳ ବିବାଦ ? ଜଳ ବିବାଦର ସମାଧାନ ପାଇଁ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବଡ଼ ବୈଠକ ହେବ। ଆଉ ଏହି ବୈଠକରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ମଧ୍ୟ ଆଲୋଚନାରେ ଭାଗ ନେବେ । ଅପରାହ୍ନ ୪ଟାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମହାନଦୀ ଜଳର ବଣ୍ଟନ, ପରିଚାଳନା ଓ ଉଭୟ ରାଜ୍ୟ ମଧ୍ୟରେ ଥିବା ଦୀର୍ଘଦିନର ମତଭେଦକୁ ନେଇ ଆଲୋଚନା ହେବ ।
କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଓ ସେଣ୍ଟ୍ରାଲ ୱାଟର କମିସନ୍ର ବୈଷୟିକ ତଥ୍ୟ ମଧ୍ୟ ଆଲୋଚନାର ଆଧାର ହୋଇପାରେ । ଉଲ୍ଲେଖ ଥାଉ କି ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ମତଭେଦ ରହିଆସିଛି । ଉପରମୁଣ୍ଡରେ ନିର୍ମାଣ ଏବଂ ଜଳ ନିୟନ୍ତ୍ରଣ ଯୋଗୁଁ ଓଡ଼ିଶାକୁ ତଳମୁଣ୍ଡରେ ଜଳ ପ୍ରବାହ ପ୍ରଭାବିତ ହେଉଥିବା ନେଇ ଆପତ୍ତି ଉଠାଇଆସିଛି । ଏହି ବିବାଦ ୨୦୧୮ରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି ।
ଆହୁରି ପଢନ୍ତୁ: Farmers in Mayurbhan: ମୟୂରଭଞ୍ଜ ଚାଷୀଙ୍କୁ ମିଳୁନି ଆବଶ୍ୟକ ପ୍ରୋତ୍ସାହନ: ମାତ୍ର ୩୦% ଜମିରେ ହେଉଛି ଅଣଧାନ ଚାଷ
ତେବେ ଏବେ ଉଭୟ ରାଜ୍ୟ ଆଲୋଚନା ଓ ଆପୋସ ବୁଝାମଣା ମାଧ୍ୟମରେ ସମାଧାନର ରାସ୍ତା ଖୋଜିବା ଦିଗରେ ଆଗକୁ ବଢୁଛନ୍ତି। ଜୁଲାଇ ୩୦ରେ ମଧ୍ୟ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଥିଲା। ଏହାର ଠିକ୍ ପ୍ରାୟ ୧୦ ଦିନ ପୂର୍ବରୁ, ସେପ୍ଟେମ୍ବର ୨୦ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ଭୁବନେଶ୍ୱର ଆସି ମୋହନ ମାଝୀଙ୍କ ସହ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏବେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ହେବାକୁ ଥିବା ବୈଠକ ଉପରେ ସମସ୍ତଙ୍କର ନଜର ରହିଛି ।

43 minutes ago
1


