ARTICLE AD BOX
ବେଙ୍ଗାଲୁରୁ: ପୂର୍ବତନ ଭାରତୀୟ ହକି ଅଧିନାୟକ ଏମ୍ ଏମ୍ ସୋମାୟାଙ୍କ ଚୋରି ହୋଇଥିବା ୧୯୮୦ ମସିହା ମସ୍କୋ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ସମେତ ସମସ୍ତ ମୂଲ୍ୟବାନ ସାମଗ୍ରୀକୁ ଉଦ୍ଧାର କରିଛି ବେଙ୍ଗାଲୁରୁ ପୁଲିସ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଚୋରି ହୋଇଥିବା ୮ଟି ପଦକ, କ୍ୟାମେରା, କୋଡାଗୁ ଖଣ୍ଡା ଓ ଅଲିମ୍ପିକ୍ କିଟ୍ ବ୍ୟାଗ୍ ସହ ଅପରାଧରେ ବ୍ୟବହୃତ ଦୁଇଚକିଆ ଯାନକୁ ମଧ୍ୟ ପୁଲିସ ଜବତ କରିଛି। ବୁଧବାର ଏହି ସଫଳତା ପାଇଁ ବେଙ୍ଗାଲୁରୁ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି ସୋମାୟା। ସେ କହିଛନ୍ତି, ଚୋରି ହୋଇଥିବା ପଦକଗୁଡ଼ିକ ଫେରି ପାଇବା ପରେ ତାଙ୍କୁ ପୁଣି ଥରେ ସେହି ପଦକ ଜିତିବାର ଅନୁଭୂତି ହେଉଛି। ଏହି ପଦକଗୁଡ଼ିକ ତାଙ୍କ ଦୀର୍ଘ ବର୍ଷର କଠିନ ପରିଶ୍ରମ ଓ ସଂଘର୍ଷର ସ୍ମୃତି ବହନ କରୁଛି।
ସେ କହିଛନ୍ତି, ହକି ଏକ ସୌଖିନ ଖେଳ ଥିବା ସମୟରେ ଏହି ପଦକଗୁଡ଼ିକ ଜିତିଥିଲେ। ସେତେବେଳେ ଖେଳାଳିଙ୍କ ପାଇଁ କୌଣସି ଆର୍ଥିକ ପୁରସ୍କାର ନଥିଲା। ପଦକ ହିଁ ସେମାନଙ୍କ ପରିଶ୍ରମର ଏକମାତ୍ର ସ୍ୱୀକୃତି ଥିଲା। ବିଶେଷ କରି ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ତାଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ସୂଚନାଯୋଗ୍ୟ ଯେ ଅକ୍ଟୋବର ୨୮ ତାରିଖରେ ଇନ୍ଦିରାନଗର ଥାନା ଅଧୀନ ଏଚ୍ଏଏଲ୍ ତୃତୀୟ ଷ୍ଟେଜ୍ସ୍ଥିତ ସୋମାୟାଙ୍କ ବାସଭବନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା।
ପୁଲିସ ରାଜାଜୀନଗରରୁ ଦୁଇଟି ପଦକ ଏବଂ ହୋସକୋଟେରୁ ଅବଶିଷ୍ଟ ୬ଟି ପଦକ ସହ ଅନ୍ୟ ସାମଗ୍ରୀ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ପଦକ ମଧ୍ୟରେ ୧୯୮୦ ମସ୍କୋ ଅଲିମ୍ପିକ୍ସର ସ୍ୱର୍ଣ୍ଣ, ୧୯୮୨ ଏସୀୟ କ୍ରୀଡ଼ାର ରୌପ୍ୟ, ୧୯୮୬ ସିଓଲ୍ ଏସୀୟ କ୍ରୀଡ଼ାର କାଂସ୍ୟ ଏବଂ ୧୯୮୨ ଆମଷ୍ଟରଡାମ୍ ଚାମ୍ପିଅନ୍ସ ଟ୍ରଫିର କାଂସ୍ୟ ପଦକ ରହିଛି। ଏହାବ୍ୟତୀତ ଇଟାଲୀର ଲୋୟାନୋ ପ୍ରତିଯୋଗିତାର ସ୍ୱର୍ଣ୍ଣ ପଦକ, ୧୯୮୪ ଲସ୍ ଏଞ୍ଜେଲସ୍ ଓ ୧୯୮୮ ସିଓଲ୍ ଅଲିମ୍ପିକ୍ସର ଅଂଶଗ୍ରହଣ ପଦକ ଏବଂ ଗୁରୁ ଗୋବିନ୍ଦ ସିଂହଙ୍କ ୩୦୦ତମ ଜନ୍ମବାର୍ଷିକୀ ଉତ୍ସବ ଅବସରରେ ପ୍ରଦତ୍ତ ଏକ ରୌପ୍ୟ ପଦକ ମଧ୍ୟ ରହିଛି।

1 day ago
3


